ଭୁବନେଶ୍ୱର: ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ କେଳେଙ୍କାରୀରେ ଆସିଛି ନୂଆ ମୋଡ଼। ଅଭିଯୋଗକାରିଣୀ ନିଖୋଜ ହୋଇଯାଇଛନ୍ତି। ଏ ନେଇ ଥାନାରେ ଏତଲା ହୋଇ ନଥିଲେ ମଧ୍ୟ ତାଙ୍କ ସମ୍ପର୍କୀୟ ଭାଇ ନାରାୟଣ ଗୌଡ଼ ଏପରି ସୂଚନା ଦେଇଛନ୍ତି। ଗତକାଲିଠାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ ସହିଦ ନଗରରେ ସେ ରହୁଥିବା ହଷ୍ଟେଲରେ ମଧ୍ୟ ନାହାନ୍ତି। ଫଳରେ ନାରାୟଣଙ୍କ ସହ ତାଙ୍କର ଅନ୍ୟ କେତେକ ସମ୍ପର୍କୀୟ ତାଙ୍କୁ ବିଭିନ୍ନ ଜାଗାରେ ଖୋଜୁଥିବା କହିଛନ୍ତି। ଅନ୍ୟପଟେ ତାଙ୍କ ସମ୍ପର୍କୀୟ ମାମୁଁଙ୍କୁ ପୁଲିସ ଧମକ ଦେଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଅଭିଯୋଗକାରୀ ତଥା ପୀଡ଼ିତାଙ୍କୁ ଖୋଜି ଆଣିବା ପାଇଁ ମାମଲାର ତଦନ୍ତକାରୀ ଅଧିକାରୀ ଧମକ ଦେଇଥିବା ଅଭିଯୋଗ ହୋଇଛି। ହଷ୍ଟେଲରୁ ଗାୟବ ହୋଇଯିବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲେ ମଧ୍ୟ ପୀଡ଼ିତା ମାମଲାର ଆପୋସ ସମାଧାନ ଚାହୁଁଥିବାରୁ ଆତ୍ମଗୋପନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ସେ ନିଖୋଜ ଅଛନ୍ତି ତେବେ କାହିଁକି ଥାନାରେ ଏତଲା ଦିଆଯାଇ ନାହିଁ ବୋଲି ପ୍ରଶ୍ନ ଉଠିଛି। ମାମଲାର ପର୍ଦ୍ଦାଫାସ୍ ପାଇଁ ସୁରବାବାଙ୍କ ଉତ୍ତରକୁ ପୁଲିସ ଅପେକ୍ଷା କରିଥିବା ବେଳେ ଏହି ଆତ୍ମଗୋପନ ବା ନିଖୋଜ ପ୍ରସଙ୍ଗ ଭଳି ଆଉ କେତେକ ପ୍ରସଙ୍ଗ ଏହି ଘଟଣାକୁ ରୋଚକ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚାକିରିରୁ ପ୍ରେମ
ବ୍ରହ୍ମପୁରର ପୀଡ଼ିତା କିଭଳି ତ୍ରାହି ଅଚ୍ୟୁତ ନଗରର ଦୀପସୁନ୍ଦରଙ୍କ ସଂସ୍ପର୍ଶରେ ଆସିଲେ। କିଭଳି ପ୍ରେମ ହେଲା, କିଭଳି ସେ ସବୁ କିଛି ଛାଡ଼ି ଦୀପସୁନ୍ଦରଙ୍କ ପାଖକୁ ବିବାହ ନ କରି ଚାଲି ଆସିଥିଲେ। ଏଭଳି ଅନେକ ପ୍ରଶ୍ନର ଉତ୍ତର ମିଳିଛି। ତାଙ୍କ ସମ୍ପର୍କୀୟ ଭାଇ ଏହି ଗୁମର ଖୋଲିଛନ୍ତି। ଭୁବନେଶ୍ବରର ସହିଦ ନଗରରେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ ପୀଡ଼ିତା। ପୂର୍ବରୁ ସେଠି ଦୀପସୁନ୍ଦର ମଧ୍ୟ ଚାକିରି କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ପୀଡ଼ିତା ପହଞ୍ଚିଥିଲେ ତ୍ରାହି ଅଚ୍ୟୁତ ନଗରରେ।
ପୀଡ଼ିତା ବିବାହିତା
ଦୀପସୁନ୍ଦରଙ୍କ ସହ ପ୍ରେମ ସଂପର୍କ ସୃଷ୍ଟି ହେବା ପୂର୍ବରୁ ପୀଡ଼ିତା ବିବାହିତା ଥିଲେ ବୋଲି ତାଙ୍କ ସମ୍ପର୍କୀୟ ଭାଇ କହିଛନ୍ତି। ତାଙ୍କର ଛୋଟ ପୁଅ ଥିବା ବେଳେ ସ୍ବାମୀଙ୍କ ପାଖରେ ସେ ରହୁ ନଥିଲେ। ଦୀର୍ଘ ଦିନ ହେବ ସେ ଏକୁଟିଆ ରହୁଥିଲେ। ଏଠାରେ ଏକ ଘରୋଇ ସଂସ୍ଥାରେ କାମ କରିବା ସହ ପେଟ ପୋଷୁଥିଲେ। ଭୁବନେଶ୍ବରର ଏକ ହଷ୍ଟେଲରେ ରହୁଥିଲେ। ବାପା ମୃତ୍ୟୁ ବରଣ କରିଥିବା ବେଳେ ମା’ ମାନସିକ ବିକାରଗ୍ରସ୍ତ ଥିବାରୁ ଘର ସହ ସେଭଳି ସମ୍ପର୍କ ନଥିଲା ବା ନିୟମିତ ଯିବା ଆସିବା ନଥିଲା। ଏଣୁ ସେ ଦୀପସୁନ୍ଦରଙ୍କ ପ୍ରେମରେ ପଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
ବାବାଙ୍କ ଭୂମିକା
ଦୀପସୁନ୍ଦର ସୁର ବାବାଙ୍କର ଭକ୍ତ। କେବଳ ଦୀପସୁନ୍ଦର ନୁହନ୍ତି ତାଙ୍କ ପରିବାରର ମା, ବାପା ଓ ଭଉଣୀ ସମସ୍ତେ ବାବାଙ୍କ ଭକ୍ତ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନେ ବାବାଙ୍କ ପରାମର୍ଶ ନେଇଥାନ୍ତି। ବିବାହିତା ପୀଡ଼ିତାଙ୍କ ବିବାହକୁ ନେଇ କିମ୍ବା ଦୀପସୁନ୍ଦରଙ୍କର ପୂର୍ବରୁ ଜଣେ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଯାହାର ସମାଧାନ ପାଇଁ ସେମାନେ ସୁର ବାବାଙ୍କ ପାଖକୁ ଆସିଥିଲେ। ସେଠାରେ ହୁଏତ ବାବା ତାଙ୍କୁ ଅସଦାଚରଣ କରିଥାଇ ପାରନ୍ତି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଦୀର୍ଘ ତେବେ ସୁର ବାବାଙ୍କ ଉତ୍ତର ପରେ ହିଁ ବାସ୍ତବ କଥା ଜଣାପଡ଼ିବ ବୋଲି କୁହାଯାଇଛି।