ନିର୍ବାଚନରେ ଅସହଯୋଗ କରିବ ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର : ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ସୁରକ୍ଷା ଭତ୍ତା ଓ ସରକାରୀ କାର୍ଯ୍ୟାଳୟରେ ଚାଷୀଙ୍କୁ ସମ୍ମାନ ଦାବି ନେଇ ଆସନ୍ତା ନିର୍ବାଚନରେ ଅସହଯୋଗ କରିବ ନବନିର୍ମାଣ କୃଷକ ସଂଗଠନ। ଆସନ୍ତାକାଲିଠାରୁ ଏହି ଅସହଯୋଗ ଆରମ୍ଭ ହେବ। ଏଥିପାଇଁ ଗାଁରେ ସ୍ବତନ୍ତ୍ର ଭାବେ ଗ୍ରାମସଭା ଡକାଯାଇ କିଭଳି କୃଷିପ୍ରଧାନ ରାଜ୍ୟରେ କୃଷକକୁ ଅବହେଳା କରାଯାଉଛି, ସେ ସଂପର୍କରେ ଆଲୋଚନା ହେବ।

ଆଜି ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଚାଷୀଙ୍କ ପାଇଁ ସଂଗଠନ ଲଢ଼େଇ କରିଆସୁଛି। ଆଜିର ବ୍ୟବସ୍ଥାରେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ। ରାଜ୍ୟ ସରକାରଙ୍କ ସହ ଏ ସଂପର୍କରେ ବାରମ୍ବାର ଆଲୋଚନା ହୋଇଥିଲେ ହେଁ ସମସ୍ୟାର ସମାଧାନ ହୋଇପାରିନାହିଁ। ଯେ‌ତେବେଳେ ବି ଚାଷୀଙ୍କୁ ସାମାନ୍ୟ ପ୍ରୋତ୍ସାହନ ମିଳିଛି ସେ ସମୟରେ ରିଜର୍ଭ ବ୍ୟାଙ୍କ, ନୀତି ଆୟୋଗ ଓ ଦେଶର ଅର୍ଥନୀତିଜ୍ଞମାନେ ଚାଷୀଙ୍କୁ ପ୍ରୋତ୍ସାହନ ନ ଦେବା ପାଇଁ ଚିତ୍କାର କରିଥାନ୍ତି। ତେଣୁ ସାମଗ୍ରିକ ଭାବେ ବ୍ୟବସ୍ଥା ଚାଷୀ ବିରୋଧୀ। ତେଣୁ ଆସନ୍ତା ନିର୍ବାଚନରେ ଚାଷୀମାନେ ଅସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୩ ଓ ୧୪ ତାରିଖରେ ରାଜଧାନୀ‌ରେ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକରେ ଏ ସଂପର୍କରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ କୁମାର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟ, ଉମାକାନ୍ତ ଭାରତ, ରଶ୍ମିରଂଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର