ଭୁବନେଶ୍ୱର : ହଳଦୀ ପଡ଼ିଆ ବସ୍ତିରୁ ପୁଣି ଜବତ ହୋଇଛି ବ୍ରାଉନ୍ ସୁଗାର। ଅବକାରୀ ଗୁଇନ୍ଦା ଅଧିକାରୀମାନେ ଚଢ଼ଉ କରି ୧୦୫ ଗ୍ରାମ୍ ଜବତ କରିବା ସହ ଅଭିଯୁକ୍ତ ସନ୍ତୋଷ ସାହୁଙ୍କୁ ଗିରଫ କରିଛନ୍ତି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଅନୁମାନ କରିଛି। ଦୀର୍ଘ ଦିନ ହେବ ସନ୍ତୋଷ ବ୍ୟବସାୟ ଜାରି ରଖିଥିଲେ ମଧ୍ୟ ଅବକାରୀ ବିଭାଗକୁ ଚକ୍ମା ଦେଖାଇ ଖସି ଯାଉଥିଲା। ପୂର୍ବରୁ ଧରା ପଡ଼ିଥିବା କେତେକ ବ୍ୟବସାୟୀଙ୍କ ସୂଚନାକ୍ରମେ ଆଜି ଅଧିକାରୀମାନେ ଛଦ୍ମ ବେଶରେ ବସ୍ତି ଭିତରେ ପଶିଥିଲେ। ସନ୍ତୋଷ ଏହି ପୁଡ଼ିଆ ଧରି ବ୍ୟବସାୟ ପାଇଁ ବାହରୁଥିବା ବେଳେ ଅଧିକାରୀମାନେ ତାକୁ ଧରିଥିଲେ। ତେବେ ଧରାପଡ଼ିଥିବା ଏହି ଅଭିଯୁକ୍ତ କୁଇକ୍ ଆକ୍ସନ ଟିମ୍ର ଇନ୍ଫର୍ମର ବୋଲି ଚର୍ଚ୍ଚା ହେଉଛି। ପୁଲିସକୁ ଖବର ଦେଇ ଅନ୍ୟ ଅଭିଯୁକ୍ତଙ୍କୁ ଜେଲ୍ରେ ପୂରାଇ ସାରିବା ପରେ ନିଜେ ଏହି ବେଆଇନ ବ୍ୟବସାୟରେ ନିଜକୁ ବାଦ୍ଶାହ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ପୁଲିସକୁ ସୂଚନା ଦେଉଥିବାରୁ ପୁଲିସ ତାକୁ ଗିରାଫ କରୁ ନଥିଲା କିମ୍ବା ଅନ୍ୟମାନଙ୍କୁ ପୁଲିସ ଭୟ ଦେଖାଇ ସୂଚନା ପ୍ରଘଟ କରିବାର ସୁଯୋଗ ଦେଉ ନଥିଲା ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ପୁଲିସକୁ ବଦନାମ କରିବା ପାଇଁ ଏଭଳି କୁହାଯାଉଛି। ଇନ୍ଫର୍ମର ଅପରାଧ କଲେ ପ୍ରଶୟ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।