ବର୍ଷା ବିଭୀଷିକା, ୫ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୬୫

ନୂଆଦିଲ୍ଲୀ: ଚଳିତବର୍ଷ ପ୍ରବଳ ବର୍ଷା ଏବଂ ବନ୍ୟା ହେତୁ ୫ଟି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୬୫ରେ ପହଞ୍ଚିଛି। ଗୃହ ମନ୍ତ୍ରାଳୟର ଏନ୍‌ଇଆରସି (ନ୍ୟାସନାଲ ଏମର୍ଜେନ୍ସି ରେସପନ୍ସ ସେଣ୍ଟର) ତଥ୍ୟ ଅନୁଯାୟୀ ବର୍ଷା ହେତୁ ମହାରାଷ୍ଟ୍ରରେ ୧୩୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି କେରଳରେ ୧୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମ ବଙ୍ଗରେ ୧୧୬, ଗୁଜରାଟରେ ୫୨ ଏବଂ ଆସାମରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ୨୬ ଜିଲ୍ଲା, ପଶ୍ଚିମବଙ୍ଗର ୨୨, ଆସାମର ୨୧, କେରଳର ୧୪ ଏବଂ ଗୁଜରାଟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। ଆସାମରେ ବର୍ଷା ଓ ବନ୍ୟା ଯୋଗୁ ୨.୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧.୬୧ ଲକ୍ଷ, କେରଳରେ ୧.୪୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷରେ ୟୁପିରେ ଗତ ୩ ଦିନର ଲଗାଣ ବର୍ଷାରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୟୁପିର ସହରନପୁରରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଗ୍ରା ଏବଂ ମୀରଟ୍‌ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମଣିପୁରରେ ୪, କାସଗଞ୍ଜରେ ୩, ବରେଲି, ବାଗପତ ଏବଂ ବୁଲନ୍ଦସରରେ ୨ଟି ଲେଖାଏଁ ମୃତ୍ୟୁ ଘଟଣା ଘଟିଛି।

ଯମୁନା ବିପଦ ସଙ୍କେତ ଟପିଲା
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବନ୍ୟା ସତର୍କତା ଜାରି କରାଯାଇଛି। ଯମୁନା ନଦୀ ଏବେ ବିପଦ ସଙ୍କେତ ଅତିକ୍ରମ କରିଛି। ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ହେତୁ ଯମୁନା ନଦୀ ଜଳ ସ୍ତର ବୃଦ୍ଧି ପାଇଛି। ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ନଦୀ କୂଳ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ରାତି ସୁଦ୍ଧା ଯମୁନା ନଦୀ ଜଳ ସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି। ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ଯମୁନା ନଦୀ ଜଳସ୍ତର ବିପଦ ସଙ୍କେତ ଟପି ୨୦୫.୨୦ ମିଟରରେ ପହଞ୍ଚିଥିଲା। ହାଥୀଣିକୁନ୍ଦ ବ୍ୟାରେଜ୍‌ରେ ଯମୁନା ନଦୀ ଜଳ ବିପଦ ସଙ୍କେତ ଟପି ସନ୍ଧ୍ୟା ୫ଟା ସୁଦ୍ଧା ୯୦,୦୦୦ କ୍ୟୁସେକ୍‌ରେ ପହଞ୍ଚିଛି ଏବଂ ୫,୦୩୯୩୫ କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇଛି। ଦିଲ୍ଲୀ ଓଲ୍ଡ ରେଲ୍‌େଓ୍ଵ ବ୍ରିଜ୍‌ରେ ଯମୁନା ନଦୀ ଜଳ ଶନିବାର ସକାଳ ୭ଟା ସୁଦ୍ଧା ୨୦୪.୯୨ ମିଟରରେ ପହଞ୍ଚିଛି। ସେପଟେ ୟୁପିରେ ଲଘୁଚାପ ହୋଇଥିବାରୁ ଏହାର ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ୟୁପି ଏବଂ ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର