ସ୍କୁଲକୁ ଫେରିବେ ଗୁରୁ, ଅକ୍ଟୋବର ୯ରେ ଭୁବନେଶ୍ୱରରେ ହେବ ବିଶାଳ ଶିକ୍ଷକ ସମାବେଶ

ଦାବି ପୂରଣ ନହେଲେ ନିର୍ବାଚନରେ ସହଯୋଗ ନକରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ଦାବିରେ ଶିକ୍ଷକଙ୍କ ମିଳିତ ଆନ୍ଦୋଳନ ଏକ ଭିନ୍ନ ଶୈଳୀରେ ଆରମ୍ଭ ହେବ। ଏପର୍ଯ୍ୟନ୍ତ ହୋଇ ଆସୁଥିବା ଆନ୍ଦୋଳନ ପନ୍ଥାରେ ପରିବର୍ତ୍ତନ ଆଣି ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ଅନ୍ଦୋଳନ କୋହଳ କରିଛି। ଶିକ୍ଷକମାନେ ସ୍କୁଲକୁ ଫେରିବେ, ପାଠ ପଢ଼ାଇବେ ସତ କିନ୍ତୁ ଏକ ଅଶାନ୍ତି ମନୋଭାବ ନେଇ ସେମାନେ ପିଲାମାନଙ୍କୁ ଶିକ୍ଷାଦାନ କରିବେ। ଆଗାମୀ ୨୪ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତ୍ତି ନେଇଛି ଶିକ୍ଷକ ସଂଘ।

ଶିକ୍ଷକ ସଂଘ କଳାବ୍ୟାଜ୍‌ ପିନ୍ଧି ସ୍କୁଲରେ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛି। ସେମାନେ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରଖିବେ। ଦୈନିକ ୨ଟି ଜିଲ୍ଲାର ଶିକ୍ଷକ ଆସି ଆନ୍ଦୋଳନ ଜାରି ରଖିବେ। ସେହିପରି ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ ହେବ। ସରକାର ଦାବି ନମାନିଲେ ନିର୍ବାଚନ କାର୍ଯ୍ୟରେ ସହଯୋଗ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ଶିକ୍ଷକ ସଂଘ ୩ ଜଣ ମନ୍ତ୍ରୀଙ୍କ ସହ ଗୁରୁବାର ଆଲୋଚନା କରି ବିଫଳ ହୋଇଥିଲେ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକଙ୍କ ସମସ୍ୟା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିକ୍ଷକ ନେତାମାନଙ୍କର ବୈଠକ ବସିଥିଲା। ଦୀର୍ଘ ସମୟ ଧରି ଆଲୋଚନା ଚାଲିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲା।

ଅନ୍ୟ ପକ୍ଷରେ ପୁଲିସ ପକ୍ଷରୁ ଶିକ୍ଷକମାନଙ୍କୁ ଧାରଣାସ୍ଥଳ ଛାଡ଼ିବାକୁ ନିର୍ଦେଶ ଦିଅାଯାଇଥିବା ଜଣାପଡ଼ିଛି। ଏ ନେଇ ଶିକ୍ଷକମାନଙ୍କ ପାଖରେ ଅାବଶ୍ୟକ ଅନୁମତି ନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର