ନିର୍ମିତ ହେବ ଜୈବ ପର୍ଯ୍ୟଟନ କମ୍ପ୍ଲେକ୍ସ
ଆଉ ୫୦ଟି ଜୈବ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଅନୁକୂଳ କରାଯିବ
ଭୁବନେଶ୍ୱର: ଜୈବ ବିବିଧତାର ହଟ୍ସ୍ପଟ୍ ଭାବେ ପରିଚିତ ଓଡ଼ିଶା ଜୈବ ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ ଆଗେଇଛି। ସହରର କୋଳାହଳରୁ କେଇ ଘଣ୍ଟା ବିରତି ନେଇ ଜଙ୍ଗଲରେ ଏକାନ୍ତରେ ରହିବା, ସବୁଜ ବଳୟ ମଧ୍ୟରେ ରାତି କାଟିବା, ବଣଭୋଜି କରିବା, ଜୀବଜନ୍ତୁଙ୍କୁ ପ୍ରତ୍ୟକ୍ଷ କରିବା, ପରିବେଶର ମାଧୁର୍ଯ୍ୟକୁ ଉପଭୋଗ କରିବା ଏବେ ଏକ ନିଆରା ସଉକ ପାଲଟିଛି। ପର୍ଯ୍ୟଟକଙ୍କ ଏହି ସଉକକୁ ପୂରଣ କରିବା ରାଜ୍ୟ ସରକାର ମଧ୍ୟ ସଜାଗ ହୋଇଛନ୍ତି। ସଂପ୍ରତି ରାଜ୍ୟର ୩୭ଟି ସ୍ଥାନରେ ପର୍ଯ୍ୟଟକମାନେ ଜୈବ ପର୍ଯ୍ୟଟନର ମଜା ଉଠାଉଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି ପାଇବ। କେଇ ମାସ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଆହୁରି ୫୦ଟି ନୂଆ ଜୈବ ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ଯୋଗ୍ୟ କରାଯିବ। ସେଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଖଞ୍ଜାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ରାତି କଟାଇଛନ୍ତି ୨୩ ହଜାର ପର୍ଯ୍ୟଟକ
ଗତବର୍ଷ ୨୩ ହଜାର ପର୍ଯ୍ୟଟକ ଜୈବ ପର୍ଯ୍ୟଟନସ୍ଥଳରେ ରାତି ବିତାଇଥିବା ବେଳେ ଏହି ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ନୂତନ ଭାବେ ୫୦ଟି ଜୈବ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ସେଠାରେ ‘ଇକୋ ଟୁରିଜିମ୍ କମ୍ପ୍ଲେକ୍ସ’ ନିର୍ମିତ ହେବ। ଶୂନଶାନ ପ୍ରକୃତି ଭିତରୁ ଏକ ନୂଆ ଅନୁଭବ ସାଉଁଟିବେ। ରହଣି ସହିତ ସେଠାରେ ପର୍ଯ୍ୟଟକଙ୍କ ଇଚ୍ଛା ମୁତାବକ ସ୍ଥାନୀୟ ଖାଦ୍ୟ ଉପଲବ୍ଧ ହେବ। ଜୈବ ପର୍ଯ୍ୟଟନ କ୍ଷେତ୍ରର ନିକଟବର୍ତୀ ଅଞ୍ଚଳ ବାବଦରେ ସବିଶେଷ ବୁଝାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ତାଲିମ୍ ଦେଇ ଗାଇଡ୍ ଭାବେ ନିୟୋଜିତ କରାଯିବ। ବୁଲାଇନେବା ପାଇଁ ଆବଶ୍ୟକ ମୁତାବକ ଗାଡ଼ିର ବନ୍ଦୋବସ୍ତ କରାଯିବ। ପର୍ଯ୍ୟାୟ କ୍ରମେ ଏସବୁ କରାଯିବ ବୋଲି ଜୈବ ବିବିଧତା ବୋର୍ଡର ଜଣେ କର୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।