କଂଗ୍ରେସ ଇସ୍ତାହାରରେ ଘୋଷଣା, କ୍ଷମତାକୁ ଆସିଲେ ଆର୍‌ଏସ୍‌ଏସ୍‌ ଶାଖା ନିଷିଦ୍ଧ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ନିର୍ବାଚନୀ ଇସ୍ତାହାରକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବିଭିନ୍ନ ଶାଖାକୁ ନିଷିଦ୍ଧ କରାଯିବ ବୋଲି ଏଥିରେ କୁହାଯାଇଛି। କୌଣସି ସରକାରୀ ଭବନରେ ଆର୍‌ଏସ୍‌ଏସ୍‌ ଶାଖା ଖୋଲିବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ ଘୋଷଣା କରିଛି। ଏହାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ନେତାମାନେ କହିଛନ୍ତି ଯେ କଂଗ୍ରେସର ଏବେ ଏକସୂତ୍ରୀ କାର୍ଯ୍ୟକ୍ରମ ହୋଇଛି- ‘ମନ୍ଦିର ହେବାକୁ ଦେବୁ ନାହିଁ, ଶାଖା ଚାଲିବାକୁ ଦେବୁନାହିଁ।’ ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ କହିଛନ୍ତି ଯେ ସଂଘକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି, ଯାହାକି ଅତ୍ୟନ୍ତ ଲଜ୍ଜା ଓ ପରିତାପର ବିଷୟ। ସିମି ଭଳି ଆତଙ୍କବାଦୀ ସଂଗଠନ ପ୍ରତି କଂଗ୍ରେସ ଦରଦ ଦେଖାଇ ତୁଷ୍ଟୀକରଣ ରାଜନୀତି କରୁଛି ଏବଂ ଦେଶର ଗୌରବ ବଢ଼ାଉଥିବା ସଂଗଠନକୁ ଟାର୍ଗେଟ କରୁଛି। ମଧ୍ୟପ୍ରଦେଶର ଜନସାଧାରଣ କଂଗ୍ରେସକୁ କଦାପି ‌କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଆରଏସ୍‌ଏସ୍‌ ଶାଖା ନିଷିଦ୍ଧ କରିବା ପାଇଁ କରିଥିବା ଘୋଷଣା ଯଥାର୍ଥ ବୋଲି ରାଜ୍ୟ କଂଗ୍ରେସ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର