କଟକ ଜିଲ୍ଲାରେ ଖଣ୍ଡ ପ୍ରଳୟ ସୃଷ୍ଟି କଲା ‘ଫନି’

କଟକ : କଟକ ଜିଲ୍ଲାରେ ଖଣ୍ଡ ପ୍ରଳୟ ସୃଷ୍ଟି କରିଛି ‘ଫନି’। ପ୍ରଚଣ୍ଡ ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ସାରା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିଥିବାବେଳେ, ବିଦ୍ୟୁତ୍‌ ସେବା, ମୋବାଇଲ ସେବା ଓ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଯାଇଛି। କଟକ ସହରର ରାସ୍ତାଘାଟରେ ଗଛ ଭାଙ୍ଗି ପଡ଼ିବା ସହ ପାଣିର ସୁଅ ଛୁଟିବା‌ରୁ ଗମନାଗମନ ମଧ୍ୟ ବ୍ୟାହତ ହୋଇଛି।

ଗତକାଲି ସଂଧ୍ୟାରୁ ସାରା ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ଆଜି ସକାଳୁ ‘ଫନି’ର ପ୍ରଭାବ ଦେଖିବାକୁ ମିଳିଥିଲା। ସାରା ଜିଲ୍ଲାରେ ରାସ୍ତାଘାଟରେ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଥିବାବେଳେ ବହୁ ସଂଖ୍ୟାରେ ବିଦ୍ୟୁତ୍ ଖୁଣ୍ଟ ବି ଉପୁଡ଼ି ପଡ଼ିଥିଲା। ତୁରନ୍ତ ସାରା ଜିଲ୍ଲାରେ ରାସ୍ତା ଘାଟ ଖୋଲିବା ପାଇଁ ୩ଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଥିବାବେଳେ ଜିଲ୍ଲାର ୧ଲକ୍ଷ ୧୮ହଜାର ୨୮୫ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ସେଲଟର ହୋମ୍‌ରେ ରଖାଯାଇଛି। ‘ଫନି’ ପ୍ରଭାବରେ ଜିଲ୍ଲାର ନିଆଳି ଓ କଣ୍ଟାପଡ଼ା ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଶହ ଶହ ଚାଳ ଘର ଛପର ଉଡ଼ି ଯାଇଛି। ସେହିପରି ଆଠଗଡ଼, ସାଲେପୁର, ତିଗିରିଆ, ନରସିଂହପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଳ, କିଶନନଗର, ବଡମ୍ବା, ବାଙ୍କୀ, ଡମପଡା ସବୁ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

କଟକ ବଡ଼ ମେଡିକାଲ ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୃଦ୍‌ରୋଗ ବିଭାଗର ଉପର ଛାତ ଉଡ଼ିଯାଇଥିବାବେଳେ ସମ୍ମୁଖଭାଗ କାଚ ସବୁ ଭାଙ୍ଗି ଯାଇଛି। ପୁଲମୋନାରି ମେଡିସିନ୍‌, ନ୍ୟୁ ମେଡିସିନ୍‌, କାଡ଼ିଓଥୋରାସିସ୍‌ ବିଭାଗ, ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ଡିନ୍‌ଙ୍କ କାର୍ଯ୍ୟାଳୟ ସମେତ ସବୁ ବିଭାଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଆଇସିୟୁ ମଧ୍ୟ ଠିକ୍‌ ଭାବରେ କାମ ନ କରିବାରୁ ତୁରନ୍ତ ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ଓ ପବନ ଯୋଗୁଁ ପାଣି ବିଭିନ୍ନ ୱାର୍ଡକୁ ପଶିଆସୁଥିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ପାଣି, ବିଦ୍ୟୁତ୍‌ ସେବା ଓ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା କି ଅସୁବିଧା ହୋଇନଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଶହ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। କଟକର ସତୀଚୌରାରୁ ଶିଶୁଭବନ ରାସ୍ତା, ଚାନ୍ଦିନୀଚୌକ୍‌ ରାସ୍ତା ସବୁ ବଡ଼ ବଡ଼ ଗଛ ପଡ଼ି ରହିଥିବାବେଳେ କେବିନ୍‌ଗୁଡ଼ିକ ସବୁ ରାସ୍ତାରେ ଓଲଟି ପଡ଼ିଛି। ପବନର ବେଗ ଘଣ୍ଟା ପ୍ରତି ପ୍ରକୃତରେ କେତେ ଥିଲା ତାହା ଠିକ୍ ଜଣା ପଡ଼ି ନ ଥିଲେ ମଧ୍ୟ ୧୫୦ କି‌ଲୋମିଟରରୁ ଅଧିକ ଥିବା ଅନୁମାନ କରାଯାଇଛି।

ଜିଲ୍ଲାରେ ଦିଆଯାଇଥିବା ସବୁ କଂଟ୍ରୋଲ ରୁମ୍‌ ନମ୍ବର କାମ କରୁନଥିବା ଜଣାପଡ଼ିଛି। ଅନ୍ୟପଟେ ସହରରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଗତକାଲି ରାତି ୧୨ଟାରେ ଖାଦ୍ୟ ଦିଆଯାଇଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା କେତେକ ଆଶ୍ରୟସ୍ଥଳରେ ମାତ୍ର ଗୋଟିଏ ବିସ୍କୁଟ ପ୍ୟାକେଟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଇଛି। ମର୍କତନଗର ୟୁପି ସ୍କୁଲ, ପୁଲିସ କଲୋନି ହାଇସ୍କୁଲ, ସିଡିଏ ରାତି ଆଶ୍ରୟସ୍ଥଳ ଏବଂ ଦି ଲ’ କଲେଜରେ ଏଭଳି ଅବ୍ୟବସ୍ଥା ସହ ଆଲୋକ ବ୍ୟବସ୍ଥା କରାଯାଇ ନଥିବା ସଂପର୍କରେ ଆଇନଜୀବୀ ଗଦାଧର ସାହୁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର