ପଥର ଧସିବା ଘଟଣା: ସେନାକୁ ମଗାଗଲା ସହାୟତା, ରାଞ୍ଚିରୁ ଆସିବେ ଟିମ୍‌

ପ୍ରଶାସନ ଫେଲ୍‌, ବ୍ଲାଷ୍ଟିଂ ପାଇଁ ଚାଲିଛି ଯୋଜନା

ଜୟପୁର: ବହୁ ପ୍ରତିକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ ନିକଟ ଗୁମ୍ମା ପଥର କୁଅାଁରିରେ ପଥର ଧସିବା ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପଥର ତଳେ ଚାପି ହୋଇ ରହିଥିବା କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସଞ୍ଜୟ ଦାସ ଓ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କୁ ପଥର ତଳୁ ଉଦ୍ଧାର କରାଯାଇ ପାରି ନାହିଁ। ଉଦ୍ଧାର ପାଇଁ ଏନଡିଆରଏଫ ଟିମ ଆସିଥିଲେ ମଧ୍ୟ ଜେସିବି ଅପରେଟରଙ୍କୁ ପଥର ତଳୁ ବାହାର କରି ପାରି ନାହିଁ। ଫଳରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ସହାୟତା ମଗାଯାଇଛି।

ଏନ୍‌ଡିଆରଏଫ ଟିମ୍‌ କହିଛି, ଅତ୍ୟାଧୁନିକ ମେସିନ ନହେଲେ, ଉଦ୍ଧାର କାର୍ଯ୍ୟ ସମ୍ଭବ ନୁହେଁ। ସେନା ଦ୍ୱାରା ପଥର ତଳେ ଚାପି ହୋଇଯାଇଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯିବା ପାଇଁ ପ୍ରଶାସନ ଫେଲ ମାରିବା ପରେ ବ୍ଲାଷ୍ଟିଂ ପାଇଁ ଯୋଜନା ଚାଲିଛି। ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ବ୍ଲାଷ୍ଟିଂ ହୋଇପାରେ। ଅପରପକ୍ଷେ, ମିଳିଥିବା ସୂଚନା ଅନୁସାରେ ରାଞ୍ଚିରୁ ଏକ ଟିମ୍‌ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିବ।

ଶୁକ୍ରବାରରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଡିଡି କନଷ୍ଟ୍ରକସନର ୩ଟି ମେସିନ କାର୍ଯ୍ୟରେ ଲାଗିଥିଲା। ପ୍ରଶାସନ ପକ୍ଷରୁ ଏକ ଜେସିବିକୁ ଲକ୍ଷ୍ମୀପୁରରୁ ଅଣାଯାଇଥିଲେ ମଧ୍ୟ କିଛି କାର୍ଯ୍ୟରେ ଲାଗିପାରିନାହିଁ। ଘଟଣାକୁ ତିନିଦିନ ବିତିଯାଇଥିବାରୁ ପଥର ଖଣି ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବାବେଳେ ଏବେ ଯାଏ ପ୍ରଶାସନ ଉଦ୍ଧାର କରିବା କାର୍ଯ୍ୟକୁ ତ୍ୱାରାନ୍ଵିତ କରିପାରିନାହିଁ।

ଠିକାସଂସ୍ଥା ଓ ସୁପରଭାଇଜରଙ୍କ ନାମରେ ବି.ସିଂହପୁର ଥାନାରେ ପରିବାରବର୍ଗଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିବାବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରନାହିଁ। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ବଡ କ୍ରେନ କିମ୍ବା ହାଇଡ୍ରୋଲିକ୍ସ ଥିବା କ୍ରେନର ଆବଶ୍ୟକତା ରହିଥିବାବେଳେ ଏହାକୁ ଯୋଗାଡ କରିବାକୁ ଜିଲ୍ଲା ପ୍ରଶାସନ ଏବେ ଯାଏଁ ଅସମର୍ଥ ରହିଛି।

ସମ୍ବନ୍ଧିତ ଖବର