ଆଜି ‘ଓଡ଼ିଶା ବନ୍ଦ’

ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ହେବନି: ନବନିର୍ମାଣ କୃଷକ ସଂଗଠନ

ବିଜେପି ଓ କଂଗ୍ରେସର ସମର୍ଥନ, ବସ୍ ମାଲିକ ସଂଘ ସାମିଲ ହେବନି 

ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ

ରୋଗୀ, ଶିଶୁ, ମହିଳାଙ୍କୁ ଅଡ଼ୁଆରେ ପକାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସରକାର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅନୁରୋଧ ଓ ଚେତାବନୀ ସତ୍ତ୍ବେ ନିଜ ଜିଦିରେ ଅଟଳ ରହିଛି ନବନିର୍ମାଣ କୃଷକ ସଂଗଠନ। ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାରୁ ସଂଗଠନ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ଚାଷୀମାନେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବେ। ଏଥି ଯୋଗୁଁ ଆସନ୍ତା ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷାରେ କୌଣସି ପ୍ରକାର ବିଭ୍ରାଟ ହେବ ନାହିଁ ବୋଲି ସଂଗଠନ ଦୃଢ଼ୋକ୍ତି ପ୍ରକାଶ କରିଛି।

ଏହି ବନ୍ଦକୁ ବିଜେପି ଓ କଂଗ୍ରେସ ଦଳ ସମର୍ଥନ କରୁଥିବାରୁ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଆଜି ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବନ୍ଦ ପାଳନକାରୀମାନେ ରାସ୍ତା ଅବରୋଧ କରିବା ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଟ୍ରେନ୍ ବନ୍ଦ କରିବାର ଆଶଙ୍କା ରହିଛି। ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିକ୍ଷା ଅନୁଷ୍ଠାନ ସାମ୍ନାରେ ସେମାନେ ପିକେଟିଂ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇନ୍‌ ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୯ଟା ୩୦ ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ପହଞ୍ଚିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, କୌଣସି ପ୍ରକାର ବିଶୃଙ୍ଖଳାକାରୀଙ୍କୁ ପ୍ରୋତ୍ସାହନ ଦିଆଯିବ ନାହିଁ। ବିଶେଷ କରି ମାଟ୍ରିକ୍ ପରୀକ୍ଷା ସହ ସଂପୃକ୍ତ କୌଣସି ଗାଡ଼ିକୁ ଯେପରି ରାସ୍ତା ମଝିରେ ଅଟକା ନ ଯାଏ, ସେଥି ପ୍ରତି ପୁଲିସ୍ ଦୃଷ୍ଟି ରଖିବ। ଏହା ବାଦ୍ ରୋଗୀ, ଶିଶୁ, ମହିଳାମାନଙ୍କ ଯାତାୟରେ ଅସୁବିଧା ସୃଷ୍ଟି କରାଗଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ‌ବନ୍ଦ ବେଳେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ।

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବନ୍ଦରେ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି। ସଂଘର ମୁଖପାତ୍ର କହିଛନ୍ତି, ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇ ନାହିଁ। ତେବେ ବସ୍ ଚଳାଚଳ ବେଳେ ସରକାର ଆବଶ୍ୟକ ସୁରକ୍ଷା ଦେବାକୁ କୁହାଯାଇଛି।

ଓଡ଼ିଶା‌ ବନ୍ଦ ସମ୍ପର୍କରେ ସୂଚନା ଦେଇ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମାଟ୍ରିକ୍ ପରୀକ୍ଷାକୁ ଆଳ କରି ରାଜ୍ୟ ସରକାର ନବନିର୍ମାଣ କୃଷକ ସଂଗଠନର ବନ୍ଦକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଆସନ୍ତାକାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବନ୍ଦ ଆହ୍ବାନ କରାଯାଇଛି। ଏହାପରେ ପ୍ରଶ୍ନପତ୍ର ନୋଡାଲ କାର୍ଯ୍ୟାଳୟକୁ ଯିବାରେ କୌଣସି ସମସ୍ୟା ହେବ ନାହିଁ। ପରୀକ୍ଷା କେନ୍ଦ୍ରରେ ୨୨ ତାରିଖ ସକାଳେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ରାଜ୍ୟ ସରକାର କହିଛନ୍ତି। ମାତ୍ର ଏହାକୁ ଆଳ କରି ବନ୍ଦକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ପ୍ରଶ୍ନପତ୍ର ଗାଡ଼ି, ଛାତ୍ରଛାତ୍ରୀ, ଆମ୍ବୁଲାନ୍‌ସ ଓ ଅଗ୍ନିଶମ ଗାଡ଼ିକୁ ଆନ୍ଦୋଳନରୁ ବାଦ୍ ଦିଆଯିବ। ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ରାଜ୍ୟ ସରକାର ଚାହିଁଲେ ଛତିଶଗଡ଼ ସରକାରଙ୍କ ଭଳି ବୋନସ୍ ଦେଇପାରିବେ। ‘କାଳିଆ’ ଯୋଜନା ଦ୍ବାରା ଚାଷୀଙ୍କ ପ୍ରକୃତ ସମସ୍ୟାର ସମାଧାନ ହେବ ନାହିଁ।

ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନବ ନିର୍ମାଣ କୃଷକ ସଂଗଠନ ନେତୃତ୍ବରେ ଚାଷୀମାନେ ନିଜର ହକ୍ ପାଇଁ ଭୁବନେଶ୍ବର ଆସୁଥିଲା ବେଳେ ରାଜ୍ୟ ସରକାର ସେମାନଙ୍କୁ ଅଗଣତାନ୍ତ୍ରିକ ଭାବେ ବାରମ୍ବାର ଭୁବନେଶ୍ବରରେ ପଶିବାକୁ ବାରଣ କରି ଆସିଛନ୍ତି। ଚ‌ାଷୀମାନଙ୍କ ଗଣତାନ୍ତ୍ରିକ ଦାବି ପ୍ରତି ବିଜେପିର ସମର୍ଥନ ସବୁବେଳେ ଥିଲା ଓ ରହିଛି।

ପ୍ରଦେଶ କିଷାନ୍ କଂଗ୍ରେସର ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି, ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସ ଆରମ୍ଭରୁ ସମର୍ଥନ କରିବା‌ ସହ ସାମିଲ ହୋଇଆସୁଛି। ଆସନ୍ତାକାଲିର ଓଡ଼ିଶା ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି।

ସମ୍ବନ୍ଧିତ ଖବର