କୋହଲି ଖେଳିବେ କାଉଣ୍ଟି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି

ମୁମ୍ବାଇ: ପ୍ରାକ୍‌ ପ୍ରସ୍ତୁତିର ଅଭାବ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକା ଗସ୍ତର ଟେଷ୍ଟ୍‌ ଶୃଙ୍ଖଳାକୁ ୧-୨ରେ ହାରି ଯାଇଥିଲା। ଏଥିରୁ ଶିକ୍ଷା ନେଇ ଇଂଲଣ୍ଡ ଗସ୍ତରେ ଯେମିତି ଭାରତୀୟ ଖେଳାଳିମାନେ ପର୍ଯ୍ୟାପ୍ତ ଅଭ୍ୟାସର ସୁଯୋଗ ପାଆନ୍ତି ସେ ଦିଗରେ ବିସିସିଆଇ ଏବେ ପଦକ୍ଷେପ ନେବା ଆରମ୍ଭ କରିଛି। ଅଗଷ୍ଟ ମାସରେ ଖେଳା ଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ସେଠାକାର ପରିବେଶ ସହ ନିଜକୁ ଖାପ ଖୁଆଇବା ଲାଗି ଅଧିନାୟକ ବିରାଟ କୋହଲିଙ୍କୁ କାଉଣ୍ଟି ଖେଳିବାର ଅନୁମତି ବିସିସିଆଇ ପ୍ରଦାନ କରିଛି। ସେଥିପାଇଁ କୋହଲି ଜୁନ୍‌ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଖେଳା ଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ଖେଳି ପାରିବେ ନାହିଁ। ତେବେ ସେ କେଉଁ କାଉଣ୍ଟି ଦଳ ପକ୍ଷରୁ ଖେଳିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିସିସିଆଇ କିମ୍ବା କୋହଲି ନିଜେ ଏଥିନେଇ ମଧ୍ୟ କୌଣସି ସୂଚନା ଦେଇ ନାହାନ୍ତି।

ମାସେ ଆଗରୁ ଯିବେ ଟେଷ୍ଟ୍‌ ବିଶେଷଜ୍ଞ
ଅଧିନାୟକ ବିରାଟ କୋହଲି କାଉଣ୍ଟି ଖେଳି ଇଂଲଣ୍ଡ ଶୃଙ୍ଖଳା ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟରେ ଥିଲା ବେଳେ ଭାରତୀୟ ଦଳର ଅନ୍ୟ ଟେଷ୍ଟ୍‌ ବିଶେଷଜ୍ଞମାନଙ୍କୁ ମଧ୍ୟ ବିସିସିଆଇ ସେଠାକୁ ଆଗୁଆ ପଠାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମୁରଲୀ ବିଜୟ ଓ ଅଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳି ଭାରତୀୟ ‘ଏ’ ଦଳରେ ସାମିଲ ହୋଇ ଜୁନ୍‌ ମାସରେ ଇଂଲଣ୍ଡରେ ଦୁଇଟି ଶୃଙ୍ଖଳା ଖେଳିବେ। ଭାରତୀୟ ଏ ଦଳ କେତେକ କାଉଣ୍ଟି ଦଳ ବିପକ୍ଷରେ ମ୍ୟାଚ୍‌ ଖେଳିବା ସହ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଣୁ ବିଜୟ ଏବଂ ରାହାଣେ ଏହି ଦଳରେ ରହି ଇଂଲଣ୍ଡ ବିପକ୍ଷ ମହତ୍ୱପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳା ଲାଗି ପ୍ରସ୍ତୁତି କରିବେ। ତେବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ମଧ୍ୟ ହାଲକାରେ ନିଆ ଯାଉ ନଥିବା ବିସିସିଆଇ ପରିଚାଳନାରେ ଥିବା ପ୍ରଶାସନିକ ସମିତିର ମୁଖ୍ୟ ବିନୋଦ ରାଏ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର