ଅପପୁଷ୍ଟିରେ ୨ ଶିଶୁ, ଚିକିତ୍ସା ପାଇଁ ଏନ୍‌ଆର୍‌ସିରେ ଭର୍ତ୍ତି

ଚଣ୍ଡିଖୋଲ୍‌/ବ୍ୟାସନଗର : ଯାଜପୁରର ବଡ଼ଚଣାରେ ନଗଡ଼ାର ପ୍ରତିଛବି। ଏଠି ବି ଅପପୁଷ୍ଟିର ଶିକାର ହେଉଛନ୍ତି ଆଦିବାସୀ ପିଲା। ଗୋଟିଏ ପରିବାରର ୨ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ଏହି ୨ ଶିଶୁଙ୍କୁ ଆଜି ଯାଜପୁରରୋଡ ଏନ୍‌ଆର୍‌ସି (ପୁଷ୍ଟି ସାଧନ କେନ୍ଦ୍ର)ରେ ଭର୍ତ୍ତି କରାଯାଇଛି। ଡାକ୍ତର ସିଧାସଳଖ ଅପପୁଷ୍ଟି ବୋଲି କହିନଥିଲେ ମଧ୍ୟ ଖାଦ୍ୟାଭାବ ଜନିତ କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏପରି ହୋଇଥିବା କହିଛନ୍ତି।

ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା ସମିଆଁ ପଞ୍ଚାୟତର ବଡ଼ଶିଳା କୁଣ୍ଡବାଙ୍କ ଆଦିବାସୀ ବସ୍ତି। ଏହି ପଞ୍ଚାୟତ ୬ ନମ୍ବର ୱାର୍ଡରେ ଝୁମ୍ପୁରି ଘର କରି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଦୀର୍ଘଦିନ ହେଲା ୧୦ରୁ ୧୨ଟି ଆଦିବାସୀ ପରିବାର ରହିଆସୁଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ସୁନାରାମ ତିରିଆ, ତାଙ୍କ ପତ୍ନୀ ପାରା ତିରିଆ। ମୂଲ ଲାଗିବା ସହ ହାଣ୍ଡିଆ ବିକ୍ରି କରି ସେମାନେ ପରିବାର ଚଳାଇଥା’ନ୍ତି। ଯେଉଁ ଦିନ ମୂଲ ନାହିଁ କି ହାଣ୍ଡିଆ ବିକ୍ରି ନାହିଁ ସେଦିନ ପୂରା ପରିବାର ଉପାସ। ସୁନାରାମ୍‌ ଓ ପାରା ତିରିଆଙ୍କର ୭ଟି ପିଲା। ଗୋଟିଏ ପୁଅ ୬ ଝିଅ। ଖାଦ୍ୟାଭାବରୁ ଏହି ପିଲାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨ ଜଣ ଅପପୁଷ୍ଟିର ଶିକାର ହୋଇଛନ୍ତି। ଦୁଇ ଶିଶୁ ହେଲେ ସବା ସାନ କୁନି (୧୭ ମାସ) ଓ ତା’ ଉପର ଭଉଣୀ ଶ୍ରାବଣୀ (୩ ବର୍ଷ)। ଦୁହିଁଙ୍କୁ ଆଜି ଚିକିତ୍ସା ପାଇଁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁରରୋଡ଼ସ୍ଥିତ ଏନ୍‌ଆର୍‌ସି (ପୁଷ୍ଟି ସାଧନ କେନ୍ଦ୍ର)କୁ ପଠାଇ ଦିଆଯାଇଛି।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ନିମାଇଁ ନାୟକ ଏହାକୁ ଅପପୁଷ୍ଟି ଭଳି ସିଧାସଳଖ କହିନଥିଲେ ମଧ୍ୟ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏପରି ହେବା ପଛରେ ଖାଦ୍ୟାଭାବ ମୁଖ୍ୟ କାରଣ ବୋଲି କହିଛନ୍ତି। ଚିକିତ୍ସାଧିକାରୀ ଶ୍ରୀ ନାୟକ କହିଛନ୍ତି ଯେ, ‘ ଆଦିବାସୀ ଦମ୍ପତିଙ୍କ ୭ ଟି ପିଲା ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ସବା ସାନ ଦୁଇ ଶିଶୁ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛନ୍ତି।’ ‘ ଖାଦ୍ୟାଭାବ ଏହାର ମୁଖ୍ୟକାରଣ। ଦୁଇ ଶିଶୁଙ୍କୁ ଏନ୍‌ଆର୍‌ସିକୁ ପଠାଇ ଦିଆଯାଇଛି,’ ବୋଲି ଡାକ୍ତର ନାୟକ କହିଛନ୍ତି।

ଏନ୍‌ଆର୍‌ସିର ଶିଶୁ ବିଶେଷଜ୍ଞ ପବିତ୍ର ପତି କହିଛନ୍ତି ଯେ, ଏହି ଦୁଇ ଶିଶୁଙ୍କର ରକ୍ତଜନିତ ସମସ୍ୟା ରହିଛି। ଉଭୟଙ୍କୁ ଚିକିତ୍ସା କରାଯାଉଛି। ’‘ ଆବଶ୍ୟକ ହେଲେ ଦୁହିଁଙ୍କୁ କଟକ ଶିଶୁଭବନ ପଠାଇ ଦିଆଯିବ, ’ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ଦଳ ପକ୍ଷରୁ ତତ୍‌ପରତା ପ୍ରକାଶ ପାଇଛି। ବିଜେପି ନେତ୍ରୀ ସୀମନ୍ତିନୀ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଦିବାସୀ ବସ୍ତିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହୁଥିବା ଆଦିବାସୀଙ୍କ ଏହି ଅବସ୍ଥାକୁ ନେଇ ବୁଦ୍ଧିଜୀବୀମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନଗଡ଼ା, କୋରେଇ ପରେ ଏବେ ବଡ଼ଚଣାରେ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ତ୍ୱେ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ଏଥିସହିତ, ଆଦିବାସୀଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ନିବଦ୍ଧ କରିବା ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର