ଅଖିଳେଶଙ୍କୁ ଆହ୍ଲାବାଦ ଯିବାକୁ ଦେଲେନି

ଲକ୍ଷ୍ନୌ ଏୟାରପୋର୍ଟରେ ଅଟକାଇ‌ଲା ପୁଲିସ ରାଜ୍ୟବ୍ୟାପୀ ବିକ୍ଷୋଭ, ଲାଠିମାଡ଼ରେ ସାଂସଦ ଆହତ

ଲକ୍ଷ୍ନୌ: ଆହ୍ଲାବାଦ ବିଶ୍ବବିଦ୍ୟାଳୟର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଆଜି ଲକ୍ଷ୍ନୌ ଏୟାରପୋର୍ଟରେ ପୁଲିସ ପ୍ରଶାସନ ପକ୍ଷରୁ ଅଟକ ରଖାଯିବାରୁ ଏହାକୁ ନେଇ ରାଜ୍ୟରେ ତମ୍ବିତୋଫାନ ସୃଷ୍ଟି ହୋଇଛି। ଏୟାରପୋର୍ଟରେ ହିଁ ପୁଲିସ କର୍ମୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଅଖିଳେଶଙ୍କ ସମର୍ଥକଙ୍କ ଧସ୍ତାଧସ୍ତି ହୋଇଥିଲା। ଅଖିଳେଶ ତୁରନ୍ତ ଟ୍ବିଟ୍‌ କରି ତାଙ୍କୁ ସରକାର ଆକ୍ରୋଶମୂଳକ ଭାବେ ଅଟକାଇଛନ୍ତି ଏବଂ ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ପୁଲିସ ପ୍ରଶାସନ ତାଙ୍କୁ ସେଠାକୁ ଯିବାକୁ ଦେଉନାହିଁ ବୋଲି କହିଥିଲେ। ଏହାପରେ ଶତାଧିକ ସ୍ଥାନରେ ସପା କର୍ମୀମାନେ ବିକ୍ଷୋଭ ଆରମ୍ଭ କରିଥିଲେ। ଏହି ମାମଲାକୁ ନେଇ ସଂସଦରେ ମଧ୍ୟ ହଟ୍ଟଗୋଳ ହୋଇଥିଲା।
ଅଖିଳେଶ କହିଛନ୍ତି ଯେ ବିଶ୍ବ ବିଦ୍ୟାଳୟ ଛାତ୍ର ସଂଘର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ଯୋଗ ଦେବାକୁ ଯାଉଥିବାରୁ ତାଙ୍କୁ ଅଟକାଇବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇଛି। ଲକ୍ଷ୍ନୌ ଏୟାରପୋର୍ଟରେ ମତେ ବଳପୂର୍ବକ ଅଟକ ରଖାଯାଇଥିଲା ଏବଂ ବିନା କୌଣସି ଲିଖିତ ଆଦେଶରେ ଅଧିକାରୀମାନେ ବିମାନରେ ଆହ୍ଲାବାଦ ଯିବାକୁ ଦେଇନଥିଲେ ବୋଲି ଅଖିଳେଶ କହିଛନ୍ତି। ଏହି ଘଟଣାକୁ ନେଇ ପ୍ରୟାଗରାଜରେ ସପା ସମର୍ଥକମାନେ ଭଙ୍ଗାରୁଜା ଆରମ୍ଭ କରିବା ସହ ପଥରମାଡ଼ କରିଥିଲେ। ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ଏବଂ ଏଥିରେ ସପା ସାଂସଦ ଧର୍ମେନ୍ଦ୍ର ଯାଦବ ଆହତ ହୋଇଥିଲେ।

ସୁରକ୍ଷା ପଦକ୍ଷେପ ଥିଲା: ଯୋଗୀ ଆଦିତ୍ୟନାଥ
ଅଖିଳେଶଙ୍କୁ ଏୟାରପୋର୍ଟରେ ଅଟକାଯିବା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପ୍ରୟାଗରାଜରେ ବର୍ତ୍ତମାନ କୁମ୍ଭ ଚାଲିଛି। ୧୦ ଦିନ ପୂର୍ବରୁ ଅଖିଳେଶ କୁମ୍ଭକୁ ଯାଇଥିଲେ। ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଥିବାରୁ ସେଠାକୁ ଯିବାକୁ ତାଙ୍କୁ ବାରଣ କରାଯାଇଥିଲା ବୋଲି ଯୋଗୀ କହିଛନ୍ତି। ସମାଜବାଦୀ ପାର୍ଟି ସମର୍ଥକମାନେ ଗଣ୍ଡଗୋଳ କରିବା ପାଇଁ ତୟାର ରହିଥିବା ରିପୋର୍ଟ ମିଳିଥିଲା। ହିଂସା ଓ ଅରାଜକତାକୁ ଏଡ଼ାଇବା ପାଇଁ ପୁଲିସ ପ୍ରଶାସନର ଏହା ଏକ ଜରୁରୀ ପଦକ୍ଷେପ ଥିଲା ବୋଲି ଯୋଗୀ କହିଛନ୍ତି।

ସମ୍ବନ୍ଧିତ ଖବର