ଜିଏସଟି କାଉନସିଲ ବୈଠକ, ଅଟକିଲା ଚିନି ଉପରେ ସେସ ଲାଗୁ ନିଷ୍ପତ୍ତି

ନୂଆଦିଲ୍ଲୀ : ଜିଏସଟି କାଉନସିଲର ୨୭ ତମ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମତଃ ଜିଏସଟି ବ୍ୟବସ୍ଥାକୁ ପରିଚାଳନା କରୁଥିବା ସଂସ୍ଥା ଜିଏସଟିଏନକୁ ଏକ ସଂପୂର୍ଣ୍ଣ ସରକାରୀ ସଂସ୍ଥାରେ ପରିଣତ କରାଯିବ । ଏଥିରେ କେନ୍ଦ୍ର ସରକାରଙ୍କ ୫୦ ପ୍ରତିଶତ ଓ ରାଜ୍ୟସରକାରମାନଙ୍କ ଅବଶିଷ୍ଟ ୫୦ ପ୍ରତିଶତ ଅଂଶଧନ ରହିବ । ଅନ୍ୟପକ୍ଷରେ ଚିନି ଉପରେ ସେସ ଲାଗିବା ନିଷ୍ପତ୍ତିକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି । ଦେଶରେ ଚିନିର ଉତ୍ପାଦନ ଖର୍ଚ୍ଚ ଠାରୁ ବଜାର ଦର କମ ରହୁଥିବାରୁ ମିଲ୍‌ ମାଲିକ ଓ ଚାଷୀମାନେ କ୍ଷତି ସହୁଛନ୍ତି । ଏହା ଫଳରେ ଦେଶରେ ଚିନି ଶିଳ୍ପ ଦୁର୍ଦିନ ମଧ୍ୟରେ ଗତି କରୁଛି । ଏଥିପାଇଁ ଚିନି ଉପରେ ସେସ ଲଗାଇ ମୂଲ୍ୟ ବୃଦ୍ଧି ପାଇଁ ଦାବି ହେଉଛି । ଏହି ପରିସ୍ଥିତିର ଅନୁଧ୍ୟାନ କରିବାକୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ସେହିପରି ଅନଲାଇନରେ ଜିଏସଟି ଫାଇଲ କରୁଥିବା ଲୋକମାନଙ୍କ ପାଇଁ କିଛି ପ୍ରେତ୍ସାହନ ଦେବାକୁ ବିଚାର କରାଯାଉଛି । ଏହାକୁ ଜିଏସଟି ପରିଷଦରେ ସମସ୍ତେ ସମର୍ଥନ କରିଛନ୍ତି । କିନ୍ତୁ କେଉଁ କେଉଁ ସାମଗ୍ରୀ ପାଇଁ ପ୍ରେତ୍ସାହନ ଦିଆଯିବ ନାହିଁ ସେଗୁଡ଼ିକର ଏକ ନେଗେଟିଭ ଲିଷ୍ଟ ( ନକାରାତ୍ମକ ତାଲିକା) ପ୍ରସ୍ତୁତ କରିବାକୁ କେତେକ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି । ଏ ଦିଗରେ ଅନୁଧ୍ୟାନ କରି ଉପଯୁକ୍ତ ସୁପାରିଶ କରିବାକୁ ଏକ କମିଟି ଗଠନ କରିବାକୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି । ଦେଶରେ ଗତ ବର୍ଷ ଜୁଲାଇ ପହିଲାରୁ ଜିଏସଟି ଲାଗୁ ହୋଇଛି । ଗତ ଏପ୍ରିଲରେ ପ୍ରଥମ ଥର ପାଇଁ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟପିଛି ।

ଅନ୍ୟପକ୍ଷରେ ଜିଏସଟି ରିଟର୍ଣ୍ଣ ଫାଇଲ ପ୍ରକ୍ରିୟାକୁ ସରଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ପଦ୍ଧତି ଅନୁସାରେ ଜିଏସଟିଦାତାଙ୍କୁ ମାସକୁ କେବଳ ଗୋଟିଏ ଥର ରିଟର୍ଣ୍ଣ ଫାଇଲ କରିବାକୁ ପଡିବ । ତେବେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପାଇଁ ଆଉ ୬ ମାସ ଲାଗିଯିବ । ସେପର୍ଯ୍ୟନ୍ତ ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥା ଲାଗୁ ରହିବ ।   ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଧ୍ୟକ୍ଷତା କରିଥିଲେ ।

ସମ୍ବନ୍ଧିତ ଖବର