ସୁନାବେଶରେ ତିନି ଠାକୁର : ଭାବ ଭକ୍ତିରେ ଉଛୁଳିଲା ବଡ଼ଦାଣ୍ଡ, ଶ୍ରୀକ୍ଷେତ୍ରରେ ୧୦ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ : ଭକ୍ତି ଓ ଭାବରେ ଉଛୁଳିଲା ବଡ଼ଦାଣ୍ଡ। ନବଦିନର ଯାତ୍ରା ସାରି ସିଂହଦ୍ଵାରକୁ ବାହୁଡ଼ିବା ପରେ ଆଜି ପବିତ୍ର ହରିଶୟନ ଏକାଦଶୀ ତିଥିରେ ମହଣ ମହଣ ସୁନା ପିନ୍ଧି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ସିଂହଦ୍ଵାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁର ଏହି କମନୀୟ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ରଥରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ  ବଡ଼ଦାଣ୍ଡ ଆଜି ଲୋକାରଣ୍ୟ ହୋଇ ଉଠିଥିଲା। ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି କୋଟି ପୂଣ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ପରି ଆଜି ବି ଠାକୁରଙ୍କର ସମସ୍ତ ନୀତି ସଅଳ ସଅଳ ସଂପନ୍ନ ହୋଇଥିଲା। ନିର୍ଘଣ୍ଟ ନୀତିର ଦେଢ଼ ଘଣ୍ଟା ପୂର୍ବରୁ ଶ୍ରୀଜିଉ ସୁନାବେଶ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି।

ଆଜି ସକାଳ ୬ଟା୧୦ରେ ଠାକୁରଙ୍କ ମଙ୍ଗଳ ଆଳତି, ସାଢ଼େ ୭ଟାରେ ଅବକାଶ, ୭ଟା୫୦ରେ ବେଶ ଶେଷ, ୮ଟା୧୫ରେ ବଲ୍ଲଭ ଭୋଗ ପରେ ୯ଟା ୫୦ରେ ସକାଳ ଧୂପ ଆରମ୍ଭ ହୋଇଥିଲା। ପୂର୍ବାହ୍‌ଣ ୧୦ଟା ୪୫ରେ ସକାଳ ଧୂପ ଶେଷ ହୋଇ ପୂର୍ବାହ୍‌ଣ ୧୧ଟା ୪୫ରେ ମହାସ୍ନାନ ହୋଇଥିଲା। ୧୧ଟା ୪୫ରେ ମଧ୍ୟାହ୍ନ ଧୂପ ଆରମ୍ଭ ହୋଇଥିଲା। ଅପରାହ୍‌ଣ ଗୋଟାଏରେ ମଧ୍ୟାହ୍ନ ଧୂପ ଏବଂ ଅପରାହ୍‌ଣ ୩ଟା ୨୫ରେ ସଂଧ୍ୟା ଆଳତି ହେବା ପରେ ରଥରେ ତିନି ଠାକୁରଙ୍କଠାରେ ସୁନା ଲାଗି ଆରମ୍ଭ ହୋଇଥିଲା। ଅପରାହ୍‌ଣ ୩ଟାରେ ସେବାୟତମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସିଂହଦ୍ଵାର ଦେଇ ରଥ ଉପରକୁ ତିନି ଠାକୁରଙ୍କ ରତ୍ନଖଚିତ ସୁନାରୁପା ଅଳଙ୍କାର ଆଣିବା ପରେ ଅପରାହ୍‌ଣ ୩ଟା ୪୫ରେ ବେଶ ଆରମ୍ଭ ହୋଇଥିଲା।

ତିନି ଠାକୁରଙ୍କର ଏକାସଙ୍ଗରେ ସୁନାବେଶ ଆରମ୍ଭ ହୋଇଥିଲା। ସୁନାର ଶ୍ରୀପୟର, ଶ୍ରୀଭୂଜ, କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଅଳଙ୍କାରରେ ଠାକୁର ବେଶ ହୋଇଥିଲେ। ଅପରାହ୍‌ଣ ୪ଟା ୫୫ରେ ବେଶ ଶେଷ ପରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କ ଦର୍ଶନ  କରିଥିଲେ।

ଶୃଙ୍ଖଳିତ ଦର୍ଶନ ପାଇଁ ଆଜି ବଡ଼ଦାଣ୍ଡ ମାର୍କେଟ୍‌ ଛକରୁ ୱାନ୍‌ ୱେ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଥିଲା। ସେହିଭଳି ସହରର ବିଭିନ୍ନ ପ୍ରବେଶ ପଥରେ ବ୍ଲକିଂ ବ୍ୟବସ୍ଥା ବି ଦେଖିବାକୁ ମିଳିଥିଲା। ପୁଲିସ ଡିଜିଙ୍କ ସମେତ ଅତିରିକ୍ତ ଡିଜି, ଆଇଜି ଏବଂ ବରିଷ୍ଠ ପୁଲିସ ପଦାଧିକାରୀମାନେ ଉପସ୍ଥିତ ରହି ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର