ଜବରଦଖଲ ଜମିର ହେବ ନିୟମିତୀକରଣ

ଗୁଜରାଟ ଆଇନ ଢାଞ୍ଚାରେ ଆସିବ ବିଲ୍‌

ଭୁବନେଶ୍ୱର : ସରକାରୀ ଜମିରେ ସ୍ଥାୟୀ ଘର କରି ରହୁୁଥିବା ଲୋକମାନଙ୍କ ପାଇଁ ଜବରଦଖଲ ଉଚ୍ଛେଦ ହେବାର ଭୟ ସବୁଦିନ ପାଇଁ ଦୂର ହେବାକୁ ଯାଉଛି। ସେମାନେ ଧାର୍ଯ୍ୟ ମୂଲ୍ୟ ଦାଖଲ କରି ସେହି ଜମି ନିୟମିତୀକରଣ କରିପାରିବେ। ଏ ନେଇ ବିଲ୍‌ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶରେ ପ୍ରଚଳିତ ଆଇନ ଅନୁସରଣ କରାଯାଉଛି।

ଆଜି ସଚିବାଳୟରେ ଉପରୋକ୍ତ ସରକାରୀ ନିଷ୍ପତ୍ତି ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି। ଏ ନେଇ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା। ମନ୍ତ୍ରୀଙ୍କ କହିବାନୁସାରେ କଟକର ବିଡ଼ାନାସୀ, ବୁର୍ଲା, ହୀରାକୁଦ, ବ୍ୟାସନଗର, ଫୁଲବାଣୀ, ବାଲିମେଳା ଭଳି ସହରାଞ୍ଚଳରେ ଅନେକ ଲୋକ ସରକାରୀ ଜମିରେ ସ୍ଥାୟୀ ଘର କରି ବସବାସ କରୁଛନ୍ତିି। ଏହାର ସ୍ଥାୟୀ ସମାଧାନ ନିମନ୍ତେ ଆଇନ ଅନୁସାରେ ଏବଂ ଧାର୍ଯ୍ୟ ମୂଲ୍ୟ ବଦଳରେ ସଂପୃକ୍ତ ଲୋକଙ୍କ ନାମରେ ଜମି ନିୟମିତ କରିବା ପାଇଁ ବିଲ୍‌ ଆସିବ।

ନୂଆ ବ୍ୟବସ୍ଥାରେ କେବଳ ଯେଉଁମାନେ ପ୍ରକୃତରେ ଏହି ଜମିରେ ସ୍ଥାୟୀ ଭାବେ ଘର କରି ରହୁଥିବେ ସେମାନଙ୍କ ନାମରେ ଜମିକୁ ନିୟମିତ କରାଯିବ। ଏ ନେଇ ଏକ ସମୟସୀମା ଧାର୍ଯ୍ୟ କରାଯିବ। ନିୟମିତ ହେବାକୁ ଥିବା ଜମି ଲିଜ୍‌ଯୋଗ୍ୟ ହୋଇଥିବ। ଏହା ଜଙ୍ଗଲ ଜମି, ଗୋଷ୍ଠୀ ବ୍ୟବହାର କିମ୍ବା ଶିଳ୍ପ ଏବଂ ବ୍ୟବସାୟ ନିମନ୍ତେ ସଂରକ୍ଷିତ ହୋଇନଥିବ। ଏହା ସହିତ ଭବିଷ୍ୟତରେ ସେହି ଜମି ରାସ୍ତା, ରେଳର ସଂପ୍ରସାରଣ, ଡ୍ରେନେଜ୍‌, ସ୍ୱିରେଜ୍‌, ବିଦ୍ୟୁତ୍‌ କେବଲ୍‌ କିମ୍ବା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେଉନଥିବ। ସେହି ଜମିର ଅବସ୍ଥିତି ମାଷ୍ଟରପ୍ଲାନକୁ ବିରୋଧ କରୁନଥିବ। ସେହି ଜମିର ନିୟମିତୀକରଣ ନିମନ୍ତେ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ବିଭାଗୀୟ ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ, ଗୃହ ନିର୍ମାଣ ବିଭାଗର ସଚିବ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର