୬ଟି ଆରଡିସି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କର: କଂଗ୍ରେସ

ଭୁବନେଶ୍ବର: ଓଡିଶାରେ ବିଭିନ୍ନ ସମୟରେ ଓ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ୬ଟି ରାଜସ୍ବ କମିସନର ବା ଆରଡିସି ସ୍ତରୀୟ ତଦନ୍ତ ଘୋଷଣା କରିଛନ୍ତି। କିନ୍ତୁ ସେହି ରିପୋର୍ଟଗୁଡ଼ିକ ଅନ୍ଧାରରେ ରହିଛି। ଆଗାମୀ ନିର୍ବାଚନ ପୂର୍ବରୁ ସେଗୁଡ଼ିକୁ ସାର୍ବଜନୀନ କରିବାକୁ ଦାବି କରିଛି ରାଜ୍ୟ କ˚ଗ୍ରେସ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍‌ ମୁଖ୍ୟ ସତ୍ୟକପ୍ରକାଶ ନାୟକ ଏ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ୬ଟି ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ସହିତ ସେସବୁର ଆକ୍ସନ ଟେକେନ୍‌ ରିପୋର୍ଟ(ଏଟିଆର)କୁ କାହିଁକି ଲୋକଲୋଚନକୁ ଆଣୁନାହାନ୍ତି, ତା’ର ଉତ୍ତର ଦେବାକୁ ସେ ଦାବି କରିଥିଲେ। ସେହି ୬ଟି ଅତି ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନମତରା ଗୁଳିକାଣ୍ତ ଘଟଣା, ଭୁବନେଶ୍ବର ସମ୍‌ ହସ୍‌ପିଟାଲ ଅଗ୍ନିକାଣ୍ତ ଘଟଣା, ପୁରୀରେ ଇସ୍କନ୍‌ ଦ୍ବାରା ପ୍ରସ୍ତାବିତ ଦ୍ବିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା, ପୁରୀ ସ୍ବର୍ଗଦ୍ବାର ଜମି କେଳେଙ୍କାରୀ, ଭଦ୍ରକ ଦଙ୍ଗା ଘଟଣା ଓ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କୋଟପାଡ଼ରେ ୪୫ ମିନିଟ୍‌ ଧରି ନିଖୋଜ ହୋଇଯିବା। ଏଥିମଧ୍ୟରୁ କେବଳ ପ୍ରଥମ ୩ଟି ଘଟଣାର ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ଅନ୍ୟ ୩ଟି ଆରଡିସି ତଦନ୍ତ ରିପୋର୍ଟକୁ ସରକାର ଚାପି ଦେବାକୁ ବସିଛନ୍ତି ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥୀ, ହିମାଂଶୁ ମହାପାତ୍ର, ରଜନୀକାନ୍ତ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର