ଫନି ମୁକାବିଲା : ସମୀକ୍ଷା ପାଇଁ ଜରୁରୀ ବୈଠକ ଡାକିଲେ କ୍ୟାବିନେଟ ସଚିବ

ଆଜି କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଏକ ବୈଠକରେ  ସାମୁଦ୍ରିକ ଝଡ଼ ଫନୀର ମୁକାବିଲା ନେଇ ପ୍ରସ୍ତୁତି ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ସାମୁଦ୍ରିକ ଝଡ଼ ଫଳରେ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର ପଦାଧିକାରୀମାନେ ବୈଠକରେ ପ୍ରକାଶ କରିଥିଲେ ।

ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଜଣାଇଥିଲେ ଯେ ରାଜ୍ୟର ୯ ଜିଲ୍ଲାରେ ଥିବା ୧୦ ହଜାର ଗ୍ରାମ ଓ ୫୨ଟି ସହରରେ ଥିବା ଲୋକମାନେ ପ୍ରଭାବିତ ହେବେ । ଏସବୁ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ମୋଟ ପ୍ରାୟ ୧୧.୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାର ସମ୍ଭାବନା ରହିଛି । ସେହିପରି ଏୟାରପୋର୍ଟଗୁଡ଼ିକ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୋର ବା ଏସଓପି ପାଳନ କରିବାକୁ କୁହାଯାଇଛି । ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବର ଓ ବିଶାଖାପାଟଣା, କୋଲକତା ଏୟାପୋର୍ଟକୁ ଚଳାଚଳ କରୁଥିବା ସବୁ ଯାତ୍ରୀବାହୀ ବିମାନକୁ ବନ୍ଦ କରାଯାଇଛି ବୋଲି ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର