ଆମ୍ବୁସ୍‌ କରିବାକୁ ଆସି ଫସିଗଲେ ମାଓବାଦୀ: ଦେଶର ତୃତୀୟ ବୃହତ୍‌ ଏନ୍‌କାଉଣ୍ଟର

ମାଲକାନଗିରି: ନିର୍ବାଚନ ବେଳେ ରକ୍ତରଞ୍ଜିତ କରିବାକୁ ଯୋଜନା ଥିଲା। କିଛିଦିନ ହେଲା ଗୋଳାବାରୁଦ ସଂଗ୍ରହ ସହ ସଂଗଠନର କଳେବର ବୃଦ୍ଧି କରୁଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ଆମ୍ବୁସ୍‌ରେ ଫସାଇବା ପୂର୍ବରୁ ନିଜେ ଫସିଗଲେ। କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଙ୍ଗଲରେ ଗତକାଲି ୨୯ ମାଓବାଦୀଙ୍କୁ ନିପାତ କରିବା ପରେ ଏମିତି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ଦେଇଛି। ପକ୍କା ସୂଚନା ଓ ସୁଦୃଢ଼ ଯୋଜନା ଯୋଗୁଁ ଏତେବଡ଼ ସଫଳତା ମିଳିଛି। ଏହାକୁ ଦେଶର ତୃତୀୟ ବୃହତ୍‌ ଏନ୍‌କାଉଣ୍ଟର ବୋଲି ବସ୍ତର ଆଜି ପି. ସୁନ୍ଦର ରାଜ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଜି ପି. ସୁନ୍ଦର ରାଜ କହିିଲେ, ଗତ ବିଧାନସଭା ନିର୍ବାଚନ ସମୟରେ ପ୍ରବଳ ହିଂସା ଘଟାଇଥିଲେ ମାଓବାଦୀ। ତଥାପି ନିର୍ବାଚନ ଉପରେ ବିଶେଷ ଫରକ ପଡ଼ିନଥିଲା। ତେଣୁ ଲୋକସଭା ନିର୍ବାଚନରେ ଶକ୍ତ ତଥା ପ୍ରଭାବଶାଳୀ ଆକ୍ରମଣ କରିବାକୁ ପ୍ରତାପପୁର ମାଓ ସଂଗଠନ ଯୋଜନା କରିଥିଲା। ଏଥିପାଇଁ ଡିଭିଏମ୍‌ସି କମାଣ୍ଡର ଶଙ୍କର ରାଓ ନେତୃତ୍ବରେ ୬୦ରୁ ଊର୍ଦ୍ଧ୍ବ ମାଓବାଦୀ ଠୁଳ ହୋଇଥିଲେ। ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରୁଥିଲେ। ଗୁଇନ୍ଦା ଖବର ମିଳିବା ପରେ ଏନ୍‌କାଉଣ୍ଟର ଯୋଜନା ହୋଇଥିଲା। ଗତକାଲି ସକାଳୁ ଦୁଇ ପ୍ଲାଟୁନ୍‌ ବିଏସ୍‌ଏଫ୍‌ ଏବଂ ୪ପ୍ଲାଟୁନ୍‌ ଡିଆରଜି ଯବାନ ଜଙ୍ଗଲରେ ପଶିଥିଲେ। କ୍ୟାମ୍ପ୍‌ ନିକଟରେ ଯବାନ ପହଞ୍ଚିବା ପରେ ବାଣ ଫୁଟାଇ ନିଜ ଉପସ୍ଥିତି ସଂପର୍କରେ ମାଓବାଦୀଙ୍କୁ ଅବଗତ କରାଇଥିଲେ। ସତର୍କ କରିବା ସତ୍ତ୍ବେ ସେହି ସ୍ଥାନରୁ ମାଓବାଦୀ ଘୁଞ୍ଚି ନଥିଲେ। ଓଲଟା ଆକ୍ରମଣ କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ଯବାନ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉଭୟପଟୁ ଗୁଳି ବର୍ଷଣ ଚାଲିଥିଲା। ଯୋଜନାବଦ୍ଧ ତଥା ସଶକ୍ତ ଆକ୍ରମଣ ହୋଇଥିବାରୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇ ମାଓବାଦୀ ପଛଘୁଞ୍ଚା ଦେଇଥିଲେ। ଘଟଣାସ୍ଥଳ ଠାରୁ ୨ଶହ ମିଟରରୁ ଊର୍ଦ୍ଧ୍ବ ଅଞ୍ଚଳରେ ମାଓବାଦୀଙ୍କ ଶବ ଖେଳାଇ ହୋଇପଡ଼ିଥିଲା। ଗତକାଲି ରାତିରେ କାଙ୍କେର ପୁଲିସ ମୁଖ୍ୟାଳୟକୁ ୨୯ ମାଓବାଦୀଙ୍କ ଶବ ଆଣିବା ପରେ ଆଜି ସକାଳେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିହତଙ୍କ ମଧ୍ୟରେ ୧୫ଜଣ ମହିଳା ମାଓବାଦୀ ରହିଛନ୍ତି। ଛତିଶଗଡ଼ର ଟପ୍ ଏନକାଉଣ୍ଟର ସ୍ପେସାଲିଷ୍ଟ ତଥା ପୁଲିସ ଇନସ୍‌ପେକ୍ଟର ଲକ୍ଷ୍ମଣ କେଵଟଙ୍କ ‌ନେତୃତ୍ବରେ ହୋଇଥିବା ଏହି ଏନ୍‌କାଉଣ୍ଟର ପରେ ପ୍ରତାପୁର ସଂଗଠନ ସଂପୂର୍ଣ୍ଣ ଶକ୍ତି ହରାଇଛି। ଯବାନଙ୍କ ମନୋବଳ ବଢ଼ିଛି, ଆଗକୁ ବି ଅପରେସନ ଜାରି ରହିବ ବୋଲି ଆଇଜି ସୂଚନା ଦେଇଛନ୍ତି।

ଲକ୍ଷ୍ମଣ ହିଁ ‘ହିରୋ’

କାଙ୍କେର ଏନ୍‌କାଉଣ୍ଟରର ଅସଲ ହିରୋ ହେଉଛନ୍ତି ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ତଥା ପୁଲିସ ଏସ୍‌ଆଇ ଲକ୍ଷ୍ମଣ କେଵଟ। ଏହି ସଫଳ ଅପରେସନ୍‌ର ନେତୃତ୍ବ ସେ ନେଇଥିଲେ। ଜଙ୍ଗଲରେ ନକ୍ସଲ ଏକତ୍ରିତ ହୋଇଥିବା ଖବର ମିଳିବା ମାତ୍ରେ ଲକ୍ଷ୍ମଣଙ୍କୁ ଡକାଯାଇଥିଲା। ପହଞ୍ଚିବା ପରେ ପରିସ୍ଥିତି ସଂପର୍କରେ ଅବଗତ କରାଇ ନେତୃତ୍ବ ନେବାକୁ ମୁକ୍ତହସ୍ତ ଦିଆଯାଇଥିଲା। ତେଣୁ ସଂପୂର୍ଣ୍ଣ ଅପରେସନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯୋଜନା ଲକ୍ଷ୍ମଣ ହିଁ ପ୍ରସ୍ତୁତ କରିଥିଲେ। ଜଟିଳ କାମ ଥିଲା ବିଏସ୍‌ଏଫ୍‌ ଏବଂ ଡିଆରଜି ଯବାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା। ତେବେ ପୂର୍ବ ଅଭିଜ୍ଞତା ଯୋଗୁଁ ଦୁଇଟି ଭିନ୍ନ ଭିନ୍ନ ସୁରକ୍ଷା ବଳ ମଧ୍ୟରେ ତାଳମେଳ ସହ ଉତ୍ତମ ଯୋଗାଯୋଗ ରଖିବାରେ ସକ୍ଷମ ହୋଇଥିଲେ। ସୁରକ୍ଷା କର୍ମୀଙ୍କ ଆମ୍ବୁସ୍‌‌ରେ ଫସିବା ପରେ ମାଓବାଦୀ ନିଶ୍ଚିତ ଭାବେ ଅତର୍କିତ ଆକ୍ରମଣ କରିବାର ନଜିର ରହିଛି। ଏଥିପାଇଁ ମଧ୍ୟ ଲକ୍ଷ୍ମଣ ପୂର୍ବ ପ୍ରସ୍ତୁତି କରିଥିବାରୁ ଯବାନମାନେ ସଠିକ୍‌ ସ୍ଥାନ ତଥା ସଠିକ୍‌ ଦୂରରେ ରହିଥିଲେ। ତେଣୁ ମାଓବାଦୀଙ୍କ ପାଇଁ ଫିଟିବା ବାଟ ପ୍ରାୟ ସଂକୁଚିତ ହୋଇଯାଇଥିଲା। ପ୍ରଚୁର ମାତ୍ରାରେ ଅସ୍ତ୍ରଶସ୍ତ୍ର ରଖିଥିବା କାରଣରୁ ହିଁ ୪ଘଣ୍ଟା ଧରି ସମ୍ମୁଖ ଲଢ଼େଇ ପାଇଁ ମାଓବାଦୀ ସମର୍ଥ ହୋଇଥିଲେ। ଅନ୍ୟପଟେ ବିନା କ୍ଷୟକ୍ଷତି କିମ୍ବା ସାମାନ୍ୟ କ୍ଷୟକ୍ଷତିରେ ଅପରେସନକୁ ସଫଳ ତଥା ଶେଷ କରିବାକୁ ଲକ୍ଷ୍ମଣ ପ୍ରାଥମିକତା ଦେଇଥିଲେ। ସେହିପରି ଅପରେସନର ଗୋଟିଏ ଭିଡିଓ ଭାଇରାଲ ହୋଇଛି। ‌ଯେଉଁଥିରେ ଆଗପଛ ହୋଇ ରହିଥିବା ଯବାନ ପରସ୍ପରକୁ ସଂକେତ ମାଧ୍ୟମରେ ସତର୍କ କରିବା ସହ ସୂଚନା ମଧ୍ୟ ଦେଉଛନ୍ତି। ପ୍ରଚଣ୍ଡ ଶବ୍ଦ ମଧ୍ୟରେ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଲକ୍ଷ୍ମଣ ବାରମ୍ବାର ଡାକ ପକାଉଥିବା ମଧ୍ୟ ଶୁଣିବାକୁ ମିଳିଛି। ଲକ୍ଷ୍ମଣଙ୍କ ଏହି ବଡ଼ ଉପଲବ୍ଧି ପାଇଁ ବରିଷ୍ଠ ପୁଲିସ ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ସୁଦ୍ଧା ଲକ୍ଷ୍ମଣ ‌ବିଭିନ୍ନ ଅପରେସନରେ ୪୫ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରିସାରିଛନ୍ତି। ସାହାସ ତଥା ନେତୃତ୍ବ ଦକ୍ଷତା ନିମନ୍ତେ ୭ଥର ରାଷ୍ଟ୍ରପତି ପଦକ ପାଇଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ନକ୍ସଲ ଦମନ ଅଭିଯାନରେ ନିଜକୁ ସମର୍ପିତ କରିବେ ବୋଲି ଲକ୍ଷ୍ମଣ କହିଛନ୍ତି।

ସମ୍ବନ୍ଧିତ ଖବର