ଝାମୁଯାତ୍ରା ପାଇଁ ପାଣି ତୋଳିଲେ ଦଣ୍ଡୁଆ

ଚନ୍ଦ୍ରଶେଖରପୁର : ଆଜି କୁଆଖାଇ ନଦୀର ପାଣି ତୋଳି ଝାମୁଯାତ୍ରାର ଶୁଭାରମ୍ଭ କରିଛନ୍ତି ଓସ୍ତପଡ଼ା ଗ୍ରାମର ଦଣ୍ଡୁଆମାନେ। ୫ଜଣ କାଳେସିଙ୍କ ସହ ପ୍ରାୟ ୧୫ଜଣ ଦଣ୍ଡୁଆ ଏହି ପାଣିତୋଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରାଥମେ ମାଟି ପୂଜା କରାଯାଇ ପରେ ପ୍ରତିଟି ଦଣ୍ଡୁଆ ନଦୀ ପୂଜା କରିଥିଲେ। ଗ୍ରାମର ମଙ୍ଗଳା ମନ୍ଦିରରେ ଦଣ୍ଡୁଆମାନେ ଅଧିଆ ପଡ଼ି ଆଜି ସନ୍ଧ୍ୟାରୁ ଗାଁ ଗାଁ ବୁଲି ମାଗୁଣି ଆରମ୍ଭ କରିଛନ୍ତି। ଆଜିଠାରୁ ୯ଦିନ ଧରି ଏହି ପୀଠପୂଜା କରାଯାଇଥିବା ବେଳେ ମହାମେରୁ ଓ ଝାମୁଯାତ୍ରାରେ ସମସ୍ତ ଦଣ୍ଡୁଆ ନିଆଁରେ ଚାଲିବେ। ତେବେ ପ୍ରତିଦିନ ପୀଠରେ ମଧ୍ୟ ଦଣ୍ଡୁଆମାନେ ଝୁଣାମାଡ଼ ଖାଇ ନିଜର ମାନସିକ ରଖିବେ। ଏହି ସମୟରେ ପ୍ରତିଦିନ ଭକ୍ତମାନେ କେବଳ ପଣା ପିଇ ଉପବାସ ଜାରି ରଖିବେ। ସୂଚାନା ଥାଉକି ଗ୍ରାମର ପନ୍ଦରଫୁଙ୍କା ବ୍ରିଜ୍‌ ନିକଟ ବଡ଼ନାଳ ପଡ଼ିଆରେ ଝାମୁଯାତ୍ରା ଦିନ ୩ ଶଗଡ଼ କାଠାରେ ନିଆଁ ଲଗାଯାଇ ଏକ ୨୧ହାତ ଲମ୍ବ ୪ଫୁଟ ଗଭୀର ଗାତରେ କାଳେସି ରୋହିତ ସାମଲ ଚାଲିବେ। ତାଙ୍କ ପରେ ଅନ୍ୟ କାଳେସି ଓ ଦଣ୍ଡୁଆମାନେ ନିଆଁରେ ଝୁଲି ଓ ଚାଲି ନିଜର ଭକ୍ତିର ପ୍ରମାଣ ମାଙ୍ଗଳା ଠାକୁରାଣୀଙ୍କ ପୀଠରେ ଜଣାଇବେ।

ସମ୍ବନ୍ଧିତ ଖବର