ମାଗଣା କିରାସିନି ପାଇଁ ଅଏଲ୍‌ ଇଣ୍ଡିଆ ଦେଲା ୩.୨୦ କୋଟି

ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳର ପରିବାରଙ୍କୁ କିରାସିନି ଦେବା ପାଇଁ ମାଗଣାରେ ୧ ହଜାର କିଲୋଲିଟର କିରାସିନି ଦେବାକୁ ତିନି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କେନ୍ଦ୍ର ମନ୍ତ୍ରୀ ଏହି ଅନୁରୋଧକୁ ରକ୍ଷା କରି ୧ ହଜାର କିଲୋଲିଟର କିରାସିନି ଯୋଗାଇବା ପାଇଁ ଅର୍ଥ ବ୍ୟବସ୍ଥା କରିଛନ୍ତି। ତାଙ୍କ ମନ୍ତ୍ରଣାଳୟ ଅଧୀନରେ ଥିବା ଅଏଲ୍‌ ଇଣ୍ଡିଆ ଏହି କିରାସିନି ବାବଦର ଅର୍ଥ ୩.୨୦ କୋଟି ଟଙ୍କା ଆଜି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି। ଏହି ସହାୟତା ଯୋଗାଇ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇ ଧନ୍ୟବାଦ ଦିଆଯାଇଛି।

ଏ ନେଇ ଆଜି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ‌ଲେଖି ଦର୍ଶାଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ୧ ହଜାର କିଲୋଲିଟର କିରାସିନି ବାତ୍ୟା ପ୍ରଭାବିତଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ। ଏହି କିରାସିନିର ମୂଲ୍ୟ ୩.୨୦ କୋଟି ଟଙ୍କା ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବ। ଏହା ସହ ଆଉ ଅତିରିକ୍ତ ୧ ହଜାର କିଲୋଲିଟର କିରାସିନି ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଇଛି। ବାତ୍ୟା ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ୍‌ ଓ ଏଲ୍‌ପିଜି ଉପଲବ୍ଧ କରାଯାଇଛି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଓ ଏହା ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ବାତ୍ୟା ପ୍ରଭାବିତ ଓଡ଼ିଶାରେ ରିଲିଫ୍ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଚିଠି ଲେଖିବାର କିଛି ଘଣ୍ଟା ପରେ ଅଏଲ୍‌ ଇଣ୍ଡିଆର ମହାପ୍ରବନ୍ଧକ ରାଜୀବ ସିଂଘଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସ୍ବତନ୍ତ୍ର ରିଲିଫ୍ କମିସନର୍‌ ବିଷ୍ଣୁପଦ ସେଠୀଙ୍କୁ ଭେଟି ୩.୨୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର