ଶ୍ରୀକ୍ଷେତ୍ରରେ କାର୍ତିକ ପ୍ରସ୍ତୁତି ସମୀକ୍ଷା : ୨୫ରେ ମୁଖ୍ୟମନ୍ତ୍ରୀ କରିବେ ହବିଷ୍ୟାଳି କେନ୍ଦ୍ରର ଉଦ୍‌ଘାଟନ

ପୁରୀ : ଶ୍ରୀମନ୍ଦିରରେ କାର୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ଏବେଠୁ ବିଭିନ୍ନ ଜିଲ୍ଲାର ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ଭିଡ଼ ଲଗାଇଲେଣି। ଏ ପରିପ୍ରେକ୍ଷୀରେ ହବିଷ୍ୟାଳିଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା ପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେଇଛି। ଏଥିପାଇଁ ତିନିରୁ ଅଧିକ ଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ହବିଷ୍ୟାଳି କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିବେ। ଏଥିପାଇଁ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।

ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଇ ଦାମୋଦର ବ୍ରତ ନିମନ୍ତେ ହବିଷ୍ୟାଳିଙ୍କ ପାଇଁ ୪ଟି ସ୍ଥାନ ରେଳବାଇ କଲ୍ୟାଣ ମଣ୍ଡପ, ରେଳବାଇ ଯାତ୍ରୀନିବାସ, ମୋଚିସାହି ଛକସ୍ଥିତ ପୌର କଲ୍ୟାଣମଣ୍ଡପ ଓ ଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ରଠାରେ ରହିବା ବ୍ୟବସ୍ଥା କରାଯାଇଛି। ସେହିଭଳି ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୨୫ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରୁ ୧୮୦୦ ହବି‌ଷ୍ୟାଳି ନାମ ପଞ୍ଜୀକୃତ କରିଥିବାବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ସେହି ଅନୁଯାୟୀ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଭୂଅର୍ଜନ ସମ୍ମିନଳୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୌର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଉପଜିଲ୍ଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦେଶକ ବିଜୟ କୁମାର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ଡିଆଇବି ଡିଏସ୍‌ପି ଉମାକାନ୍ତ ମଲ୍ଲିକ, ସହକାରୀ ଜିଲ୍ଲାପାଳ ପ୍ରଶାନ୍ତ କୁମାର ଜେନା, ରେଡକ୍ରସ ଓ ବିଭିନ୍ନ ବିଭାଗର ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର