ନୟାଗଡ଼/ନୂଆଗାଁ : କ୍ରୋଧର ବଶବର୍ତୀ ହୋଇ ବ୍ୟକ୍ତି କିଭଳି କ୍ଷତି ଘଟାଇପାରେ, ତାହା ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ବକଳବନ୍ଧ ଅଞ୍ଚଳରେ। ଚା’ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ଜଣେ ଗ୍ରାହକ ସଂପୃକ୍ତ ଦୋକାନୀଙ୍କ ଉପରେ କଡେଇରେ ବସିଥିବା ଗରମ ତେଲକୁ ଢାଳି ଦେବାରୁ ଦୋକାନୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି। ଏହି ଅମାନବୀୟ ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ ମହିପୁର ଫାଣ୍ଡି ଅନ୍ତର୍ଗତ ବକଳବନ୍ଧ ଛକରେ କୃଷ୍ଣଚନ୍ଦ୍ର ସାହୁ(୩୦) ଜଳଖିଆ ଦୋକାନ କରିଛନ୍ତି। ସବୁଦିନ ଭଳି କୃଷ୍ଣଚନ୍ଦ୍ର ଆଜି ସକାଳେ ନିଜ ଦେକାନ ଖୋଲିଥିଲେ। ସକାଳ ପ୍ରାୟ ୭ ଟା ୩୦ ସମୟରେ ଦୋକାନରେ ସ୍ଥାନୀୟ ଏକତାଳ ଗ୍ରାମର ଯୁଗୋଳ ବରାଡ ପହଞ୍ଚି କୃଷ୍ଣଚନ୍ଦ୍ରଙ୍କୁ ଚା ମାଗିଥିଲେ। ତେବେ ଚା’ ଦେବାରେ ବିଳମ୍ବକୁ ନେଇ ଦୋକାନୀ କୃଷ୍ଣଚନ୍ଦ ଓ ଯୁଗୋଳଙ୍କ ମଧ୍ୟେରେ ଯୁକ୍ତତର୍କ ହୋଇଥିଲା। ଏଥିରେ ଯୁଗୋଳ ଉତ୍ତେଜିତ ହୋଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ଧମକ ଦେବା ସହ ଦେକାନରେ ଥିବା ବିଭିନ୍ନ ଖାଦ୍ୟସାମଗ୍ରୀକୁ ଫିଙ୍ଗାଫିଙ୍ଗି କରିଥିଲେ। କୃଷ୍ଣଚନ୍ଦ୍ର ଏହାର ପ୍ରତିରୋଧ କରିବାରୁ ଦେକାନରେ ବରା ଛଣାଯିବା ପାଇଁ କଡ଼େଇରେ ବସିଥିବା ଗରମ ତେଲକୁ ଯୁଗୋଳ କୃଷ୍ଣଚନ୍ଦ୍ରଙ୍କ ଉପରେ ଢାଳି ଦେଇଥିଲା। କୃଷ୍ଣଚନ୍ଦ୍ରଙ୍କ ପାଟି ଶୁଣି ଘଟଣାସ୍ଥଳରେ ତାଙ୍କ ପରିବାର ଲୋକ ପହଞ୍ଚିଥିଲେ। ହେଲେ ସେତେବେଳକୁ ଯୁଗୋଳ ସେଠାରୁ ଗାଏବ ହୋଇଯାଇଥିଲେ। କୃଷ୍ଣଚନ୍ଦ୍ରଙ୍କୁ ପରିବାର ଲୋକ ତୁରନ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରିବା ସହ ନୂଆଗାଁ ଥାନାକୁ ଖବର ଦେଇଥିଲେ। ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କୃଷ୍ଣଚନ୍ଦ୍ରଙ୍କର ପ୍ରାରମ୍ଭିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।
କୃଷ୍ଣଚନ୍ଦ୍ରଙ୍କ ଉପରେ ଗରମ ତେଲ ଢାଳିଥିବା ଯୁଗୋଳ ଉପରେ ମଧ୍ୟ କିଛି ତେଲ ପଡ଼ିଯିବାରୁ ତା ଦେହରେ ସାମାନ୍ୟ ଫୋଟକା ହୋଇଛି। ସେ ମଧ୍ୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ। ଏହି ସମୟରେ ନୟାଗଡ଼ ଏସ୍ଡିପିଓ ସୁଧାକର ସାହୁ ଚିକିତ୍ସାଳୟରେ ପହଞ୍ଚି ଅଭିଯୁକ୍ତ ଯୁଗୋଳକୁ କାବୁ କରି ନେଇଥିଲେ। ତାଙ୍କୁ ତୁରନ୍ତ ନେଇ ଟାଉନ ଥାନାରେ ଅଟକ ରଖାଯାଇଥିଲା। ପରବର୍ତୀ ସମୟରେ ଏନେଇ ନୁଆଗାଁ ଥାନାରେ ମାମଲା ରୁଜୁ କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ନଥିବା ସୂଚନା ମିଳିଛି।