ଦୁଇଦିନ ଝଡ଼ବର୍ଷା ସହିତ କୁଆପଥର ମାଡ ସମ୍ଭାବନା: ୧୧ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

ଭୁବନେଶ୍ୱର: ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦୁଇଦିନ ଧରି ଝଡ଼ବର୍ଷା ସହିତ କୁଆପଥର ମାଡର ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମତେ ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ,ଢ଼େଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡବର୍ଷା ଆଶଙ୍କା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ପକ୍ଷରୁ ବାରଣ କରାଯାଇଛି।

ବର୍ତ୍ତମାନ ଓଡ଼ିଶାର ଭବାନୀପଟଣାରେ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୫.୦ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି। ମୟୁରଭଞ୍ଜରେ ୫ମିମି, କେନ୍ଦୁଝରରେ ୩ମିମି, କଟକରେ ୩ମିମି, ବାଲେଶ୍ୱର ୨ମିମି, ନୟାଗଡ଼ରେ ୨ମିମି, ଦେଓଗଡ଼ରେ ୧ମିମି, ଅନୁଗୁଳରେ ୧ମିମି ବର୍ଷା ରେକର୍ଡ କରାଯାଇଛି।

ଆସନ୍ତା ୨୭ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଖୋର୍ଦ୍ଧା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ମାରିବା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ସେହିପରି ୨୮ ତାରିଖରେ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ଥିବା ବେଳେ ଅନ୍ୟସ୍ଥାନ ଗୁଡ଼ିକ ମୁଖ୍ୟତଃ ଶୁଖିଲା ରହିବ।

ସମ୍ବନ୍ଧିତ ଖବର