ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବାକୁ ବସିଲାଣି ‘ବେଲଘର’ ଅସ୍ତିତ୍ୱ, ପାନ୍ଥନିବାସ ପାଲଟିଛି ଭୂତକୋଠି

ତୁମୁଡିବନ୍ଧ(ସନ୍ତୋଷ ଦାସ): ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ‘ବେଲଘର’ର ସ୍ଥାନ ଧୀରେ ଧୀରେ ଲିଭିବାକୁ ଯାଉଛି। ଓଡିଶା ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ପାଇଥିବା କନ୍ଧମାଳ ଜିଲ୍ଲାର ବଣ ପାହାଡ଼ ଓ ଝରଣା ଘେରା ‘ବେଲଘର’ ଅତୀତର ସୌନ୍ଦର୍ଯ୍ୟ ହରାଇଛି। ଏଠାରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ପର୍ଯ୍ୟଟନ ବିଭାଗର ‘ପାନ୍ଥ ନିବାସ’ ଭୂତକୋଠି ପାଲଟିଗଲାଣି କହିଲେ ଅତ୍ୟୁକ୍ତି ହେବ ନାହି।

ଉପେକ୍ଷିତ ପର୍ଯ୍ୟଟନ ସ୍ଥଳୀ

ବେଲଘର ଏବେ ଅସାମଜିକ ବ୍ୟକ୍ତିଙ୍କ ହାତରେ ଛନ୍ଦି ହୋଇପଡ଼ିଛି। ଜିଲ୍ଲାରେ ପର୍ଯ୍ୟଟନ ବିଭାଗର ଏକ କାର୍ଯ୍ୟାଳୟ ଥିଲେ ମଧ୍ୟ ସଂପୃକ୍ତ ବିଭାଗର ଅଧିକାରୀ କିମ୍ବା କୌଣସି କର୍ମଚାରୀଙ୍କ ପାଦ ପଡ଼ୁ ନାହିଁ। ପର୍ଯ୍ୟଟକଙ୍କୁ ଏଭଳି ସ୍ଥାନର ସୂଚନା ଦିଆ ଯାଉନାହିଁ।

ଅଙ୍କା-ବଙ୍କା ପାହାଡିଆ ରାସ୍ତାରେ ଯିବେ ବେଲଘର

ବେଲଘର ଠାରେ ସୁଉଚ୍ଚ ପାହାଡ଼, ଘଞ୍ଚ ଜଙ୍ଗଲ, ଅଭୟାରଣ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟ ଓ ଚିରୋସ୍ରୋତା ଝରଣା, ଜଳପ୍ରଫାତ ଓ ବ୍ରିଟିଶ ଅମଳର କାଠ ବଙ୍ଗଳା ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପର୍ଯ୍ୟଟନ ସ୍ଥାନ ବେଲଘରକୁ ଯିବା ପାଇଁ ତୁମୁଡିବନ୍ଧରୁ ମାତୃଗାଁ ଛକ ଦେଇ ଯିବାକୁ ପଡିଥାଏ। ଅଙ୍କା ବଙ୍କା ରାସ୍ତା ଦେଇ ୮/୧୦ଟି ବଡ଼ ବଡ଼ ପାହାଡ଼ ଦେଇ ଯିବାକୁ ପଡିଥାଏ। ଆଗରୁ ଭଲ ରାସ୍ତା ନଥିବା ବେଳେ ବର୍ତ୍ତମାନ ଭଲ ରାସ୍ତା ହୋଇ ଥିବା ଯୋଗୁଁ ପର୍ଯ୍ୟଟକ ମାନେ ଯିବା ପାଇଁ ମନ ବଳାଉ ଥିବା ବେଳେ ପର୍ଯ୍ୟଟନ ବିଭାଗର ଅବହେଳା କାରଣରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପାରୁ ନାହିଁ।

ନଷ୍ଟ ହେଉଛି କାଠ ବଙ୍ଗଳା

ବନ ବିଭାଗ ପକ୍ଷରୁ ସେଠାରେ କାଠ ବଙ୍ଗଳାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉଛି କିନ୍ତୁ ସ୍ୱତନ୍ତ୍ର ଅନୁଦାନ ନଥିବାରୁ ତାହା ମଧ୍ୟ ଧୀରେ ଧୀରେ ନଷ୍ଟ ହେବାକୁ ବସିଛି। କାଠ ବଙ୍ଗଳାରେ ପର୍ଯ୍ୟଟକମାନଙ୍କୁ ରହିବା ପାଇଁ ସୁଯୋଗ ଦିଆ ଯାଉନାହିଁ। ବନ ବିଭାଗର ୫ ଟି ତମ୍ବୁ କଟେଜ ରହିଛି। ଯାହା ସମସ୍ତ ପର୍ଯ୍ୟଟକକୁ ପର୍ଯ୍ୟାପ୍ତ ହୋଇ ପାରୁ ନାହିଁ। ଯଦି ଏଠାକୁ ପର୍ଯ୍ୟଟକ ଆସନ୍ତେ ତେବେ ଏଠାକାର ଆର୍ଥିକ ଓ ସାମାଜିକ ପରିବର୍ତ୍ତନ ହୋଇ ପାରନ୍ତା। ଏଥି ପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପର୍ଯ୍ୟଟନ ବିଭାଗକୁ ସୁପାରିଶ କଲେ ଏଠାକାର ପର୍ଯ୍ୟଟନ କ୍ଷେତ୍ର ସୁରକ୍ଷିତ ରହିବା ସହ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହୁଅନ୍ତା।

ସମ୍ବନ୍ଧିତ ଖବର