ଓଡ଼ିଶାକୁ ଆହୁରି ୧୦୦୦ କୋଟି; ନବୀନଙ୍କୁ ପ୍ରଶଂସା କଲେ ମୋଦୀ, ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ଦେଖିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବିଶ୍ବ ପାଇଁ ଉଦାହରଣ, ପୁନରୁଦ୍ଧାର ପାଇଁ ଅର୍ଥର ଅଭାବ ରହିବନି ବୋଲି ଦେଲେ ପ୍ରତିଶ୍ରୁତି, ସ୍ବତନ୍ତ୍ର ପାହ୍ୟା ଦାବି ପୂରଣ କଥା ଦୋହରାଇଲା ଓଡ଼ିଶା

ଭୁବନେଶ୍ବର : ‘ଫନି’ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅତିରିକ୍ତ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ଘୋଷଣା କରିଛନ୍ତି। ଏହା ସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି କେନ୍ଦ୍ର ସରକାର ଦେବେ। ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶା ଗସ୍ତରେ ଆସି ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ଦେଖିବା ସହ ଭୁବନେଶ୍ବର ବିମାନବନ୍ଦରରେ ସମୀକ୍ଷା କରିବା ଅବସରରେ ଏହି ଘୋଷଣା କରିଛନ୍ତି। ଓଡ଼ିଶାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଅନ୍ୟପକ୍ଷରେ ବୈଠକରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଏହି ବିପର୍ଯ୍ୟୟ ପରିଚାଳନା ସାରା ବିଶ୍ବ ପାଇଁ ଏକ ଉଦାହରଣ ବୋଲି ବର୍ଣ୍ଣନା କରିବା ସହ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି ମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବେ ବୋଲି ସେ କହିଥିଲେ। ବାତ୍ୟା ପରେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ତାହାର ସମାଧାନ ଉପରେ ଯତ୍ନବାନ ହେବାକୁ ମୋଦୀ ପରାମର୍ଶ ଦେଇଥିଲେ। ଏହା ସହିତ ପଶୁସମ୍ପଦ ନଷ୍ଟ ହୋଇଥିବା ବେଳେ ଏହାକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୁଏ ତାହାର ସମାଧାନ ସହ ବିଜୁଳି ସଂଯୋଗ ଶୀଘ୍ର କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଆଜି ସକାଳ ୮ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ସିଧାସଳଖ ହେଲିକପ୍ଟର୍ ଯୋଗେ ପୁରୀ ଓ ଭୁବନେଶ୍ବରରେ ‘ଫନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟର୍‌ରେ ଯାଇଥିଲେ। ପ୍ରାୟ ଏକ ଘଣ୍ଟା ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ପୁରୀ ଶ୍ରୀମନ୍ଦିର ସହ, କୋଣାର୍କ ମନ୍ଦିର, ପିପିଲି, ନିମାପଡ଼ା, ବାଲିଅନ୍ତା-ବାଲିପାଟଣା, ଜଟଣୀ, ଭୁବନେଶ୍ବର ଆଦି ଅଞ୍ଚଳର ସ୍ଥିତି ନିରୀକ୍ଷଣ କରିଥିଲେ। ତାହା ପରେ ସେ ବିମାନବନ୍ଦର ପରିସରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ପ୍ରାୟ ୧ ଘଣ୍ଟା ଧରି ବୈଠକ ଚାଲିଥିଲା। ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଧାନମନ୍ତ୍ରୀ ସାମ୍ନାରେ ଉପସ୍ଥାପନ କରାଯାଇଥିଲା।

ବୈଠକ ପରେ ବିମାନବନ୍ଦର ପରିସରରେ ଗଣମାଧ୍ୟମକୁ ମୋଦୀ କହିଲେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅତିରିକ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟ ସରକାରଙ୍କୁ ଏନ୍‌ଡିଆର୍‌ଏଫ୍‌ରୁ ୩୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ମୋଦୀ କହିଲେ, ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରି ରାଜ୍ୟ ସରକାର ଓ ନବୀନ ବାବୁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଲୋକମାନେ ମଧ୍ୟ ସ‌େଚତନ ହୋଇ ସରକାରଙ୍କୁ ପରାମର୍ଶ ମାନି ନିରାପଦ ସ୍ଥାନକୁ ଯାଇଥିବାରୁ ମୃତ୍ୟୁ ହାର କମିଯାଇଛି। ନିର୍ଦ୍ଦିଷ୍ଟ ଭାବେ ଧୀବରମାନେ ସାହସର ସହିତ ବିପର୍ଯ୍ୟୟକୁ ସାମ୍ନା କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

କେନ୍ଦ୍ର-ରାଜ୍ୟ ସମନ୍ବୟ କଥା ଉଲ୍ଳେଖ କରି ପ୍ରଧାନମନ୍ତ୍ରୀ କହିଲେ, ଗତ ୭/୮ ଦିନ ଭିତରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯାଇ ପଦକ୍ଷେପ ନିଆଯାଇଛି। ମୁଁ ମଧ୍ୟ ପରିସ୍ଥିତିର ତଦାରଖ କରୁଥିଲି। ବାତ୍ୟାରେ ୧୧ଟି ଜିଲ୍ଲାର ୧୪ ହଜାର ଗାଁର ଏକ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ବିଜୁଳି ଓ ପାଣି ଯୋଗାଣକୁ ସ୍ବାଭାବିକ କରିବା ସହ ସ୍ବାସ୍ଥ୍ୟ ସେବା ଉପରେ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। କେନ୍ଦ୍ର ସରକାର ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ। ପରିସ୍ଥିତିର ମୁକାବିଲା କରିବାକୁ ଆବଶ୍ୟକ ମାନବ ସମ୍ବଳ, ଯନ୍ତ୍ରପାତି ଓ ଅର୍ଥର ଆବଶ୍ୟକତା ଯେପରି ପୂରଣ ହୋଇପାରିବ, ସେଥିପାଇଁ ଆମେ ମିଳିମିଶି କାମ କରିବୁ।

ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ, ପିଏମ୍‌ଓର ବରିଷ୍ଠ ଅଧିକାରୀମାନେ ମୋ ସହ ଆସିଥିଲେ। ସେମାନେ ଏଠାରେ ରହି ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବେ। ଖୁବ୍ ଶୀଘ୍ର କେନ୍ଦ୍ରୀୟ ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଅକାଳନ କରିବେ।

ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ ପାଇଁ ୧୭ ହଜାର କୋଟି ଟଙ୍କାର ଦୀର୍ଘମିଆଦି ସହାୟତା ଦାବି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏଥିରେ କୁହାଯାଇଛି, ଓଡ଼ିଶା ଉପକୂଳ ବାତ୍ୟାପ୍ରବଣ ହୋଇଥିବାରୁ ଏହି ଅଞ୍ଚଳରେ ଭିତ୍ତିଭୂମି ପେଯରି ବାରମ୍ବାର କ୍ଷତିଗ୍ରସ୍ତ ନ ହେବ, ସେଥି ପାଇଁ ‌େସଗୁଡ଼ିକୁ ବିପର୍ଯ୍ୟୟ ପ୍ରତିରୋଧ କରିବା ଆବଶ୍ୟକ। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ସହାୟତା କେନ୍ଦ୍ର ପ୍ରଦାନ କରୁ। ସେହିପରି ଉପକୂଳ ଓଡ଼ିଶାର ୫ ଲକ୍ଷ କଚ୍ଚା ଘରକୁ ବିପର୍ଯ୍ୟୟ ପ୍ରତିରୋଧ ପକ୍କା ଘରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୭ ହଜାର କୋଟି ଟଙ୍କାର ସହାୟତା ଦାବି କରିଥିଲେ। ଏଥିରେ କେନ୍ଦ୍ର ଓ ରାଜ୍ୟ ଅଂଶ ଯଥାକ୍ରମେ ୯୦ ଓ ୧୦ ପ୍ରତିଶତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋ‌ଗାଯୋଗ ବ୍ୟବସ୍ଥାର ଗୁରୁତ୍ବକୁ ଉପଲବ୍ଧି କରି ସମଗ୍ର ଉପକୂଳରେ ବିପର୍ଯ୍ୟୟ ପ୍ରତିରୋଧ ଟେଲି ଯୋଗାଯୋଗ ଭିତ୍ତିଭୂମିର ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ବାତ୍ୟା ବିପନ୍ନ ଲୋକଙ୍କର ଜୀବନ ରକ୍ଷା କରି ଆମେ ଏକ ବିଶ୍ବସ୍ତରୀୟ ମାନକ ସୃଷ୍ଟି କରିଛୁ। ବର୍ତ୍ତମାନ ଆମେ ଏକ ବିପର୍ଯ୍ୟୟ ପ୍ରତିରୋଧ ଓଡ଼ିଶା ଗଠନ କରିବା ଦିଗରେ ମଧ୍ୟରେ ବିଶ୍ବସ୍ତରୀୟ ମାନ ସୃଷ୍ଟି କରିବା ଆବଶ୍ୟକ। ୨୦୧୩ରେ ଓଡ଼ିଶା ଫାଇଲିନ୍ ପରି ବାତ୍ୟାକୁ ସାମ୍ନା କରିଥିଲା। ପରେ ପରେ ହୁଡ଼ୁହୁଡ଼ୁ, ମରୁଡ଼ି, ତିତଲି, ଫନି ପରି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଅର୍ଥନୀତିକୁ ପ୍ରଭାବିତ କରିଆସୁଛି। ଏହିସବୁ ବିପର୍ଯ୍ୟୟର ମୁକାବିଲା ଓ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହା ଦ୍ବାରା ଆମର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ହ୍ରାସ ହେଉଛି। ତେଣୁ ଏହିସବୁ ଲଗାତର ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ବିଚାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଥିଲେ, ଓଡ଼ିଶାର ଏହି ପ୍ରାକୃତିକ ବିପର୍ଯ୍ୟୟର ଗମ୍ଭୀରତାକୁ ଦେଖି ପୁନରୁଦ୍ଧାର ପାଇଁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା ରାଜ୍ୟ ସରକାରଙ୍କୁ ଆଶ୍ବସ୍ତି କରିବ। ଓଡ଼ିଶାର ବିପଦ ସମୟରେ ଓଡ଼ିଶାର ବନ୍ଧୁ ତଥା ରାଷ୍ଟ୍ରର ନାୟକ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ବ ନେଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କର ପ୍ରଧାନମନ୍ତ୍ରୀ ପରମ ଭକ୍ତ। ପୁରୀ ତାଙ୍କ ପାଇଁ ବିଶେଷ ସ୍ଥାନ। ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କଲା ବେଳେ ମହାପ୍ରଭୁଙ୍କ କଳ୍ପବଟ ଦେଖି ସେ ଭାବବିହ୍ବଳ ହୋଇପଡ଼ିଥିଲେ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଏଏସ୍‌ଆଇ ଦ୍ବାରା ରକ୍ଷଣାବେକ୍ଷଣ ହେଉଥିବାରୁ ଏଏସ୍‌ଆଇ ଡିଜିଙ୍କୁ ଡାକି କଥା ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।

ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଥିଲେ, ବିଜୁଳି ଯୋଗାଣ ପ୍ରକ୍ରିୟା ସ୍ବାଭାବିକ ହେଲେ ସବୁ ପେଟ୍ରୋଲ ପମ୍ପ କାର୍ଯ୍ୟକ୍ଷମ ହେବ। ପୁରୀ ଜିଲ୍ଲାରେ ଗତ ଦୁଇ ଦିନ ତଳେ ୫୨ଟି ପେଟ୍ରୋଲ ପମ୍ପରୁ ୨୯ଟି ଅଚଳ ଥିବା ବେଳେ ଆଜି ସେଥିରୁ ୮ଟି କାର୍ଯ୍ୟକ୍ଷମ ହୋଇଛି।

ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପ୍ରଧାନମନ୍ତ୍ରୀ ପାଖାପାଖି ଅଢ଼େଇ ଘଣ୍ଟା ଓଡ଼ିଶାରେ ରହିଥିଲେ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ମୋଦୀଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର