ବସ୍‌ରେ ମୋତେ ଅଶାଳୀନ ଭାବରେ ସ୍ପର୍ଶ କରିଥିବା ଯୁବକଙ୍କୁ ମୁଁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲି : ନୀତି ମୋହନ

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନୀତି ମୋହନ #ମି ଠୁକୁ ନେଇ ଦେଇଥିବା ବୟାନ ପାଇଁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ସେ ନିହାର ପାଣ୍ଡ୍ୟାଙ୍କୁ ବିବାହ କରିବାକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ତାଙ୍କର #ମି ଠୁ ଖୁଲାସାକୁ ନେଇ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ବଲିଉଡ୍‌ ବବଲ୍‌କୁ ସାକ୍ଷାତକାର ଦେଇ ସେ ନିଜ ସହ ଜଡ଼ିତ ଅନେକ ଅଜଣା କଥା ସାମ୍ନାକୁ ଆଣିଛନ୍ତି।

#ମି ଠୁକୁ ନେଇ ତାଙ୍କର ପ୍ରତିକ୍ରିୟା ମଗା ଯାଇଥିବା ବେଳେ, “ଏହା ଏକ ଭଲ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ମହିଳାମାନେ ନିଜ ସହ ଘଟିଥିବା ଅସଦାଚରଣ ବିଷୟରେ ଲୋକମାନଙ୍କ ଆଗରେ କହି ପାରୁଛନ୍ତି । କିଛି ଲୋକ ଏଭଳି ଅପରାଧ କରି ମଧ୍ୟ ଏହାକୁ ଅପରାଧ ବୋଲି ଭାବନ୍ତି ନାହିଁ । କିନ୍ତୁ ଏହି ଅଭିଯାନ ସେ ସବୁ ଲୋକଙ୍କୁ ନିଜର ଭୁଲ ବିଷୟରେ ଜଣାଇବା ସହ ଆଗକୁ ଏପରି ନ କରିବା ପାଇଁ ସେମାନଙ୍କୁ ଚେତାଇ ଦେଇଛି । ସମସ୍ତେ ନିଜ ସହ ହୋଇଥିବା ଅସଦାଚରଣର ଉଚିତ୍‌ ଜବାବ ଦେଇ ପାରନ୍ତି ନାହିଁ । ଯାହା ପାଇଁ ଅପରାଧୀର ସାହାସ ବଢ଼ି ଯାଇଥାଏ । ମୋ ସହ ମଧ୍ୟ ଦିଲ୍ଲୀରେ ସେଭଳି କିଛି ଘଟିଥିଲା । ବସ୍‌ରେ ଯାଉଥିବା ବେଳେ କିଛି ଯୁବକ ମୋତେ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ । କିନ୍ତୁ ମୁଁ ଚୁପ୍‌ ନ ରହି ସେମାନଙ୍କୁ ସର୍ବ ସମ୍ମୁଖରେ ଚାପୁଡ଼ା ମାରିଥିଲି” ବୋଲି କହିଛନ୍ତି ନୀତି ।

ସମ୍ବନ୍ଧିତ ଖବର