ସରିଲା ଭସାଣି ଉତ୍ସବ : ଦେବୀଗଡ଼ାରେ ୧୨୯ ମେଢ଼ ବିସର୍ଜିତ

କଟକ : ୧୯ତାରିଖ ଦଶମୀ ରାତିରୁ ଆରମ୍ଭ ହୋଇଥିବା ଭସାଣି ଉତ୍ସବ ରବିବାର ମଧୢ ଚାଲୁ ରହିଛି। ଆଜି ରାତି ୨ଟା ସୁଦ୍ଧା ସହରର ୧୨୯ଟି ମେଢ଼ ଦେବୀଗଡ଼ାରେ ବିସର୍ଜିତ ହୋଇଛି।

କଟକ ଦଶହରାର ଭସାଣି ଉତ୍ସବ ଦଶମୀ ରାତିରୁ ଆରମ୍ଭ ହୋଇଥିଲା। ବଙ୍ଗୀୟ ମତରେ ପୂଜା କରୁଥିବା ଆଲାମ୍‌ଚାନ୍ଦ ବଜାର, ମାଛୁଆବଜାର ସର୍ପାଦୁର୍ଗା, କାଠଗଡ଼ାସାହି ଦୁର୍ଗା ଆଦି ସହରର ୧୨ଟି ମେଢ଼ ଦଶମୀ ରାତିରେ ଦେବୀଗଡ଼ା ବିସର୍ଜିତ ହୋଇଥିଲା। ଏକାଦଶୀ ତିଥି ଶନିବାର ଦିନ ୧୨ଟା ୧୦ରେ ପ୍ରଥମେ ମେହେନ୍ଦିପୁର ଦୁର୍ଗା ମେଢ଼ ଦେବୀଗଡ଼ାରେ ବିସର୍ଜିତ ହୋଇଥିବା ଦ୍ବିତୀୟ ଦିନ ସମୁଦାୟ ୧୧୨ଟି ମେଢ଼ ବିସର୍ଜନ କରାଯାଇଥିଲା। ଆଜି ସକାଳ ୬ଟା ୫୦ରେ ଦ୍ବିତୀୟ ଦିନରେ ଶେଷ ମେଢ଼ ଭାବେ ନୂଆପାଟଣା ମହାଦେବ ବିସର୍ଜିତ ହୋଇଛି। ଦଶମୀ ଓ ଏକାଦଶୀ ଦୁଇ ଦିିନରେ ମୋଟ ୧୨୯ଟି ମେଢ଼ ଦେବୀଗଡ଼ାରେ ବିସର୍ଜିତ ହୋଇଥିଲା। ରବିବାର ରାତି ୨ଟା ମଧୢରେ ଦରଘାବଜାର, ଟାଉନ୍‌ହଲ ରୋଡ ଓ ଉପର ତେଲେଙ୍ଗାବଜାର ଆଦି ୩ଟି ମେଢ଼ ବିସର୍ଜିତ ମିଶାଇ ମୋଟ ୧୨୯ଟି ମେଢ଼ ଦେବୀଗଡ଼ା ଗଡ଼ିଛନ୍ତି। ମେଢ଼ ଶୋଭାଯାତ୍ରାକୁ ଶୃଙ୍ଖଳିତ, କରିବା ପାଇଁ କମିସନରେଟ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସ୍ବରୂପ ୬୦ ପ୍ଲାଟୁନ ଫୋର୍ସ‌୍‌ ସମେତ ୧୦୦ରୁ ଅଧିକ ଅଫିସର ନିଯୁକ୍ତି ହୋଇଛନ୍ତି। ଦେବୀଗଡ଼ାରେ ସିଏମ୍‌ସି ପକ୍ଷରୁ ୩ଟି ଅସ୍ଥାୟୀ ଜଳାଶୟ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସେପଟେ ଦେବୀଙ୍କ ବିସର୍ଜନ ଦେଖିବା ପାଇଁ ଦେବୀଗଡ଼ା ସମେତ କାଠଯୋଡ଼ି ରିଙ୍ଗବନ୍ଧରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି।

ସୂଚନା ଯୋଗ୍ୟ, ଚଳିତ ବର୍ଷ କଟକ ମହାନଗର ଓ ଏହା ଆଖପାଖରେ ପାଖାପାଖି ୧୬୫ଟି ମଣ୍ତପରେ ଦୁର୍ଗା, ମହାଦେବ ପାର୍ବତୀ, ଚୈତନ୍ୟ ଦେବ, କାଳୀୟଦଳନ, ପିତୁଳା ଆଦି ପୂଜା କରାଯାଇଥିବା ବେଳେ ଦେବୀଗଡ଼ାରେ ୧୩୦ରୁ ଅଧିକ ମେଢ଼ ବିସର୍ଜନ କରାଯାଏ। କଟକ ସହର ଅଞ୍ଚଳର ୧୭/୧୮ଟି ମେଢ଼ ଗୋପାଳପୁର ସ୍ଥିତ କାଠଯୋଡ଼ିରେ ବିସର୍ଜିତ ହେଉଥିବା ବେଳେ ଜଗତପୁର ୪ଟି ମେଢ଼ ବ୍ୟାରେଜ୍‌ ଛକସ୍ଥିତ ମହାନଦୀରେ ବିସର୍ଜିତ ହୋଇଥାଏ।

ସମ୍ବନ୍ଧିତ ଖବର