ବିରଳ ‘ବମ୍ବେ ଫିନୋଟାଇପ୍‌’ ଗ୍ରୁପ୍‌ର ରକ୍ତ ଦେଇ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଦିଲୀପ; ରାଉରକେଲାରୁ ବ୍ରହ୍ମପୁରକୁ ଆସି ରକ୍ତଦାନ କଲେ

ପ୍ରସୂତିଙ୍କୁ ଦରକାର ଥିଲା ‘ବମ୍ବେ ଫିନୋଟାଇପ୍‌’ ରକ୍ତ,

ବ୍ରହ୍ମପୁର : ‘ରକ୍ତଦାନ ମହତ ଦାନ, ରକ୍ତଦାତା ଜୀବନଦାତା।’ ଏହା କେବଳ ସ୍ଲୋଗାନ୍ ନୁହେଁ ବୋଲି ପ୍ରମାଣିତ କରିଛନ୍ତି ୪୧ ବର୍ଷୀୟ ଦିଲୀପ କୁମାର ବାରିକ। ରାଉରକେଲା ସେଣ୍ଟ୍‌ କଲୋନି ବାସିନ୍ଦା ଦିଲୀପଙ୍କ ଶରୀରରେ ବିଶ୍ବର ସବୁଠାରୁ ବିରଳ ଗ୍ରୁପ୍‌ ‘ବମ୍ବେ ଫିନୋଟାଇପ୍’ ବା ‘ଏଚ୍‌ଏଚ୍‌’ ରକ୍ତ ରହିଛି। ପୃଥିବୀର ସମସ୍ତ ୩୮ ପ୍ରକାର ବ୍ଲଡ୍‌ ଗ୍ରୁପ୍‌ ମଧ୍ୟରୁ ‘ବମ୍ବେ ଫିନୋଟାଇପ୍’ ଅତି ବିରଳ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଏଭଳି ଅତି ବିରଳ ରକ୍ତ ଗ୍ରୁପ୍‌ର ଜଣେ ପ୍ରସୂତିଙ୍କୁ ରକ୍ତ ଦେଇ ଦିଲୀପ ତାଙ୍କ ଜୀବନ ବଞ୍ଚାଇଛନ୍ତି।

ପାତ୍ରପୁର ବ୍ଲକ୍‌ ମେଣ୍ତାସିଙ୍ଗି ଗ୍ରାମର ନାରାୟଣ ରଇତଙ୍କ ପତ୍ନୀ ସବିତା ଗତ ୧୨ ତାରିଖରେ ବଡ଼ ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ୧୩ ତାରିଖରେ ଅସ୍ତ୍ରୋପଚାର ପରେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ସମୟରେ ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ସବିତାଙ୍କ ଶରୀରରୁ ରକ୍ତ କମି ଯାଇଥିଲା। ସବିତାଙ୍କୁ ରକ୍ତ ଦେବା ପାଇଁ ବଡ଼ ମେଡିକାଲ ରକ୍ତ ଭଣ୍ତାରକୁ ଯାଇ ରକ୍ତ ପାଇଁ ଆବେଦନ କରିବା ବେଳେ ସବିତାଙ୍କ ରକ୍ତ ‘ବମ୍ବେ ଫିନୋଟାଇପ୍’ ଗ୍ରୁପ୍‌ର ବୋଲି ଜଣାପଡ଼ିଥିଲା। ଏଭଳି ରକ୍ତର ନାମ କେବେ ଶୁଣି ନ ଥିବା ସ୍ବାମୀ ନାରାୟଣଙ୍କ ମୁଣ୍ତରେ ଚଡ଼କ ପଡ଼ି ଯାଇଥିଲା। ରକ୍ତ କିଭଳି ଯୋଗାଡ଼ କରିବେ ସେ ଚିନ୍ତାରେ ରହିଥିଲେ ନାରାୟଣ। ଏହି ଗ୍ରୁପ୍‌ର ରକ୍ତ ବଡ଼ ମେଡିକାଲରେ ମଧ୍ୟ ନ ଥିଲା।

ଏହାପରେ ରକ୍ତ ଭଣ୍ତାର ଡାକ୍ତର ରଶ୍ମିତା ପାଣିଗ୍ରାହୀ ରକ୍ତ ଯୋଗାଡ଼ କରିବା ପାଇଁ ଆରମ୍ଭ କରିଥିଲେ ଉଦ୍ୟମ। ଡା. ପାଣିଗ୍ରାହୀ ରାଜ୍ୟବ୍ୟାପୀ ସମସ୍ତ ରକ୍ତ ଭଣ୍ତାରକୁ ଯୋଗାଯୋଗ କରିଥିଲେ। ଭୁବନେଶ୍ବର ରକ୍ତ ଭଣ୍ତାରରୁ ଜଣାପଡ଼ିଥିଲା ଯେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଜଣେ ବ୍ୟକ୍ତିଙ୍କଠାରେ ଏଭଳି ବିରଳ ରକ୍ତ ରହିଛି। ଏହାପରେ ବିରଳ ରକ୍ତଦାତା ଦିଲୀପଙ୍କ ସହ ଡା. ରଶ୍ମିତା ଯୋଗାଯୋଗ କରିଥିଲେ। ଆଉ ଡାକରା ପାଇ ଆଜି ପୂର୍ବାହ୍ନରେ ଦିଲୀପ ରାଉରକେଲାରୁ ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ତାରରେ ପହଞ୍ଚିଥିଲେ ଏବଂ ରକ୍ତଦାନ କରି ମୃତ୍ୟୁମୁଖରେ ପଡ଼ିଥିବା ସବିତାଙ୍କ ଜୀବନ ବଞ୍ଚାଇଥିଲେ। କଟକର ଏକ ଘରୋଇ କ˚ପାନିରେ କାର୍ଯ୍ୟ କରୁଥିବା ଦିଲୀପ ପୂର୍ବରୁ ୪ଥର ରକ୍ତଦାନ କରିଥିବା ବେଳେ ଏହା ହେଉଛି ତାଙ୍କର ପଞ୍ଚମ ରକ୍ତଦାନ। ଦିଲ୍ଲୀପଙ୍କ ଶରୀରରେ ‘ବମ୍ବେ ଫିନୋଟାଇପ୍’ ଗ୍ରୁପ୍‌ର ରକ୍ତ ଥିବାରୁ ତାଙ୍କୁ ବାରମ୍ବାର ରକ୍ତଦାନ କରିବାକୁ ମନା କରାଯାଇଛି। ଏଭଳି ବିରଳ ରକ୍ତ ଅସମୟରେ ଆବଶ୍ୟକ ପଡ଼ିବ। ତେଣୁ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ରକ୍ତଦାନ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ଦିଲୀପଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଗଞ୍ଜାମ ଜିଲ୍ଲାର ବହୁ ରକ୍ତଦାତା ଉତ୍ସାହିତ କରିବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି। ସେହିପରି ରୋଗୀ ଜୀବନ ବଞ୍ଚାଇବା କ୍ଷେତ୍ରରେ ଡା. ରଶ୍ମିତାଙ୍କ ଉଦ୍ୟମକୁ ମଧ୍ୟ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।

ଅନୁସ˚ଧାନରୁ ଜଣାପଡ଼ିଛି ଯେ ୧୯୫୨ ମସିହାରେ ଏହି ବିରଳ ଗ୍ରୁପ୍‌ର ରକ୍ତ ବମ୍ବେରେ ପ୍ରଥମେ ଆବିଷ୍କୃତ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି। ମହାରାଷ୍ଟ୍ରରେ ‘ବମ୍ବେ ଫିନୋଟାଇପ୍’ ଗ୍ରୁପ୍‌ର ରକ୍ତ ଥିବା ଅଧିକ ଲୋକ ରହିଛନ୍ତି। ଭାରତରେ ପ୍ରତି ଅଢେ଼ଇ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଏହି ବିରଳ ଗ୍ରୁପ୍‌ର ରକ୍ତ ରହିଥିବାବେଳେ ମହାରାଷ୍ଟ୍ରରେ ପ୍ରତି ସାଢେ଼ ୭ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଏହି ରକ୍ତ ଥିବା ଏକ ସର୍ଭେରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Comments are closed.