ଦାବି ମାନିନେଲେ ସରକାର, ଆନ୍ଦୋଳନରୁ ଓହରିଲେ ଓଡ଼ିଶା କୃଷକ ସାଥୀ

ଭୁବନେଶ୍ୱର : ଓଡ଼ିଶା କୃଷକ ସାଥୀ ସଂଘର ଦାବି ମାନି ନେଇଛନ୍ତି ସରକାର। ଫଳରେ ଦୀର୍ଘ ୧୪ ଦିନ ଧରି ଚଳାଇଥିବା ଆନ୍ଦୋଳନରୁ ଆଜି ସଂଘ ଓହରି ଯାଇଛି। କୃଷି ନିର୍ଦ୍ଦେଶକ ଏମ୍‌. ମୁଥୁ କୁମାର ଓ କୃଷକ ସାଥୀ ସଂଘର ପ୍ରତିନିଧି ଦଳ ମଧ୍ୟରେ ଆଜି ଆଲୋଚନା ହେବା ପରେ ସରକାର ସେମାନଙ୍କ ଦାବି ମାନି ନେଇଛନ୍ତି। ସୂଚନାଯୋଗ୍ୟ, କୃଷି କର୍ମଚାରୀ ଭାବେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ମଜୁରୀ ପ୍ରଦାନ, ପି.ଏଫ୍‌ ଓ ଇଏସ୍‌ଆଇ ବୀମା ଅନ୍ତର୍ଭୁକ୍ତ କରିବା, କୃଷି ବିଭାଗରେ ଦୀର୍ଘକାଳୀନ ତାଲିମ ପ୍ରଦାନ କରାଇବା, ସାଇକେଲ୍‌, ମୋବାଇଲ୍‌, ଜିପିଏସ୍‌ କ୍ୟାମେରା ଯୋଗେଇ ଦେବା, ସାମାଜିକ ସୁରକ୍ଷା ଯୋଗେଇ ଦେବା ଆଦି ଦାବି ନେଇ ଓଡ଼ିଶା କୃଷକ ସାଥୀ ସଂଘ ଚଳିତ ମାସ ୭ ତାରିଖରୁ ଲୋୟର ପିଏମ୍‌ଜିଠାରେ ଆନ୍ଦୋଳନ ଚଳାଇ ଆସିଥିଲେ। ଦାବି ପୂରଣ ନ ହେଲେ କିଛି କୃଷକ ସାଥୀ ଆଜି ଆତ୍ମାହୂତି ଦେବାକୁ ଧମକ ଦେଇଥିଲେ। ତେବେ ସରକାର ଦାବିଗୁଡ଼ିକ ମାନି ନେଇଥିବାରୁ ସଂଘର ସଭାପତି ଅମୂଲ୍ୟ କୁମାର କର, ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ସାହୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର