କ୍ୱାଲାଲମ୍ପୁର ଉଡ଼ାଣ ପାଇଁ ସବ୍ସିଡି ମିଳିଲା : ବିନା ଲିଖିତ ପ୍ରତିଶ୍ରୁତିରେ ଦେଇଦେଲେ, ପ୍ରତି ଉଡ଼ାଣ ପାଇଁ ସରକାର ଦେବେ ୯୭,୫୦୦ଟଙ୍କା
ଭୁବନେଶ୍ୱର : ଭୁବନେଶ୍ୱରରୁ କ୍ୱାଲାଲମ୍ପୁର ଉଡ଼ାଣ ପାଇଁ ଏୟାର ଏସିଆ ଏଣିକି ପ୍ରତି ଉଡ଼ାଣ ପିଛା ୯୭,୫୦୦ଟଙ୍କା ନେବ। ବର୍ଷକ ପାଇଁ ଏହି ସବ୍ସିଡି ଦିଆଯିବ। ଏହାକୁ ପିଛିଲା ଭାବେ ଗତ ଏପ୍ରିଲ ୨୬ରୁ ଲାଗୁ କରାଯିବ। କିନ୍ତୁ ଏହା ପ୍ରତିବଦଳରେ ଏୟାର ଏସିଆ ବ୍ୟାଙ୍କକ୍ କି କଲୋମ୍ବୋକୁ ବିମାନ ସେବା ଆରମ୍ଭ କରିବ ବୋଲି ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇନି।
Sambad is now on WhatsApp
Join and get latest news updates delivered to you via WhatsApp
ସବ୍ସିଡି ପୁଣି ଦେବା ପାଇଁ ରାଜ୍ୟ ସରକାର ସର୍ତ୍ତ ରଖିଥିଲେ ଯେ, ଏୟାର ଏସିଆ ଯଦି ବ୍ୟାଙ୍କକ୍ କିମ୍ବା କଲୋମ୍ବୋକୁ ବିମାନ ଉଡ଼ାଣ କରିବାକୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବ ତେବେ ବର୍ଷକ ପାଇଁ ସବ୍ସିଡି ଦିଆଯିବ। ଏୟାର ନିଷ୍ପତ୍ତି ନେବାରେ ବିଳମ୍ବ କରିବାରୁ ସରକାର ବି ପ୍ରାୟ ଦେଢ ମାସ ଗଡ଼ାଇଦେଲେ। କିନ୍ତୁ ଶେଷରେ ଏୟାର ଏସିଆ ଆଗରେ ପୂର୍ବଭଳି ସର୍ତ୍ତ ରଖି ସବ୍ସିଡି ଦେଇଦେଲେ। କିପରି ନିଜ ସର୍ତ୍ତରୁ ସରକାର ଓହରିଗଲେ ଏବଂ ଅନ୍ତର୍ଜାତୀୟ ବିମାନ ସେବା ସମ୍ପ୍ରସାରଣ କରିବାର ପର୍ଯ୍ୟାପ୍ତ ସୁଯୋଗ ଥିଲେ ବି ସରକାର ଏହାର ସଦୁପଯୋଗ କରିଲେନି ତାହା ସମସ୍ତଙ୍କୁ ଚକିତ କରିଛି।
ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୬,୨୦୧୭ରୁ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ସପ୍ତାହକୁ ଚାରିଦିନ ବିମାନ ସେବା ଆରମ୍ଭ କରିଥିବା ଏୟାର ଏସିଆ ରାଜ୍ୟ ସରକାରଙ୍କ ଠାରୁ ପ୍ରତି ଉଡ଼ାଣ ପିଛା ୧ଲକ୍ଷ ୭୦ହଜାର ଟଙ୍କା ସବ୍ସିଡି ପାଉଥିଲା। ଯାତ୍ରୀ ସଂଖ୍ୟା ଆଶାତିତ ବୃଦ୍ଧି ପାଇବାରୁ ଏୟାର ଏସିଆ ନଭେମ୍ବର ୨୬ରୁ ସପ୍ତାହକୁ ୭ଦିନ ବିମାନ ସେବା ଆରମ୍ଭ କରିଥିଲା। ଏପରିକି ଏହି ବର୍ଷକରେ ରାଜ୍ୟ ସରକାର ସପ୍ତାହକୁ ୪ଦିନ ହିସାବରେ ପ୍ରାୟ ୬କୋଟି ଟଙ୍କା ସବ୍ସିଡି ଦେଇଥିଲେ। କିନ୍ତୁ ସବ୍ସିଡି ଅବଧି ସରିବା ପରେ ଏୟାର ଏସିଆ ସପ୍ତାହକୁ ୭ଦିନ ଉଡ଼ାଣ ପାଇଁ ପ୍ରତିଶ୍ରୁତି ମାଗିଥିଲା। ରାଜ୍ୟ ସରକାର ପ୍ରଥମେ ଆଉ ସବ୍ସିଡି ଦେଇପାରିବେନି ବୋଲି କହିଥିଲେ। ଏପରିକି ସବ୍ସିଡି ଦେଲେ କଲୋମ୍ବୋ କି ବ୍ୟାଙ୍କକ୍କୁ ବିମାନ ସେବା ଆରମ୍ଭ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ କହିଥିଲେ। ଏଥିରେ ଏୟାର ଏସିଆ କର୍ତ୍ତୃପକ୍ଷ ରାଜି ହୋଇ ଯାଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ କହିଥିଲେ ଯେ, ଏୟାର ଏସିଆର ବିଭିନ୍ନ କମ୍ପାନି ଦ୍ୱାରା ବ୍ୟାଙ୍କକ୍ ଏବଂ କଲୋମ୍ବୋକୁ ବିମାନ ଉଡ଼ାଣ ହେଉଥିବାରୁ ଆମେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇପାରିବୁନି। ଏହା ଶୁଣିବା ପରେ ରାଜ୍ୟ ସରକାର ପ୍ରାୟ ୧୩ ଦିନ ଫାଇଲ୍ ଚାପିକି ରଖିଲେ। କିନ୍ତୁ ଶେଷରେ କେବଳ ଚୁକ୍ତି ପତ୍ରରେ ସର୍ତ୍ତ ରଖି ସବ୍ସିଡି ଦେଇଦେଲେ। ସର୍ତ୍ତ ରହିଛି ଯେ, ଯଦି କଲୋମ୍ବୋ କି ବ୍ୟାଙ୍କକ୍କୁ ଉଡ଼ାଣ ନହୁଏ ତେବେ ସବ୍ସିଡି ବନ୍ଦ ହେବ। କିନ୍ତୁ କେତେ ଦିନ ପରେ ସରକାର ଏହାର ପୁନଃ ସମୀକ୍ଷା କରିବେ ସେନେଇ କିଛି ଉଲ୍ଲେଖ କରାଯାଇନି। କଲୋମ୍ବୋ, ବ୍ୟାଙ୍କକ୍ ବିମାନ ସେବା ଏବେ ଏୟାର ଏସିଆ ଉପରେ ନିର୍ଭର କରୁଛି। ଏନେଇ ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଏୟାର ଏସିଆ ମୌଖିକ ଭାବେ ବ୍ୟାଙ୍କକ୍ କିମ୍ବା କଲୋମ୍ବୋକୁ ବିମାନ ଉଡ଼ାଣ କରିବାକୁ ପ୍ରତିଶ୍ରୁତି ଦେଇଛି। ୬ ମାସ ମଧ୍ୟରେ ଏହି ବିମାନ ସେବା ଆରମ୍ଭ ହେବ। ତେଣୁ ସରକାର ସବ୍ସିଡି ଦେଇଛନ୍ତି। ଯଦି ଏୟାର ଏସିଆ ବିମାନ ସେବା ଆରମ୍ଭ ନ କରିବ ତେବେ ସବ୍ସିଡି ବନ୍ଦ କରିଦିଆଯିବ।