ବାବୁ ଶୁଣୁନାହାନ୍ତି ବିଧାୟକ, ସାଂସଦଙ୍କ କଥା!

ଭୁବନେଶ୍ୱର : ବିଧାୟକ, ସାଂସଦ ବା ମନ୍ତ୍ରୀଙ୍କୁ ଖାତିର୍‌ କରୁନାହାନ୍ତି ବାବୁ। ସ୍ଥିତି ଏମିତି ଯେ ଲୋକ ପ୍ରତିନିଧିମାନେ ସରକାରଙ୍କୁ ବିଭିନ୍ନ ସମୟରେ ଯେଉଁ ଚିଠି ଲେଖୁଛନ୍ତି, ତା’ ଉପରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା, ପ୍ରାପ୍ତି ସ୍ୱୀକାର ସଂପର୍କରେ ମଧ୍ୟ ଅବଗତ କରାଉନାହାନ୍ତି। ରାଜ୍ୟରେ ବୁକ୍‌ ସର୍କୁଲାର-୪୭ର ଏଭଳି ଖୋଲା ଉଲ୍ଲଂଘନ ଚାଲିିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ବିଭିନ୍ନ ବିଭାଗର ଏଭଳି କାର୍ଯ୍ୟଧାରା ଏବେ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ହେଲାଣି। ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ସଚିବମାନଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଂସଦୀୟ ବ୍ୟାପାର ବିଭାଗ ତଥ୍ୟ ସୂଚାଉଛି ଯେ ରାଜ୍ୟର ଅଧାରୁ ଅଧିକ ବିଭାଗ ଗତ ତିନିମାସ ଧରି ସେମାନଙ୍କ ମାସିକ ଅଗ୍ରଗତି ରିପୋର୍ଟ ପ୍ରଦାନ କରୁନାହାନ୍ତି। ଫଳରେ ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟଶାସନ ସଚିବ ଓ ବିଧାନସଭା ଏଥିକ୍ସ କମିଟିକୁ ଏ ସଂକ୍ରାନ୍ତ ବିସ୍ତତ ରିପୋର୍ଟ ଦିଆଯାଇପାରୁନାହିଁ।

ଉଲ୍ଲେଖଯୋଗ୍ୟ, ରାଜନୈତିକ ନେତା, ବିଧାୟକ, ମନ୍ତ୍ରୀ ବା ସାଂସଦଙ୍କ ଅପେକ୍ଷା ରାଜ୍ୟରେ ସରକାରୀ ବାବୁମାନଙ୍କ ବିରୋଧରେ ଜନମତ ତେଜିବାରେ ଲାଗିଛି।  ତାର କାରଣ ହେଉଛି, ବାବୁମାନେ କାହାକୁ ମାନୁନଥିବା ନେଇ ଖୋଦ୍‌ ସରକାରୀ ଦଳର ନେତା, ମନ୍ତ୍ରୀ ବାରମ୍ବାର ଗଣମାଧ୍ୟମ ସାମ୍ନାରେ କହୁଛନ୍ତି। ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସେମାନଙ୍କ କାର୍ଯ୍ୟରେ ବାବୁମାନେ ଦଖଲ ଦେଉଛନ୍ତି। ଏକଦା ବିଧାନସଭାରେ ତତ୍କାଳୀନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କର ଅସହାୟତା ପ୍ରକଟ କରିଥିଲେ।

ପୂର୍ବରୁ ଏକାଧିକ ମନ୍ତ୍ରୀ, ବିଧାୟକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିଧାନସଭାରେ ସେମାନଙ୍କୁ କିଭଳି ଅବହେଳା କରାଯାଉଛି, ସେ ସଂକ୍ରାନ୍ତ ତଥ୍ୟ ରଖି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୁକ୍‌ ସର୍କୁଲାର ୪୭କୁ କଡାକଡି ଭାବେ କାର୍ଯ୍ୟ କରିବା ଲାଗି ବାଚସ୍ପତି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଥିବା ଏଥିକ୍ସ କମିଟି ମଧ୍ୟ ଏହାକୁ ତଦାରଖ କରୁଛି।

ବୁକ୍‌ ସର୍କୁଲାର ୪୭ ସଂପର୍କରେ ୨୦୦୨ ମସିହା ଜୁଲାଇରେ ଏକ ନିର୍ଦେଶନାମା ଜାରି କରାଯାଇଥିଲା। ମାତ୍ର ୨୦୦୫ ମସିହାରେ ବର୍ତମାନର ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅର୍ଥାତ୍‌ ସେ ସମୟରେ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ତୁହିନ୍‌ କାନ୍ତ ପାଣ୍ଡେ ଏ କ୍ଷେତ୍ରକୁ ଆଉ ଟିକିଏ ବ୍ୟାପକ କରି ଏକ ନିର୍ଦେଶନାମା ଜାରି କରିଥିଲେ। ଏଥିରେ ଲୋକପ୍ରତିନିଧିଙ୍କୁ ସରକାରୀ ବାବୁମାନେ କିଭଳି ଅଗ୍ରାଧିକାର ଦେବା ଉଚିତ୍‌ ସେ ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ନିୟମ ଅନୁସାରେ, ବିଧାୟକ, ସାଂସଦମାନେ ଯେତେବେଳେ ସରକାରଙ୍କ ବିଭିନ୍ନ ବିଭାଗ ବା ଅଧିକାରୀଙ୍କୁ କୌଣସି କାର୍ଯ୍ୟ ପାଇଁ ଚିଠି ଲେଖନ୍ତି, ତାଙ୍କୁ ସଂପୃକ୍ତ ଅଧିକାରୀ ତୁରନ୍ତ ପ୍ରାପ୍ତି ସ୍ୱୀକାର ପତ୍ର ଦେବା କଥା। ସେହି ଚିଠି ଉପରେ ନିର୍ଦିଷ୍ଟ କି ପଦକ୍ଷେପ ନିଆଯାଉଛି, ସେ ସଂକ୍ରାନ୍ତରେ ୧୫ ଦିନ ମଧ୍ୟରେ ଜଣାଇବା (ଅନ୍ତରୀଣ) ଲାଗି ବ୍ୟବସ୍ଥା ରହିଛି। ପୂର୍ଣ୍ଣାଙ୍ଗ ପଦକ୍ଷେପ ନିଆଯିବା ପରେ ସଂପୃକ୍ତ ଲୋକ ପ୍ରତିନିଧିଙ୍କୁ ଆଉ ଏକ ରିପୋର୍ଟ ଦେବା କଥା। ଯେଉଁ ସରକାରୀ ଅଧିକାରୀ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ମଧ୍ୟ ରହିଛି।

ନିକଟରେ ସଂସଦୀୟ ବ୍ୟାପାର ବିଭାଗ ଯେଉଁ ତଥ୍ୟ ରଖିଛି, ସେଥିରୁ ଜଣାପଡୁଛି ଯେ ସମବାୟ, ସଂସ୍କୃତି, ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଆଇନ, ଇସ୍ପାତ ଓ ଖଣି, ପୂର୍ତ୍ତ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗ ପ୍ରମୁଖ ଏ ସଂକ୍ରାନ୍ତ ମାସିକ ଅଗ୍ରଗତି ରିପୋର୍ଟ ଦେଉନାହାନ୍ତି। ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲ ମାସ ରିପୋର୍ଟ ଏଭଳି ସୂଚାଇଛି। କେବଳ ସେତିକି ନୁହେଁ, ବାବୁମାନେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦେଶନାମାକୁ କିଭଳି ଫାଙ୍କୁଛନ୍ତି, ତାହା ମଧ୍ୟ ପଦାକୁ ଆସିଛି। ଫେବ୍ରୁଆରି ମାସରେ ୧୯ଟି ବିଭାଗ ସେମାନଙ୍କ ଅଗ୍ରଗତି ରିପୋର୍ଟ ପ୍ରଦାନ କରିଥିଲେ। ମାର୍ଚ୍ଚରେ ଖିଲାପୀ ବିଭାଗ ସଂଖ୍ୟା ୨୩କୁ ବଢିଥିଲା ଓ ଏପ୍ରିଲରେ ଏହା ୨୮କୁ ଛୁଇଁଥିଲା।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବୁକ୍‌ ସର୍କୁଲାର ୪୭କୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ନିୟମିତ ବ୍ୟବଧାନରେ ଏଥିକ୍ସ କମିଟି, ମୁଖ୍ୟଶାସନ ସଚିବ ପ୍ରମୁଖ ସମୀକ୍ଷା କରୁଛନ୍ତି। ହେଲେ ଏ କ୍ଷେତ୍ରରେ ବଡ଼ ସମସ୍ୟାଟି ହେଲା, ବିଭାଗମାନେ ପ୍ରସଙ୍ଗଟିକୁ ଯେତିକି ଗୁରୁତ୍ୱ ଦେବା କଥା ଦେଉନାହାନ୍ତି। ବାରମ୍ବାର ତାଗିଦ୍‌ କରିବା ପରେ ବି ସ୍ଥିତିରେ ଆଖିଦୃଶିଆ ଉନ୍ନତି ଘଟୁନାହିଁ।

ଏ କ୍ଷେତ୍ରରେ ବାବୁମାନେ ସାମ୍ନା କରୁଥିବା ସମସ୍ୟା ସଂପର୍କରେ ମଧ୍ୟ ସଂସଦୀୟ ବ୍ୟାପାର ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କହିଛନ୍ତି, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ କେବଳ ସଚିବଙ୍କୁ ଯଦି ପତ୍ର ଦିଅନ୍ତେ, ତେବେ ଏହାର ସ୍ଥିତି କଣ ରହିଛି, ନିର୍ଦିଷ୍ଟ କି ପଦକ୍ଷେପ ନିଆଗଲା ତାହା ତୁରନ୍ତ ଜଣାପଡିଯାନ୍ତା। ହେଲେ ସେମାନଙ୍କର ସିଂହଭାଗ ଚିଠି ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ଦିଆଯାଉଛି। ଏଣୁ ବିଭାଗର ସଚିବମାନେ ମଧ୍ୟ ଏସବୁ ଚିଠି ଉପରେ ଠୋସ୍‌ କି ପଦକ୍ଷେପ ନିଆଗଲା, ଜାଣିବା କଷ୍ଟସାଧ୍ୟ ହେଉଛି ଓ କମିଟି ସାମ୍ନାରେ ଅକଳରେ ପଡୁଛନ୍ତି। ସଂପୃକ୍ତ ଚିଠିର ଏକ ନକଲ ବିଭାଗୀୟ ସଚିବ ବା ସଂସଦୀୟ ବ୍ୟାପାର ବିଭାଗକୁ ଦିଆଗଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଇପାରିଥାନ୍ତା। କେବଳ ସେତିକି ନୁହେଁ, କିଛି ଖିଲାପୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର