ଉଜ୍ଜଳା ଯୋଜନାର ଦୁର୍ନୀତି ଓ ରନ୍ଧନ ଗ୍ୟାସ୍‌ ବୃଦ୍ଧି ପ୍ରତିବାଦ : ଆଇଓସିଏଲ୍‌ କାର୍ଯ୍ୟାଳୟ ଘେରିଲା ମହିଳା ବିଜେଡି

ଭୁବନେଶ୍ୱର, : ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଦୁଇ ଦିନ ତଳେ ସଙ୍ଗଠନ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଆଜି ଉଜ୍ଜଳା ଯୋଜନାରେ ମହାଦୁର୍ନୀତି ଅଭିଯୋଗ କରି ସଙ୍ଗଠନ ଆଇଓସିଏଲ୍‌ କାର୍ଯ୍ୟାଳୟ ଘେରାଉ କରିଛି। କେନ୍ଦ୍ର ସରକାର ଓଡ଼ିଶାର ଗରିବ ମହିଳାମାନଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି ବୋଲି ସଙ୍ଗଠନର ସଭାନେତ୍ରୀ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି।

ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ୍‌ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ ସ୍ଥଳରେ ଶ୍ରୀମତୀ ମଲ୍ଲିକ କହିଲେ, ଉଜ୍ଜଳା ଯୋଜନା ଓଡ଼ିଶାରେ ସଫଳ ହୋଇଛି ବୋଲି ବିପଣନ କମ୍ପାନୀଗୁଡିକ ପକ୍ଷରୁ ଯେଉଁ ଦାବି କରିଛନ୍ତି, ତାହା କେବଳ ଧୂଆଁବାଣ। ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ କହିସାରିଛନ୍ତି ଯେ ଉଜ୍ଜଳା ଯୋଜନାରେ ୩୦ ଲକ୍ଷ ୪୮ ହଜାର ହିତାଧିକାରୀ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ସାମିଲ ହୋଇଥିଲେ। ଦ୍ୱିତୀୟ ଥର ରିଫିଲିଂ କରୁଥିବା ହିତାଧିକାରୀଙ୍କ ସଂଖ୍ୟା କମି ଯାଉଛି। ୨୦୧୬-୧୭ରେ ମାତ୍ର ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ଥର ରିଫିଲିଂ କରିଥିବା ବେଳେ ୨୦୧୭-୧୮ରେ ଏହା ୬,୪୫,୨୬୫କୁ ଖସି ଆସିଛି। ଅନୁଗୁଳ ଜିଲ୍ଲା ପରିସଂଖ୍ୟାନ ଅନୁଯାୟୀ ୧୫ ପ୍ରତିଶତ ହିତାଧିକାରୀ ରିଫିଲିଂ କରୁଥିବା ବେଳେ ୮୫ ପ୍ରତିଶତ ହିତାଧିକାରୀ କେବଳ ପରିସଂଖ୍ୟାନଭୁକ୍ତ ହୋଇ ରହିଯାଇଛନ୍ତି। ଉଜ୍ଜଳା ଯୋଜନାର ମହାଦୁର୍ନୀତି ଯୋଗୁ ମହିଳାମାନେ ଲାଭ ପାଇବା ପରିବର୍ତ୍ତେ ଦଲାଲମାନଙ୍କୁ ମୁନାଫା ଦେବା ସାର ହୋଇଛି। ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନେଇ କେନ୍ଦ୍ର ସରକାର ତାଙ୍କ ଦଳୀୟ କର୍ମୀମାନଙ୍କ ଜରିଆରେ ଉଜ୍ଜଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କ ନାମରେ ପଞ୍ଜିକୃତ କରାଇଛନ୍ତି। ଓଡ଼ିଶାର ଲୋକ ହୋଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି, ଯାହା କ୍ଷୋଭ ଓ ପରିତାପର ବିଷୟ। ସେହିପରି ଉଜ୍ଜଳା ଯୋଜନାର ସବ୍‌ସିଡି ଅର୍ଥ ଠିକ୍‌ ଭାବେ ହିତାଧିକାରୀଙ୍କ ଖାତାକୁ ଆସୁ ନଥିବା ଅଭିଯୋଗ ହେଉଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ କାହିଁକି ନିରବ ରହିଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆନ୍ତର୍ଜାତିୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିବା ବେଳେ ବିଜେପି ସରକାର ସମୟରେ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ୨୨ ଥର ବୃଦ୍ଧି କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଏବେ ଅପାରଗ ଓ ସ୍ଥାଣୁ ପାଲଟିଛି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀମତୀ ମଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ରାଜଶ୍ରୀ ମଲ୍ଲିକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ମହିଳା ସଭାନେତ୍ରୀ ଭାରତୀ ସିଂହ, ବିଏମ୍‌ସି କର୍ପୋରେଟରମାନଙ୍କ ସମେତ ମହିଳା ବିଜେଡିର ସମସ୍ତ ଉପ-ସଭାନେତ୍ରୀ, ସାଧାରଣ ସଂପାଦିକା, ସଂପାଦିକା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର