ସରକାର ମଦମୁକ୍ତ ଓଡ଼ିଶା ଚାହାଁନ୍ତି କି?

ମଞ୍ଜ କଥା - ଭବାନୀ ଶଙ୍କର ତ୍ରିପାଠୀ

ନିକଟରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଗୋଟିଏ ନିର୍ଦ୍ଦେଶନାମା ଜାରି କରି ସବୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଏ କଥାଟି ଜଣାଇଛନ୍ତି ଯେ ‘ଶୈବ ପୀଠରେ ପ୍ରସାଦ ବାହାନାରେ କେହି ଗଞ୍ଜେଇ ବ୍ୟବହାର କରିପାରିବେ ନାହିଁ।’ ଅନ୍ୟ ଏକ ଘଟଣାରେ ମେ’ ୨୩ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର କୁଦାନଗରୀ ଥାନା ଅନ୍ତର୍ଗତ ବେରୁହା ଗ୍ରାମର କିଛି ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରି ପ୍ରଶାସନକୁ ସାତ ଦିନର କଣ୍ଟ ଦେଇ କହିଛନ୍ତି ଯେ ଏହି ସମୟ ମଧ୍ୟରେ ତାଙ୍କ ଗାଁରେ ଖୋଲିଥିବା ମଦ ଦୋକାନ ବନ୍ଦ ନ ହେଲେ ସେମାନେ ଅନଶନରେ ବସିବେ। ସେମାନଙ୍କ ଅଭିଯୋଗ ଯେ ମଦ କାରଣରୁ ସେମାନଙ୍କ ଗାଁ ବିଶୃଙ୍ଖଳିତ, ଝିଅବୋହୂମାନେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟର ଶିକାର, ଗାଁର ସାମାଜିକ ବ୍ୟବସ୍ଥା ବିପର୍ଯ୍ୟସ୍ତ।

ଉଭୟ ପ୍ରସଙ୍ଗରେ ଥିବା ବିଡ଼ମ୍ବିତ ବାସ୍ତବତାକୁ ଆସନ୍ତୁ ଠଉରାଇବା। ରାଜ୍ୟରେ ଗଞ୍ଜେଇକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତେଣୁ ଶିବାଳୟରେ ଗଞ୍ଜେଇ ନିଷିଦ୍ଧ ବୋଲି ନିର୍ଦ୍ଦେଶର ଅର୍ଥ କ’ଣ? ତେବେ, ଶିବାଳୟ ବାହାରେ କ’ଣ ଗଞ୍ଜେଇ ଆଇନସମ୍ମତ? ଏହି ପ୍ରସଙ୍ଗରେ ରାଜ୍ୟ ଅବକାରୀ ବିଭାଗ ବା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। କୌତୂହଳର କଥା ହେଉଛି, ଉଭୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ହେଉଛନ୍ତି ଜଣେ; ଅଶ୍ବିନୀ ପାତ୍ର। ଅଥଚ ତାଙ୍କର ଦୁଇ ହାତ (ସଂସ୍କୃତି ଓ ଅବକାରୀ ବିଭାଗ) ଭିତରେ ତାଳମେଳ ନାହିଁ! ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଘଟଣାଟିକୁ ଦେଖିବା।

୨୦୧୫ ମସିହା ମାର୍ଚ୍ଚ ୮ ତାରିଖ ଦିନ ଅର୍ଥାତ୍‌ ଆନ୍ତର୍ଜାତିକ ମହିଳା ଦିବସରେ ସେହି କେନ୍ଦ୍ରାପଡ଼ାର ନମତରାରେ ମହିଳାମାନେ ମଦ ଦୋକାନ ଭାଙ୍ଗିଥିଲେ। ସେତେବେଳେ ମଦ ଦୋକାନ ବନ୍ଦ ପାଇଁ ଆନ୍ଦୋଳନ କରୁଥିବା ମହିଳାମାନଙ୍କୁ ଗୁଳିବିଦ୍ଧ ହେବାକୁ ପଡ଼ିଥିଲା। ଏବେ ସେହି କେନ୍ଦ୍ରାପଡ଼ାରେ ପୁଣି ଥରେ ମହିଳାମାନେ ଏକାଠି ହୋଇ ମଦ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ବାହାରିଲେଣି। ଟିକିଏ ଗହୀରେଇ ଦେଖିଲେ ଏଥିରୁ ସଙ୍କେତ ମିଳେ ଯେ ମହିଳା ସଶକ୍ତୀକରଣ ପାଇଁ ସରକାରଙ୍କ ‘ମିସନ ଶକ୍ତି ବିଭାଗ’ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ କରାଇବାରେ କିଛିଟା ସଫଳ ହୋଇଛି ସିନା, ସରକାରଙ୍କ ମଦ ନୀତି ଯେଉଁ ପରିସ୍ଥିତି ସୃଷ୍ଟି କରିଛି ସେମାନେ ତା’ ଆଗରେ ଶକ୍ତିହୀନା ଏବଂ ତହିଁରେ ପୀଡ଼ିତା। ‘ମିସନ ଶକ୍ତି’ ଦରିଦ୍ର ଗ୍ରାମୀଣ ମହିଳାଙ୍କୁ ରୋଜଗାର ଦେଇଛି ସତ, କିନ୍ତୁ ଆର୍ଥିକ ସୁରକ୍ଷା ଦେଇ ପାରୁନାହିଁ, କାରଣ ଉପାର୍ଜିତ ଅର୍ଥ ପରିବାରର ମଦ୍ୟପ ସଦସ୍ୟମାନଙ୍କ ଦ୍ବାରା ସ୍ବାହା ହୋଇଯାଉଛି। ଏଭଳି ସ୍ଥିତିରେ ସରକାରଙ୍କ ନୀତି ଓ ସରକାରଙ୍କ ଉଦ୍ଦେଶ୍ୟ ମଧ୍ୟରେ ଏକ ବିରୋଧାଭାସ ସୃଷ୍ଟି ହୋଇଛି।

ଉଦାହରଣ ସ୍ବରୂପ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ଉଦ୍ଦେଶ୍ୟରେ ମଦ ପିଇ ଗାଡ଼ି ଚାଳନାକୁ ସରକାର କଠୋର ହସ୍ତରେ ଦମନ କରିବାକୁ ଚେଷ୍ଟିତ, ଅଥଚ, ଗାଁ, ସହର, ସଡ଼କ, ଛକ, ଚଉତରା ଏପରିକି ପାନ ଦୋକାନରେ ମଧ୍ୟ ମଦ ଉପଲବ୍‌ଧ। ସେମିତି ସରକାର ବିଜୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ସାଧାରଣ ବ୍ୟକ୍ତିଙ୍କ ଲାଗି ମାଗଣା ଚିକିତ୍ସା ସେବା ଉପଲବ୍‌ଧ କରାଇଛନ୍ତି; ଏଣେ ମଦ୍ୟପାନର ସରକାରୀ ପ୍ରୋତ୍ସାହନ ରାଜ୍ୟରେ ବିଭିନ୍ନ ରୋଗାକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ଚାଲିଛି। ଏଥିରୁ ସରକାରଙ୍କ ନୀତି ଓ ଆଭିମୁଖ୍ୟ ମଧ୍ୟରେ ଥିବା ଅସଙ୍ଗତି ହିଁ କେବଳ ପ୍ରାଂଜଳ ହେଉଛି।

ଆଉ ଗୋଟିଏ କଥା ହେଲା, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ, ‘ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସଂପୂର୍ଣ୍ଣ ନିଷ୍ଠା ଘୋଷଣା କରୁଛି। ସଚିବାଳୟକୁ ଲୋକସେବା ଭବନ ଭାବେ ନାମିତ କରିବା କେବଳ ପ୍ରତୀକାତ୍ମକ ନୁହେଁ, ଗାନ୍ଧୀଜୀଙ୍କ ଆଦର୍ଶରେ ଏହା ଆମ ବିଶ୍ବାସର ପ୍ରତିଫଳନ।’

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନିଜେ ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କ ଅନୁରକ୍ତିର ପ୍ରମାଣ ଦେଇ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’ ଶବ୍ଦଟିକୁ ଯୋଡ଼ିବା ପାଇଁ ରାଷ୍ଟ୍ର ସମକ୍ଷରେ ଆହ୍ବାନ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମହାତ୍ମା ଗାନ୍ଧୀଙ୍କ ବାଣୀ ଲୋକସେବା ଭବନର କାନ୍ଥରେ ମଧ୍ୟ ଲିପିବଦ୍ଧ ହୋଇଛି। କିନ୍ତୁ ସରକାର ବୋଧହୁଏ ଭୁଲି ଯାଇଛନ୍ତି ଯେ ୧୯୩୮ ମାର୍ଚ୍ଚ ୫ ତାରିଖରେ ମହାତ୍ମା ଗାନ୍ଧୀ ଡେଲାଙ୍ଗର ବେରବୋଇରେ କହିଥିଲେ ଯେ ଓଡ଼ିଶାର ଦାରିଦ୍ର୍ୟ ପାଇଁ ନିଶା, ଆଳସ୍ୟ ଓ ଜଡ଼ତା ଦାୟୀ। ତେଣୁ ପ୍ରଶ୍ନ ଉଠେ ଯେ ମଦ ଏବଂ ଅନ୍ୟାନ୍ୟ ନିଶା ନିବାରଣ ନେଇ ଆମ ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରୁ ନାହାନ୍ତି କାହିଁକି?
ସ୍ବାଧୀନତା ସଂଗ୍ରାମ ଯେଉଁ କେତେକ ଆଦର୍ଶର ସ୍ତମ୍ଭ ଉପରେ ପ୍ରତିଷ୍ଠିତ ଥିଲା, ତହିଁରୁ ମୁଖ୍ୟ ଥିଲା ନିଶା ନିବାରଣ। ବିଭିନ୍ନ ସମୟରେ ଓଡ଼ିଶାରେ ଶାସନରେ ଥିବା ସରକାରଗୁଡ଼ିକ ମଧ୍ୟ ନିଶା ନିବାରଣ ପାଇଁ ଉଦ୍ୟମ କରିଛନ୍ତି। କିନ୍ତୁ ସରକାର ବଦଳିବା ସହିତ ନୀତି ବଦଳୁ ଥିବାରୁ ନିଶା ନିବାରଣ ନେଇ ସରକାରୀ ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ-ଅସ୍ପଷ୍ଟ ଛାୟାଲୋକର ଇଲାକାରେ ରହିଛି।

ସ୍ମରଣକୁ ଆସେ ଯେ ସମାଜକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାସ ୧୯୩୯ ମସିହାରେ ସ୍ବତନ୍ତ୍ର ଆଇନ ଆଣିଥିଲେ। ବିହାର ଓଡ଼ିଶା ଅବକାରୀ ଆଇନ-୧୯୧୫ର ମଧ୍ୟ ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଥିଲା ନିଶା ନିବାରଣ। ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ୧୯୫୬ ମସିହାରେ ‘ଓଡ଼ିଶା ନିଶା ନିବାରଣ ବିଲ୍‌’ ବିଧାନସଭାରେ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିଲା। କିନ୍ତୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ସରକାରୀ ଫାଇଲ ଭିତରେ ଚାପି ହୋଇ ରହିଯାଇଛି।

ଅବଶ୍ୟ, ଏହା ମଧ୍ୟ ନୁହେଁ ଯେ ବର୍ତ୍ତମାନର ସରକାର ନିଶା ନିବାରଣ ନେଇ କେତେକ ଉଦ୍ୟମ କରି ନାହାନ୍ତି! ‘ଓଡ଼ିଶା ଯୁବନୀତି-୨୦୧୩’ର ନବମ ଅନୁଚ୍ଛେଦ କହିଥାଏ: ‘ନିଶା ଯୋଗୁଁ ଯୁବ ସମାଜ ପଥଭ୍ରଷ୍ଟ ହେଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା କରିବା।’ ହେଲେ ଆଜି ଗାଁ-ଗାଁରେ ଯୁବକମାନଙ୍କୁ ମଦ ନିଶା ବଶୀଭୂତ କରିସାରିଲାଣି ଏବଂ ଏଭଳି ଗୋଟିଏ ବି ନିଶାମୁକ୍ତ ଗ୍ରାମ ସୃଷ୍ଟି ହୋଇ ପାରିନାହିଁ। ଏହି ସରକାର ଅମଳରେ ପଞ୍ଚଦଶ ବିଧାନସଭାରେ ସରକାରୀ ଦଳର ଦୁଇ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରବି ନାରାୟଣ ମହାପାତ୍ର ମଦ ଓ ନିଶା ନିବାରଣ ପାଇଁ ଦୁଇଟି ପୃଥକ ଘରୋଇ ବିଲ୍ ଆଣିଥିଲେ। ସେହିପରି ୧୦୨ ବର୍ଷର ପୁରୁଣା ବିହାର ଓଡ଼ିଶା ଅବକାରୀ ଆଇନକୁ ଉଚ୍ଛେଦ କରି ସରକାର ଓଡ଼ିଶା ଅବକାରୀ ଆଇନ-୨୦୦୮ ପ୍ରଣୟନ କରିଛନ୍ତି। ଏହି ଆଇନର ଧାରା ୯୩ କହୁଛି ଯେ ମଦ କାରବାର ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିପାରିବେ। ଏହି ଆଇନ ଏବେ ବଳବତ୍ତର ଅଛି, ଅଥଚ ମଦ କାରବାରରେ ନିୟନ୍ତ୍ରଣ ପାଇଁ ସରକାରୀ ଆନ୍ତରିକତା ବା ଆଗ୍ରହ ନାହିଁ।

ଏହାର ପ୍ରମାଣ ହେଲା ରାଜ୍ୟରେ ସର୍ବତ୍ର ଅତି ସହଜରେ ଓ ଶସ୍ତ‌ାରେ ମଦ ମିଳି ପାରୁଛି। ମଦ କାରବାର ସପକ୍ଷରେ ରହିଥିବା ମତ କହିଥାଏ ଯେ ଏ କ୍ଷେତ୍ରରୁ ସରକାର ପାଉଥିବା ବୃହଦାକାର ରାଜସ୍ବ ନିଶା ନିବାରଣ ବା ମଦ ନିଷେଧ ଦ୍ବାରା ହରାଇବେ। ସେମିତି ସେହି ମତର ପକ୍ଷଭୁକ୍ତମାନେ କହନ୍ତି ଯେ ଗୁଜରାଟ ଓ ବିହାରରେ ମଦକୁ ନିଷେଧ କରାଯିବା ପରେ ମଦ୍ୟ ପାନ ବନ୍ଦ ହୋଇନାହିଁ। ବରଂ ସେ ରାଜ୍ୟ ଦ୍ବୟରେ ମଦର କଳାବଜାରୀ ହେଉଛି ଏବଂ ଚୋରାରେ ରନ୍ଧା ବିଷାକ୍ତ ମଦ ହେତୁ ବେଳେବେଳେ ଅନେକ ଜନଜୀବନ ଯାଉଛି। କିନ୍ତୁ ସତ କହିଲେ ମଦ୍ୟ ପାନ କାରଣରୁ ସୃଷ୍ଟ ଦୁର୍ଘଟଣା, ହିଂସା ଓ ବ୍ୟାଧିରୁ ଯେତିକି ମୃତ୍ୟୁ ଘଟୁଛି ତାହା କଦବା କେମିତି ଘଟୁଥିବା ବିଷାକ୍ତ ମଦ ମୃତ୍ୟୁ ତୁଳନାରେ ଅନେକ କମ୍‌। କୁହାଯାଏ ଯେ ନିଶା ବା ଅବକାରୀ ସୂତ୍ରରୁ ସରକାର ଗୋଟିଏ ଟଙ୍କା ଆୟ କରିବା ବଦଳ‌େର ମଦ୍ୟ ପାନର କୁପରିଣାମ ଜନିତ ବୋଝରୁ ମୁକ୍ତି ପାଇବା ସକାଶେ ୧୦୦ ଟଙ୍କା ବ୍ୟୟ କରନ୍ତି।

ମଦ ବାବଦ ଭିତ୍ତିଭୂମି, ଯୋଗାଣ ଆଦି ଖର୍ଚ୍ଚ ଯାଇ ରାଜ୍ୟ ସରକାର ପାଞ୍ଚ ହଜାର କୋଟି ଟଙ୍କା ପାଆନ୍ତି କି ନାହିଁ, କିନ୍ତୁ ମଦ୍ୟ ପାନର ବୋଝରୁ ମୁକୁଳିବା ଲାଗି ଚିକିତ୍ସା, ଦୁର୍ଘଟଣାଜନିତ କ୍ଷତିପୂରଣ, ମଦ୍ୟ ପାନ ଜନିତ ଅଭ୍ୟାସରୁ କର୍ମ କ୍ଷେତ୍ରରେ ପରିଦୃଷ୍ଟ ହେଉଥିବା ଶିଥିଳତା ଓ ଶ୍ରମ ଘଣ୍ଟାର ଅପଚୟ ଏବଂ ଏହି କାରଣରୁ ସୃଷ୍ଟ ଦାରିଦ୍ର୍ୟ ମୋଚନ ସକାଶେ କରୁଥିବା ‌େଯାଜନାରେ ତା’ ଠାରୁ କେଇ ଗୁଣ ଅଧିକ ଅର୍ଥ ବ୍ୟୟ କରନ୍ତି। ଅନେକ ଏଭଳି ଯୁକ୍ତି ମଧ୍ୟ କରନ୍ତି ଯେ ନିଶା ନିବାରଣ ନ କରି ବୋତଲ ଉପରେ ସିଗାରେଟ ପ୍ୟାକେଟରେ ଥିବା ଭଳି ବୈଧାନିକ ସତର୍କତା ଲେଖାଗଲେ ମଦ୍ୟ ପାନ କମିଯିବ। କିନ୍ତୁ ଏହି ଯୁକ୍ତି କିଭଳି ଉଦ୍ଭଟ ତାହା କ୍ରମବର୍ଦ୍ଧିଷ୍ଣୁ ଧୂମପାୟୀଙ୍କ ସଂଖ୍ୟାରୁ ଜଣାପଡ଼େ‌ ଯେଉଁମାନେ ସିଗାରେଟ ପିଇବା ବେଳେ ବୈଧାନିକ ସତର୍କତାକୁ ଆଡ଼ ଆଖିରେ ମଧ୍ୟ ଚାହାଁନ୍ତି ନାହିଁ।

ଗୋଟିଏ ବାସ୍ତବତା ହେଲା, ସ୍ବାସ୍ଥ୍ୟ, ସାମାଜିକ ନ୍ୟାୟ ଓ ପୌଷ୍ଟିକତା ନେଇ ସରକାରଙ୍କ ସମସ୍ତ ଉଦ୍ୟମ ତଥା ଦାରିଦ୍ର୍ୟ ଦୂରୀକରଣ ନେଇ ସମସ୍ତ ଯୋଜନା ବାଟବଣା ହେବା ପଛରେ ମଧ୍ୟ ନିଶାର ପ୍ରସାର ଏକ ବଡ଼ କାରଣ। ଆମ ସରକାର ବା ପ୍ରଶାସନ ସାମାଜିକ ଅଡିଟ୍ ବ୍ୟବସ୍ଥା ପ୍ରତି ବିଶେଷ ଆଗ୍ରହୀ ନୁହନ୍ତି, ତେଣୁ ପ୍ରତି ବର୍ଷ ଏ ସବୁ କାରଣରୁ ହେଉଥିବା କୋଟି କୋଟି ଟଙ୍କାର ସରକାରୀ ରାଜସ୍ବର ଅପଚୟ ଜଣା ପଡ଼େନାହିଁ। ସୁତରାଂ ସରକାର ଏ ନେଇ ବିଚଳିତ ହୁଅନ୍ତି ନାହିଁ। ତେଣୁ ପ୍ରଶ୍ନ ଉଠୁଛି ଯେ ଗୋଟିଏ ପଟେ ଅପରାଧ, ଦୁର୍ଘଟଣା, ଘରୋଇ ହିଂସା ଆଦି ରୋକିବା ଲାଗି ସ୍ଲୋଗାନ ଦିଆଯିବା ବେଳେ ବା ଦାରିଦ୍ର୍ୟ ହ୍ରାସ କରିବା ଲାଗି ଟଙ୍କିକିଆ ଚାଉଳ ଭଳି ବିଶାଳ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ଅଳ୍ପ କେତେ ହଜାର କୋଟି ଟଙ୍କାର ରାଜସ୍ବ ପାଇଁ ମଦର ପ୍ରସାରକୁ ପ୍ରୋତ୍ସାହନ ଦେବା କେତେ ଯୁକ୍ତିଯୁକ୍ତ? ତେଣୁ ମୂଳ ପ୍ରଶ୍ନ ହେଲା ସରକାର ଏକ ମଦ ମୁକ୍ତ ଓଡ଼ିଶା ଚାହାନ୍ତି କି?
ମୋ: ୯୯୩୭୪ ୭୪୨୭୪

ସମ୍ବନ୍ଧିତ ଖବର