ବିଜେପିର ବିଜୟ ସଂକଳ୍ପ ସଭା, ପରିବର୍ତ୍ତନର ଆହ୍ବାନ ଦେଲେ

କେନ୍ଦ୍ର ସରକାରଙ୍କ ଯୋଜନା ବଖାଣିଲେ ଧର୍ମେନ୍ଦ୍ର

ନୟାଗଡ଼: ସାରା ରାଜ୍ୟରେ ଆଗାମୀ ନିର୍ବାଚନ‌ରେ ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ବିଜେପି ପକ୍ଷରୁ କରାଯାଉଥିବା ବିଜୟ ସଂକଳ୍ପ ସଭା ଆଜି ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ତଥା ଓଡ଼ଗାଁ ବ୍ଲକ‌୍ ଡିମିସର ଖେଳପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ସ୍ଥା‌ନୀୟ ନେତୃବୃନ୍ଦ ବିଜେଡି ତଥା ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିବା ସହ ଆଗାମୀ ନିର୍ବାଚନରେ ଏହାର ଜବାବ ଦେବାକୁ ଜନସାଧାରଣଙ୍କୁ ପ୍ରବର୍ତ୍ତାଇଛନ୍ତି। ବିଜେପି ଦ୍ବାରା ଆୟୋଜିତ ଏହି ଜନସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତା ବଖାଣିବା ସହ ଓଡ଼ିଶା ସରକାର ଏକ ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ସରକାର ବୋଲି କହିଥିଲେ। ଶ୍ରୀ ପ୍ରଧାନ କହିଲେ, ଉଜ୍ଜ୍ବଳା ଯୋଜନାରେ ଗରିବ ମହିଳାମାନଙ୍କୁ ଗ୍ୟାସ୍ ପ୍ରଦାନ କରାଯାଇଛି। ପୂର୍ବରୁ ପକ୍କା ଘର ନିର୍ମାଣ ପାଇଁ ୭୫ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ମୋଦୀ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ଓଡ଼ିଶାର ସରକାର ଗରିବ ଲୋକଙ୍କୁ ଘର ଯୋଗାଇବାରେ ବିଫଳ ହୋଇଛି। ଏବେ ବି ରାଜ୍ୟରେ ୩୦ ଲକ୍ଷ ଗରିବ ପରିବାରଙ୍କ ମୁଣ୍ଡ ଉପରେ ଛାତ ଘର ନାହିଁ। ଆୟୁଷ୍ମାନ, ପିଏମ୍ କିଷାନ ଭଳି ଯୋଜନାରୁ ଓଡ଼ିଶାରୁ ଲୋକଙ୍କୁ ଜାଣିଜାଣି ବିଜେଡି ବଞ୍ଚିତ କରୁଛି। ରାଜ୍ୟ ସରକାର ସବୁଥିରେ ବିଫଳ ବୋଲି ଶ୍ରୀ ପ୍ରଧାନ କହିଥିଲେ। ନିର୍ବାଚନରେ ରାଜ୍ୟରେ ସରକାର ପରିବର୍ତ୍ତନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ‌ଭୋଟ ଦେବାକୁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ସନ୍ନ୍ୟାସୀ ନାୟକ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ବିଜେପି ରାଜ୍ୟ ମୁଖପାତ୍ର ଗୋଲୋକ ମହାପାତ୍ର, ପୂର୍ବତନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ପ୍ରମୁଖ ବକ୍ତବ୍ୟ ଦେଇ ବିଜୁ ଜନତା ଦଳକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର