ପୋଲାଭରମ ମାମଲା : କଠୋର ହେଲେ ସୁପ୍ରିମକୋର୍ଟ, ଜନଶୁଣାଣି ନାହିଁ ତ ପ୍ରକଳ୍ପକୁ ଅନୁମତି କେମିତି?

ଶନିବାର ସୁଦ୍ଧା ଟର୍ମ‌୍ସ ଅଫ କଣ୍ଡିସନ୍‌, ଦାଖଲ ପାଇଁ ସମୟ ଧାର୍ଯ୍ୟ, ସୋମବାର ଭବିଷ୍ୟତ ନିର୍ଦ୍ଧାରଣ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍‌ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ‘ଜନଶୁଣାଣି ନାହିଁ ତ ପ୍ରକଳ୍ପ କାର୍ଯ୍ୟକୁ କେମିତି ଅନୁମତି’ ବୋଲି ପ୍ରଶ୍ନ କରିବା ସହିତ ପରୋକ୍ଷରେ ପ୍ରକଳ୍ପର କାର୍ଯ୍ୟ ବନ୍ଦ ପାଇଁ ସଙ୍କେତ ଦେଇଛନ୍ତି। ଏଥିସହିତ, ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି କରିବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଏ‌‌ଜେନ୍ସି ଦ୍ବାରା ଜନଶୁଣାଣି କରିବା ନେଇ ଟର୍ମସ ଆଣ୍ଡ୍‌ କଣ୍ଡିସନ୍‌ରେ ବିସ୍ତୃତ ବିବରଣୀ ଶନିବାର ଦିନ ସତ୍ୟପାଠ ଜରିଆରେ ଦାଖଲ କରିବାପାଇଁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଡେଡ୍‌ଲାଇନ୍‌ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସତ୍ୟପାଠ ଅନୁଧ୍ୟାନ କରିବାପରେ ସୋମବାର ଦିନ ପୋଲାଭରମ ପ୍ରକଳ୍ପର କାର୍ଯ୍ୟବନ୍ଦ ପାଇଁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ସମ୍ପର୍କରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ଆଦେଶ ଦେଇପାରନ୍ତି।

ଆଜି ସୁପ୍ରିମକୋର୍ଟଙ୍କ ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଏସ୍‌ ଏ ନଜିରଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ଥିଲା। ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୁଣ କାଥପାଲିଆ ଯୁକ୍ତି ଦର୍ଶାଇଥିଲେ ଯେ, ପୋଲାଭରମ ପ୍ରକଳ୍ପର ପରିବେଶ ମଂଜୁରିର ବୈଧତା ନଥିବାବେଳେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା‌ ଆନ୍ଧ୍ରପ୍ରଦେଶକୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ଯେଉଁ ଅନୁମତି ଦିଆଯାଇଛି, ତାହା ସମ୍ପୂର୍ଣ୍ଣ ରୂପେ ବେଆଇନ।

ଓଡ଼ିଶା ପକ୍ଷରୁ ଆହୁରି ମଧ୍ୟ ଯୁକ୍ତି ଦର୍ଶାଯାଇଥିଲା ଯେ, ମନ୍ତ୍ରାଳୟ ଦ୍ବାରା ପରିବେଶ ମଂଜୁରି ନଥିବା ଯୋଗୁଁ ପୋଲାଭରମ ପ୍ରକଳ୍ପର କାର୍ଯ୍ୟବନ୍ଦ ଆଦେଶ ଦିଆଯାଇଥିଲା। ସେହି ଆଦେଶକୁ ସ୍ଥଗିତ ରଖାଯାଇ ବାରମ୍ବାର ଆନ୍ଧ୍ରପ୍ରଦେଶକୁ ପ୍ରକଳ୍ପ ନିର୍ମାଣର ଅନୁମତି ଦିଆଯାଉଛି। ୨୦୦୫ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ପୋଲାଭରମ ପ୍ରକଳ୍ପକୁ ପରିବେଶ ମଂଜୁରି ଦିଆଯାଇଥିଲା। ଏହାପରେ ପ୍ରକଳ୍ପର ଡିଜାଇନ୍‌ ବଦଳା ଯାଇଥିଲା। ଡିଜାଇନ୍‌ ପରିବର୍ତ୍ତନ ଯୋଗୁଁ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଥିବାରୁ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଯୁକ୍ତି ଉପସ୍ଥାପନ କରିବା ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହାପରେ, ଖଣ୍ଡପୀଠ ଓଡ଼ିଶା ଓ ଛତିଶଗଡ଼ରେ କାହିଁକି ଜନଶୁଣାଣି କରାଗଲା ନାହିଁ ବୋଲି ଆନ୍ଧ୍ରପ୍ରଦେଶ ଓକିଲ ଏକେ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ଗାଙ୍ଗୁଲି କହିଥିଲେ ଯେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଓଡ଼ିଶା ଓ ଛତିଶଗଡ଼ ରାଜ୍ୟରେ ଜନଶୁଣାଣି କରିବାପାଇଁ ଲଗାତାର ପ୍ରୟାସ କରାଯାଇଥିଲା। ତେବେ ଏହାସତ୍ତ୍ବେ ଦୁଇରାଜ୍ୟ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିନାହାନ୍ତି।

ସେ ପୁଣି କହିଥିଲେ ଯେ ଜନଶୁଣାଣିକୁ ଓଡ଼ିଶାରେ ତ୍ବରାନ୍ବିତ କରିବାପାଇଁ ରାଜ୍ୟକୁ ଆଗୁଆ ୭୫ ହଜାର ଟଙ୍କା ପଠାଯାଇଥିଲା। ଅନ୍ୟପକ୍ଷେ ଛତିଶଗଡ଼ ସରକାର ଜନଶୁଣାଣି କାର୍ଯ୍ୟ ଶେଷ ହେବାପରେ ଅର୍ଥ ଗ୍ରହଣ କରିବେ ବୋଲି ଜଣାଇବାରୁ ଛତିଶଗଡ଼କୁ ଜନଶୁଣାଣି ପାଇଁ ଅର୍ଥ ଦିଆଯାଇନଥିଲା। ଅନ୍ୟପକ୍ଷରେ, ଓଡ଼ିଶା ଉଦ୍ଦେଶ୍ୟମୂଳକ ଭାବେ ଓଡ଼ିଶା ଅଞ୍ଚଳରେ ଜନଶୁଣାଣିକୁ ଏଡ଼ାଇ ଦେଉଛି ଏବଂ ଏଥିରେ ଆଦୌ ସହଯୋଗ କରୁନାହିଁ ବୋଲି ଗାଙ୍ଗୁଲି ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ସମସ୍ତ ନିୟମ ଅନୁଯାୟୀ କ୍ରିୟାନ୍ବୟନ କରାଯାଇଛି ଏବଂ କୌଣସି ଆଇନର ଉଲ୍ଲଂଘନ କରାଯାଇନାହିଁ ବୋଲି ଆନ୍ଧ୍ରସରକାରଙ୍କ ଓକିଲ ଖଣ୍ଡପୀଠଙ୍କ ନିକଟରେ କହିଥିଲେ।

ହେଲେ ଖଣ୍ଡପୀଠ କହିଥିଲେ ଯେ ଗୋପାଳକୃଷ୍ଣ କମିଟି ରିପୋର୍ଟ ସମ୍ପର୍କରେ ଆଜି ଯୁକ୍ତି ହେଉନାହିଁ ବରଂ ଆଜିର ଶୁଣାଣି ପ୍ରକଳ୍ପ ଅଞ୍ଚଳରେ ଜନଶୁଣାଣି ଉପରେ ଆଧାରିତ ଅଟେ।

ଉଭୟ ଓଡ଼ିଶା ଓ ଆନ୍ଧ୍ରର ଯୁକ୍ତି ଶୁଣି ସାରିବା ପରେ ଖଣ୍ଡପୀଠ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି କରିବା ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ‌କେଉଁସବୁ ପଦକ୍ଷେପ ନିଆଯାଇଛି, ସେନେଇ କେନ୍ଦ୍ର ସରକାରଙ୍କ ଓକିଲ ୱାସିମ୍‌ ଅହମଦ କାଦ୍ରିଙ୍କୁ ପ୍ରଶ୍ନ କରିଥିଲେ।

କେନ୍ଦ୍ର ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ ଜବାବ୍‌ରେ କହିଥିଲେ ଯେ, ଦୁଇ ରାଜ୍ୟକୁ ଏନେଇ ପତ୍ର ଲେଖାଯାଇଥିଲା ଏବଂ ବାରମ୍ବାର ରିମାଇଣ୍ଡର ମଧ୍ୟ ପଠାଯାଇଥିଲା। ହେଲେ ଦୁଇ ରାଜ୍ୟରେ ଜନଶୁଣାଣି ହୋଇପାରିନାହିଁ।

ତେବେ, ଖଣ୍ଡପୀଠ କହିଥିଲେ କେବଳ ପତ୍ର ଲେଖି ଓ ଯୋଗାଯୋଗ କରି ଚୁପ୍‌ ବସିଗଲେ କାର୍ଯ୍ୟ ହୋଇଗଲା ବୋଲି ଅନୁମାନ କରାଯାଇପାରିବ କି ? ଯଦି ଓଡ଼ିଶା ଦ୍ବାରା ଜନଶୁଣାଣି ପାଇଁ ସହଯୋଗ ମିଳିନଥିଲା ତାହାଲେ ସ୍ବତନ୍ତ୍ର ଏଜେନ୍ସି ଦ୍ବାରା ଜନଶୁଣାଣି କରିବାପାଇଁ ଉଦ୍ୟମ କରାଯାଇଥିଲା କି ? ଜାବବରେ କେନ୍ଦ୍ର ସରକାରଙ୍କ ଓକିଲ କହିଥିଲେ ସେମାନେ ସ୍ବତନ୍ତ୍ର ଏଜେନ୍ସି ନିଯୁକ୍ତ କରିନାହାନ୍ତି। ଖଣ୍ଡପୀଠ କହିଛନ୍ତି ଗଣତନ୍ତ୍ରରେ ଜନମତକୁ ମଧ୍ୟ ବିଚାରକୁ ନିଆଯିବା ଦରକାର। ସେମାନଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ ହେବା ଆବଶ୍ୟକ। ସେମାନଙ୍କୁ ଅନ୍ଧାରରେ ରଖାଯାଇ ପାରିବନି ବୋଲି ଖଣ୍ଡପୀଠ କହିଛନ୍ତି। ଏହାପରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯଦି ଏହି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦିଆଯାଏ ତାହାଲେ ଏହାର ଆର୍ଥିକ ପରିଣତି କ’ଣ ହେବ। ତେବେ ରାଜ୍ୟ ସରକାର ଏନେଇ ସିଧାସଳଖ ଉତ୍ତର ନଦେଇ କହିଥିଲେ ଯେ ପ୍ରକଳ୍ପର ଡିଜାଇନ୍‌କୁ ଯେଉଁଭଳି ପରିବର୍ତ୍ତନ କରାଯାଇଛି ଏହାଦ୍ବାରା ଓଡ଼ିଶାର ବ୍ୟାପକ କ୍ଷତି ହେବ। ତେବେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଓକିଲ କହିଥିଲେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେଲେ ଆନ୍ଧ୍ରକୁ ୩୦ ହଜାର କୋଟି ଟଙ୍କାର କ୍ଷତି ହେବ। ଓଡ଼ିଶା ଓକିଲ କହିଥିଲେ ଯେ ପ୍ରକଳ୍ପର ପରିବର୍ତ୍ତିତ ପାରାମିଟର ଯୋଗୁଁ ଓଡ଼ିଶାରେ ତିନିଗୁଣା ଅଧିକ କ୍ଷତି ହେବ। ଦୁଇପକ୍ଷଙ୍କ ଯୁକ୍ତି ଶୁଣିବାପରେ ଖଣ୍ଡପୀଠ କହିଥିଲେ ଯେ, ଏହି ପ୍ରସଙ୍ଗରେ ଦୁଇଟି ମତ ଉପୁଜୁଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନଚେତ୍‌ ଜନଶୁଣାଣିକୁ କ୍ରିୟାନ୍ବୟନ କରାଯିବ।

ଆଜିର ଶୁଣାଣି ସମୟରେ ତେଲେଙ୍ଗାନା ଓକିଲ ସିଏସ୍ ବୈଦନାଥନ୍‌ ଓ ରେଲାର ଓକିଲ ଜୟନ୍ତ ଭୂଷଣ ପ୍ରକଳ୍ପର ପରିବେଶ ମଂଜୁରି ନଥିବା ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର