ଟ୍ରକ୍‌ ଧର୍ମଘଟରେ ସାମିଲ ନେଇ ଦ୍ୱନ୍ଦ୍ୱ

କଟକ : ଆସନ୍ତା ୯ ଓ ୧୦ ତାରିଖରେ ହେବାକୁ ଥିବା ଦୁଇଦିନିଆ ଟ୍ରକ୍‌ ଧର୍ମଘଟ ପ୍ରଭାବହୀନ ହେବା ନେଇ ଆଶଙ୍କା ଉପୁଜିିଛି। ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ ପକ୍ଷରୁ ଆହୂତ ଧର୍ମଘଟକୁ ରାଜ୍ୟର ଟ୍ରକ୍‌ ମାଲିକ ସଂଘ ନୈତିକ ସମର୍ଥନ କରୁଥିଲେ ମଧ୍ୟ ଟ୍ରକ୍‌ ଚଳାଚଳ ବନ୍ଦ ପାଇଁ କାହାରିକୁ ବାଧ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ଜିଏସ୍‌ଟିରେ ଅନିୟମିତତା, ଡିଜେଲ୍‌, ପେଟ୍ରୋଲ୍‌ ଦରବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଦୁଇଦିନିଆ ଟ୍ରକ୍‌ ଧର୍ମଘଟକୁ ବିଭିନ୍ନ ସଂଘ କେବଳ ନୈତିକ ସମର୍ଥନ କରିବେ ବୋଲି ଜଣାପଡ଼ିଛି। ଆଜି କଟକ ମହାନଦୀବିହାରସ୍ଥିତ ମହାସଂଘ କାର୍ଯ୍ୟାଳୟରେ ଧର୍ମଘଟ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କଟକ, ଅନୁଗୁଳ, ସମ୍ବଲପୁର, ତାଳଚେର ଆଦି ୧୨ଟି ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଧର୍ମଘଟକୁ ନେଇ ବିଭିନ୍ନ ସଂଘ ମଧ୍ୟରେ ମତପାର୍ଥକ୍ୟ କାରଣରୁ ଟ୍ରକ୍‌ ଚଳାଚଳା ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ଓଡ଼ିଶା ଟ୍ରକ୍‌ ମାଲିକ ସଂଘ ଆବାହକ ଶରତ ଚନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଆମେ ଟ୍ରକ୍‌ ଧର୍ମଘଟକୁ ନୈତିକ ସମର୍ଥନ ଜଣାଉଛି। କିନ୍ତୁ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନଥିବାରୁ ଆମେ କାହାରିକୁ ଟ୍ରକ୍‌ ଚଳାଚଳ ବନ୍ଦ କରିବାକୁ ବାଧ୍ୟ କରିପାରୁନୁ’’ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଜଗତପୁର ଟ୍ରକ୍‌ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ଜେନା କହିଛନ୍ତି, ‘ସଂଘ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହୋଇ ନଥିବାରୁ ଟ୍ରକ୍‌ ଚଳାଚଳ ଚାଲୁରହିବ।’

ସମ୍ବନ୍ଧିତ ଖବର