ଗୁଜରାଟରେ ବିଜେପି ଗଣିତ ଓଲଟିପାରେ:୮ ଆସନରେ କଡ଼ା ଚ୍ୟାଲେଂଜ

ଅହମଦାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟରେ ଏଥର ବିଜେପିକୁ କଡ଼ା ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିବ। ୨୦୧୪ ସାଧାରଣ ନିର୍ବାଚନରେ ଗୁଜରାଟର ସମସ୍ତ ୨୬ ଲୋକସଭା ଆସନରେ ବାଜି ମାରିନେଇଥିବା ବିଜେପି ପାଇଁ ଏଥର ସବୁ ଆସନରେ ନିର୍ବାଚନ ଜିତିବା ଏତେ ସହଜସାଧ୍ୟ ହେବନାହିଁ। ୫ ବର୍ଷ ପରେ ସ୍ଥିତି ବଦଳିଯା‌ଇଛି। କଂଗ୍ରେସ ଗୁଜରାଟରେ ତା’ର ସାଂଗଠନିକ ଶକ୍ତିକୁ ସୁଦୃଢ଼ କରିବାରେ ସମର୍ଥ ହୋଇଛି। ୨୦୧୭ ବିଧାନସଭା ନିର୍ବା‌ଚନରେ କଂଗ୍ରେସ ୭୭ ଆସନରେ ବିଜୟୀ ହୋଇ ଦୀର୍ଘ ୩ ଦଶନ୍ଧୀର ରେକର୍ଡ ଭା‌ଙ୍ଗିଥିଲା। ବିଜେପିକୁ ମାତ୍‌ ଦେଇପାରିନଥିଲେ ମଧ୍ୟ ଏହାର ପ୍ରଦର୍ଶନ କିଛି କମ୍‌ ନଥିଲା। ୨୦୧୭ ବିଧାନସଭା ନିର୍ବାଚନ ଫଳାଫଳକୁ ତୁଳନା କଲେ ଜଣାପଡ଼ୁଛି ଯେ ରାଜ୍ୟରେ ଅନ୍ତତଃ ୮ଟି ଲୋକସଭା ଆସନରେ ଏଥର ବିଜେପିକୁ କଡ଼ା ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିବ। ବନାସକାଣ୍ଠା, ପାଟନ, ମେହସନା, ସବରକାଣ୍ଠା, ସୁରେନ୍ଦ୍ରନଗର, ଜୁନାଗଡ଼, ଅମରେଲି ଏବଂ ଆନନ୍ଦ ଲୋକସଭା ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ୨୦୧୭ ବିଧାନସଭା ନିର୍ବାଚନରେ ବନାସକାଣ୍ଠା ନିର୍ବାଚନ ମଣ୍ଡଳୀର ୭ ଲୋକସଭା ଆସନରୁ ବିଜେପି ମାତ୍ର ୨ଟିରେ ଜିତିଥିବାବେଳେ କଂଗ୍ରେସ ୫ଟି ଆସନରୁ ଜିତିଥିଲା। ତେବେ ଏଥର ଲୋକସଭା ନିର୍ବାଚନରେ କଂଗ୍ରେସ ଏହି ସଫଳତା ଦୋହରାଇ ପାରିବ କି ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି। ବନାସାକାଣ୍ଠାରେ କଂଗ୍ରେସ ୨୫,୬୯୯ ଭୋଟ୍‌ରେ ଆଗୁଆ ଥିଲା। ‌ତେବେ କୃଷକମାନେ ଏଠାରେ ଶାସକ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି, କମ୍‌ ଦୁଗ୍ଧ ମୂଲ୍ୟ, ବକେୟା ବୀମା ଦାବି, ଚ‌ାଷ ପାଇଁ ନର୍ମଦା ଜଳର ଅଭାବ ଆଦି କୃଷକମାନଙ୍କ ଅ‌ସନ୍ତୋଷର ପ୍ରମୁଖ କାରଣ।
ପାଟନ୍‌ରେ ମଧ୍ୟ ୭ ବିଧାନସଭା ଆସନରୁ ବିଜେପି ୨୦୧୭ ବିଧାନସଭା ନିର୍ବାଚନରେ ୩ଟିରେ ଜିତିଥିଲା ଏବଂ କଂଗ୍ରେସ ୪ଟିରେ ଜିତିଥିଲା। ପାଟନରେ ୨୦୧୭ ନିର୍ବାଚନରେ କଂଗ୍ରେସ ୩୮,୮୫୫ ଭୋଟ୍‌ରେ ଆଗୁଆ ଥିଲା। ମେହସନା ଲୋକସଭା କ୍ଷେତ୍ରରେ ବିଜେପି ୪ଟି ଆସନରେ ଜିତିଥିଲା ଏବଂ କଂଗ୍ରେସ ୩ଟିରେ ଜିତିଥିଲା। ସେହିପରି ସବରକାଣ୍ଠାରେ ମଧ୍ୟ ୭ ବିଧାନସଭା ଆସନରୁ ବିଜେପି ୩ ଏବଂ କଂଗ୍ରେସ ୪ଟିରେ ଜିତିଥିଲା। ଏଠାରେ ୩ ଜଣ କଂଗ୍ରେସ ବିଧାୟକ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ସୁନ୍ଦରନଗରରେ ବିଜେପିକୁ ସବୁଠୁ ଅଧିକ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିପାରେ। ଏଠାରେ ବିଜେପି ୨୦୧୭ ବିଧାନସଭା ନିର୍ବାଚନରେ ଗୋଟିଏ ଆସନରୁ ଜିତିଥିଲା ଏବଂ କଂଗ୍ରେସ ୬ଟି ଆସନରୁ ଜିତିଥିଲା। ଜୁନାଗଡ଼ରେ ସମସ୍ତ ୭ଟି ଯାକ ଆସନରେ କଂଗ୍ରେସ ଜିତିଥିଲା। ଅମରେଲିରେ ବିଜେପି ୨ଟିରେ ଜିତିଥିବାବେଳେ କଂଗ୍ରେସ ୫ ଆସନରେ ଜିତିଥିଲା। ସେହିପରି ଆନନ୍ଦ‌ ନିର୍ବାଚନ ମଣ୍ଡଳୀରେ ବିଜେପି ୨ଟିରେ ଜିତିଥିବାବେଳେ କଂଗ୍ରେସ ୫ଟି ଆସନରେ ଜିତିଥଲା।

ସମ୍ବନ୍ଧିତ ଖବର