ଭୁବନେଶ୍ୱର: ଡିସେମ୍ବର ୧୫ରୁ ଆରମ୍ଭ ହେବ ତୋଷାଳୀ ଜାତୀୟ କ୍ରାଫ୍ଟସ୍ ମେଳା। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ୨୫ଟି ରାଜ୍ୟର ୪୦୦ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ ଆୟୁକ୍ତ ଏବଂ ହସ୍ତତନ୍ତ ଉନ୍ନୟନ ଆୟୁକ୍ତଙ୍କ ଦ୍ୱାରା ୧୦୦ ଜଣ ହସ୍ତଶିଳ୍ପୀ ଓ ୫୦ ଜଣ ବୁଣାକାର, ଓଡ଼ିଶାରୁ ୨୦୦ ବୁଣାକାର ଓ କାରିଗର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ ‘ପ୍ରକୃତି’ ଥିମ୍ ଆଧାରରେ ପ୍ୟାଭିଲିୟନ ଓ ମେଳା ପରିସରକୁ ସାଜସଜ୍ଜା କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି। ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଲେ, ଦେଶର ପ୍ରତ୍ୟେକ ରାଜ୍ୟ ନିଜ ନିଜ ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଲାଗି ପ୍ରସିଦ୍ଧ। ସବୁ ରାଜ୍ୟର ଉତ୍ପାଦିତ ସାମଗ୍ରୀ ଗୋଟିଏ ଜାଗାରେ ଉପଲବ୍ଧ କରାଇବା ସହ କାରିଗର ଓ ବୁଣାକାରଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇପାରିବ। ସବୁ ବର୍ଗର ଗ୍ରାହକଙ୍କ ଚାହିଦା ଓ ସମ୍ବଳ ଅନୁଯାୟୀ ସାମଗ୍ରୀ ଉପଲବ୍ଧ କରାଯିବ। ଏଥର ମେଳାର ଆୟୋଜନ ଲାଗି ୨ କୋଟି ୯୧ ଲକ୍ଷ ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତଙ୍କ ପକ୍ଷରୁ ୧୮ ଲକ୍ଷ ଏବଂ କେନ୍ଦ୍ର ହସ୍ତତନ୍ତ ଆୟୁକ୍ତଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। ୨୦୧୬ରେ ୧୫ କୋଟି ୬୦ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିଲା। ଏଥର ୨୦ କୋଟି ବେପାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଖୋଲିବାକୁ ଥିବା ୪୦୦ ଷ୍ଟଲ ମଧ୍ୟରୁ ୨୪୦ଟି ହସ୍ତଶିଳ୍ପ, ୧୧୦ଟି ହସ୍ତତନ୍ତ, ୩୦ଟି ଫୁଡ୍ ଷ୍ଟଲ ଏବଂ ୧୨ଟି ଶିକ୍ଷାନୁଷ୍ଠାନ ଷ୍ଟଲ ଖୋଲିବ। ଜାତୀୟ ହସ୍ତତନ୍ତ ବିକାଶ ନିଗମ, ବୟନ କମିଟି, ବୁଣାକାର ସେବା କେନ୍ଦ୍ର ଭାଗନେବେ। ସିଡାକ୍ ପକ୍ଷରୁ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପର ଲାଇଭ୍ ଡେମୋନ୍ଷ୍ଟ୍ରେସନ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା କହିଲେ, ୧୩ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପ୍ରତିଦିନ ଅପରାହ୍ଣ ୨ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଓଡ଼ିଶୀ ସମେତ ଲୋକନୃତ୍ୟ, ଡ୍ରାମା, ଫ୍ୟାସନ୍ ସୋ’ ଆଦି ପରିବେଷିତ ହେବ। ୨୪ ତାରିଖରେ ବଲିଉଡ୍ କଣ୍ଠଶିଳ୍ପୀ ଜାଭେଦ୍ ଅଲ୍ଲୀ ଓ ଗ୍ରୁପ୍ ଏବଂ ୨୫ ତାରିଖରେ ସାରିକା ସିଂ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ଯୋଗଦେବେ। ଗତବର୍ଷ ୧୬ ଲକ୍ଷ ଲୋକ ମେଳା ପରିଦର୍ଶନ କରିଥିଲେ। ଏଥର ୨୦ ଲକ୍ଷ ବୁଲିବେ ବୋଲି ଆଶା କରାଯାଉଛି। ୧୫ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ୨୦୧୬ ମସିହା ଲାଗି କୃତୀ ହସ୍ତଶିଳ୍ପ କାରିଗରଙ୍କୁ ଜୀବନବ୍ୟାପୀ କୃତି ପାଇଁ ପୁରସ୍କୃତ କରାଯିବ। ସାମ୍ବାଦିକ ସମ୍ମିଳନୀରେ ବୟନ ଶିଳ୍ପ ନିର୍ଦେଶକ ସୁଶାନ୍ତ କୁମାର ବାରିକ, ହସ୍ତଶିଳ୍ପ ବିଭାଗ ନିର୍ଦେଶକ ଶୀତିକାନ୍ତ ଷଡ଼ଙ୍ଗୀ, ବୟନିକାର ପରିଚାଳନା ନିର୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର, ଉପ ଶାସନ ସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।