ଫ୍ରେଞ୍ଚ୍‌ ଓପନ୍‌ ଆରମ୍ଭରୁ ଭେନସ୍‌ ବିଦା

ସ୍ୱିତୋଲିନା, ମକରୋଭାଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌: ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଫ୍ରେଞ୍ଚ୍‌ ଓପନ୍‌ ରବିବାର ଆରମ୍ଭ ହୋଇଛି। ପ୍ରଥମ ଦିନ ଆମେରିକୀୟ ମହିଳା ଭେନସ୍‌ ଓ୍ଵିଲିୟମ୍‌ସଙ୍କ ପରାଜୟ ଏକମାତ୍ର ବିପର୍ଯ୍ୟୟ ହୋଇଛି। ନବମ ମାନ୍ୟତା ଭେନସ୍‌ ମହିଳା ଏକକ ପ୍ରଥମ ରାଉଣ୍ଡ୍‌ରେ ସିଧାସଳଖ ପରାଜୟ ସହ ଆରମ୍ଭରୁ ବିଦାୟ ନେଇଛନ୍ତି। ଭେନସ୍‌ଙ୍କୁ ୬-୪ ଓ ୭-୫ ସେଟ୍‌ରେ ପରାସ୍ତ କରି ଚୀନ୍‌ ଲଳନା ଓ୍ଵାଙ୍ଗ୍‌ କ୍ୱିଙ୍ଗ୍‌ ଏହି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଭେନସ୍‌ଙ୍କୁ ବିଦାୟ ରାସ୍ତ ଦେଖାଇବା ସହିତ ଓ୍ଵାଙ୍ଗ୍‌ ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ଅନ୍ୟପକ୍ଷରେ ଚତୁର୍ଥ ମାନ୍ୟତା ଇଲିନା ସ୍ୱିତୋଲିନା ଏବଂ ଏକ୍‌ଟେରିନା ମକରୋଭା ମହିଳା ଏକକ ବର୍ଗରେ ନିଜ ନିଜର ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଗତ ସପ୍ତାହରେ କ୍ରମାଗତ ଦ୍ୱିତୀୟ ଥର ଲାଗି ଇଟାଲିଆନ୍‌ ଓପନ୍‌ ଟ୍ରଫି ହାତେଇଥିବା ୨୩ ବର୍ଷ ବୟସ୍କା ୟୁକ୍ରେନ୍‌ ଲଳନା ସ୍ୱିତୋଲିନା ପ୍ରଥମ ରାଉଣ୍ଡ୍‌ରେ ଅଷ୍ଟ୍ରେଲିଆର ଆଜ୍‌ଲା ଟୋମ୍‌ଜାନୋଭିକ୍‌ଙ୍କୁ ୭-୫ ଓ ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚି ଯାଇଛନ୍ତି। ତେବେ ରୋଲାଁ ଗ୍ୟାରୋସ୍‌ରେ ଚଳିତ ବର୍ଷର ପ୍ରଥମ ବିଜୟ ମକରୋଭାଙ୍କୁ ନାମକୁ ଯାଇଥିଲା। ଦୁଇ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲିଷ୍ଟ ଏହି ୨୯ ବର୍ଷ ବୟସ୍କା ରୁଷୀୟ ସୁନ୍ଦାରୀ ପ୍ରଥମ ରାଉଣ୍ଡରେ ଚୀନ୍‌ ଲଳନା ଝେଙ୍ଗ୍‌ ସାଇସାଇଙ୍କୁ ୬-୪ ଓ ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରିଦେଇଥିଲେ। ପୁରୁଷ ଏକକରେ ବୁଲ୍‌ଗେରିଆ ତାରକା ତଥା ଚତୁର୍ଥ ମାନ୍ୟତା ଗ୍ରିଗୋର ଦିମିତ୍ରୋଭ୍‌ ୬-୧, ୬-୪ ଓ ୭-୬ ସିଧାସଳଖ ସେଟ୍‌ରେ ଇଜିପ୍ଟର ମହମ୍ମଦ ସଫ୍‌ଓ୍ଵତ୍‌ଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଛନ୍ତି। ସେହିପରି ୧୯ତମ ମାନ୍ୟତା ଜାପାନର କେଇ ନିଶିକୋରି ୭-୬, ୬-୪ ଓ ୬-୩ ସେଟ୍‌ରେ ଫ୍ରାନ୍‌ସର ମାକ୍ସିମେ ଜାନ୍‌ଭିର୍‌ ଏବଂ ୩୨ତମ ମାନ୍ୟତା ଗୋଲ୍‌ ମୋନ୍‌ଫିଲ୍‌ସ ୩-୬, ୬-୧, ୬-୨ ଓ ୬-୧ ସେଟ୍‌ରେ ଫ୍ରାନ୍‌ସର ଇଲିଅଟ୍‌ ବେନ୍‌ଚେଟ୍ରିଟ୍‌ଙ୍କୁ ପରାସ୍ତ କରି ପ୍ରଥମ ରାଉଣ୍ଡ୍‌ ପାରି ହୋଇଛନ୍ତି। ତେବେ କହୁଣୀ ଆଘାତ ଜନିତ କାରଣରୁ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଅସ୍‌ ଫ୍ରେଞ୍ଚ୍‌ ଓପନ୍‌ରୁ ଓହରି ଯାଇଛନ୍ତି।

ସମ୍ବନ୍ଧିତ ଖବର