ନୀଳଗିରିରେ ହନୁମାନ ମୂର୍ତ୍ତି ଚୋରା କାରବାର ର‍୍ୟାକେଟ୍‌!

ନୀଳଗିରି : ହନୁମାନ ମୂର୍ତ୍ତି କିମ୍ବା ହନୁମାନ ପଇସା କାରବାରରେ ସଂପୃକ୍ତି ଥିବା ସନ୍ଦେହ କରି ନୀଳଗିରି ପୁଲିସ ୩ ଜଣ ଓଡ଼ିଆ ଓ ୪ ଜଣ ଅଣଓଡ଼ିଆଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ତେବେ ଏମାନେ ହନୁମାନ ମୂର୍ତ୍ତି ଚୋରି ଉଦ୍ଦେଶ୍ୟରେ ଆସିଛନ୍ତି ନାଁ ଗୁଣିଗାରେଡ଼ି ପାଇଁ ଆସିଛନ୍ତି ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।

ଗତକାଲି ରାତିରେ ଏହି ଲୋକମାନେ ଏକ ଇନୋଭା ଗାଡ଼ି(ନଂ.ଓଆର୦୧ପି-୯୧୦୦)ରେ ଆସିଥିଲେ। ତେବେ ଏତେ ରାତିରେ ୮/୧୦ ଜଣ ଲୋକ ଗୋଟିଏ ଗାଡ଼ିରେ ଦେଖି ଗାଁ ଲୋକଙ୍କ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚୁରା କରିଥିଲେ। ତେବେ ଗାଁ ଲୋକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଏମାନେ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରିଥିଲେ। ତେଣୁ ଗ୍ରାମବସୀ ସେମାନଙ୍କୁ ଅଟକ ରଖି ନୀଳଗିରି ଥାନାକୁ ଖବର ଦେଇଥିଲେ। ଖବରପାଇ ଆଇଆଇସି ନଳିତା ମୋଦି, ସବ୍‌ଇନ୍‌ସପେକ୍ଟର ଦୀନବନ୍ଧୁ ମହନ୍ତ ସଦଳବଳେ ଗ୍ରାମରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ଆଣିଥିଲେ।

ତେବେ ହନୁମାନଙ୍କ ପୂଜାର୍ଚ୍ଚନା ପାଇଁ ସେମାନେ ଏଠାକୁ ଆସିଥିବା କହୁଥିବା ବେଳେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏପରିକି ସେମାନେ ରହୁଥିବା ବାଲେଶ୍ୱରର ହୋଟେଲ ହରିପ୍ଲାଜାକୁ ଯାଇ ପୁଲିସ ଛାନ୍‌ଭିନ୍‌ କରିଛି। ନୀଳଗିରିକୁ ଆସିଥିବା ଇନୋଭା ଗାଡ଼ିଟିକୁ ନେଇ ଡ୍ରାଇଭର ଚତୁରତାର ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ହୋଟେଲ୍‌ର ରହୁଥିବା ଆଉ ୩ ଓଡ଼ିଆ ଯୁବକଙ୍କୁ ଡ୍ରାଇଭର ଘଟଣା ବିଷୟରେ ଜଣାଇବାରୁ ସେମାନେ ଖସି ପଳାଇ ଯାଇଥିବା ଜଣାପଡ଼ିଛି। ତେଣୁ ଅନ୍ୟମାନଙ୍କୁ ନେଇ ପୁଲିସର ସନ୍ଦେହ ବଢ଼ି ଯାଇଛି। ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ରାଜ୍ୟ ବାହାରୁ ଓ ଭିତରୁ ଏହି ବ୍ୟକ୍ତିମାନେ ନୀଳଗିରିକୁ ଆସିଥିଲେ ତାହା ଜାଣିବା ଲାଗି ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଖୋଳତାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର