ଖାଦ୍ୟ ଯୋଗାଣ ଏବଂ ସମବାୟ ବିଭାଗ ସମୀକ୍ଷା : ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ‘ଟଙ୍କିକିଆ ଚାଉଳରୁ ଜଣଙ୍କୁ ବି ବାଦ୍‌ ଦିଅନି’

ଭୁବନେଶ୍ୱର : ରାଜ୍ୟର ୩ କୋଟି ୨୩ ଲକ୍ଷ ୫୫ ହଜାର ହିତାଧିକାରୀଙ୍କୁ ବର୍ଷକୁ ୨୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଓ ଗହମ କିଲୋ ଟଙ୍କାକରେ ଦିଆଯାଉଛି। ଏହା ଫଳରେ ରାଜ୍ୟର ୮୬.୭୯ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଏହା ବାହାରେ ଯଦି କେହି ଜଣେ ବି ଥାଆନ୍ତି, ତାଙ୍କୁ ଏହି କିଲୋ ଟଙ୍କାଏ ମୂଲ୍ୟରେ ଚାଉଳ ପାଇବାରୁ ବାଦ୍‌ ନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ତାଗିଦ୍‌ କରିଛନ୍ତି। ସେହିପରି ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି କେତେ ପୂରଣ ହୋଇଛି ସେ ନେଇ ବିଭାଗୀୟ ପ୍ରଦର୍ଶନର ସମୀକ୍ଷା କରି ଚଳିତ ବର୍ଷ ଅବଶିଷ୍ଟ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଆଜି ତାଙ୍କ ବିଭାଗର ପ୍ରଦର୍ଶନ ସଂପର୍କରେ ଗଣମାଧ୍ୟମରେ ବଖାଣିବା ବେଳେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏ କଥା କହିଥିଲେ। ଓଡ଼ିଶା ଧାନ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି। ବିଗତ ଚାରିବର୍ଷ ମଧ୍ୟରେ ରାଜ୍ୟରୁ ହାରାହାରି ୩୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ହେଉଛି। ରାଜ୍ୟର ନିଜସ୍ୱ ବ୍ୟବହାର ପରେ ଅବଶିଷ୍ଟ ଚାଉଳକୁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଜରିଆରେ ଝାଡ଼ଖଣ୍ଡ, କର୍ଣ୍ଣାଟକ ଆଦି ରାଜ୍ୟଗୁଡ଼ିକୁ ପଠାଯାଉଛି। ନିକଟରେ ସରିଥିବା ଖରିଫ ଋତୁରେ ଧାନ ସଂଗ୍ରହ ବାବଦରେ ୭ ଲକ୍ଷ ପଞ୍ଜୀକୃତ ଚାଷୀଙ୍କୁ ୫୯୨୧.୩୩ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦିଆଯାଇଥିବା ସେ କହିଥିଲେ।

ସମବାୟ ବିଭାଗର ସଫଳତା ବର୍ଣ୍ଣନା ପରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ, ଏଥର ଯୁଗ୍ମ ଦେୟ ଗୋଷ୍ଠୀ(ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌ ବା ଜେଏଲ୍‌ଜି) ଗଠନ କରିଥିବା ଭାଗଚାଷୀଙ୍କୁ ସମବାୟ ଋଣ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦିଓ ଭାଗଚାଷୀଙ୍କ ପାଇଁ ଆଇନ ନାହିଁ, ସେମାନଙ୍କୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭଳି ଋଣ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ପ୍ରତ୍ୟେକ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଅନ୍ୟୂନ ୧୦ଟି ଜେଏଲ୍‌ଜି ଗଠନ କରିବେ। ଏହିରୂପେ ପାକ୍‌ସ ମାଧ୍ୟମରେ ୨୭୦୦ରୁ ଅଧିକ ଜେଏଲ୍‌ଜିଙ୍କୁ ଋଣ ପ୍ରଦାନ କରିବାକୁ ଆଜି ସେ ନିର୍ଦେଶ ଦେଇଥିବା କହିଥିଲେ।

ଏହି ପ୍ରସଙ୍ଗରେ ସେ କହିଲେ, ଅନ୍ୟ ରାଜ୍ୟଗୁଡ଼ିକରେ ସମବାୟ ବ୍ୟାଙ୍କ ଜରିଆରେ ୧୭ ପ୍ରତିଶତ ଫସଲ ଋଣ ଦିଆଯାଉଥିବା ବେଳେ ଓଡ଼ିଶାରେ ଏହା ୬୫ ପ୍ରତିଶତ। ୨୦୧୭-୧୮ରେ ସମବାୟ ବ୍ୟାଙ୍କମାନେ ପ୍ରାୟ ୧୧୦୦୫ କୋଟିର ଋଣ ଦେଇଥିଲେ। ଚଳିତ ବର୍ଷ ୧୨୫୦୦ କୋଟିର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ସମବାୟ ବ୍ୟାଙ୍କମାନେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଫସଲ ଋଣ ପ୍ରଦାନ କରୁଛନ୍ତିି। ୨୦୧୪-୧୫ରୁ ଅଦ୍ୟାବଧି ରିହାତି ବାବଦରେ ରାଜ୍ୟ ସରକାର ୧୪୬୬.୭୯ କୋଟି ଟଙ୍କାର ବୋଝ ବହନ କରିଥିବା ସେ ଦର୍ଶାଇଥିଲେ।

ରାଜ୍ୟ ପାଇଁ ପଣ୍ୟାଗାର ଆଇନ ଆଣିବା ନିମନ୍ତେ ଖସଡ଼ା ଚିଠା ପ୍ରସ୍ତୁତି ଜୁନ୍‌ ସୁଦ୍ଧା ଚୂଡ଼ାନ୍ତ ହେବ। ଏହା ବିଧାନସଭାରେ ପାରିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ସେହିପରି ପ୍ରତ୍ୟେକ ପଞ୍ଚାୟତରେ ଗୋଦାମ ଗୃହ, ଅଗଷ୍ଟ ସୁଦ୍ଧା କିଷାନ କ୍ରେଡିଟ୍‌ କାର୍ଡକୁ ରୂପେ କାର୍ଡରେ ପରିଣତ, ଅଗଷ୍ଟ ସୁଦ୍ଧା ୩୦୦ଟି ମାଇକ୍ରୋ ଏଟିଏମ୍‌ ସ୍ଥାପନ, ଚଳିତ ବର୍ଷ ୫ ଲକ୍ଷ ଅଣଋଣୀ ଚାଷୀଙ୍କ ସମେତ ୨୫ ଲକ୍ଷ ଚାଷୀଙ୍କୁ ଫସଲ ବୀମାଭୁକ୍ତ, ଇ-ନାମ୍‌ ଯୋଜନା, ସମବାୟ ଆପଣଙ୍କ ଦ୍ୱାରରେ ଆଦି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧିତ ଖବର