‘ଫନି’ର ୧୦ ଦିନ ପରେ ବି ‘ନିର୍‌ତାର୍‌’ ଅନ୍ଧାରରେ

ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ, ଚିକିତ୍ସା ଅଧାରୁ ଛାଡି ପଳାଇଲେ ୨୦୦ ରୋଗୀ, ସ୍ବତନ୍ତ୍ର ବିଦ୍ୟୁତ୍ ସେବା ପାଇଁ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିଲେ ନିର୍ଦ୍ଦେଶକ

କଟକ : ରାଜ୍ୟ ସରକାର ସମସ୍ତ ମେଡିକା‌ଲକୁ ଜରୁରୀକାଳୀନ ଭିତ୍ତିରେ ଯୋଗାଇଦେଲେ ବିଦ୍ୟୁତ୍‌ ସେବା। ହେଲେ କଟକ ଜିଲ୍ଲାର ଓଲଟପୁରଠାରେ ଦିବ୍ୟାଙ୍ଗଙ୍କ ପାଇଁ ଏକ ବରଦାନ ଭଳି କାର୍ଯ୍ୟ କରୁଥିବା ଏସିଆ ମହାଦେଶର ସବୁଠାରୁ ବଡ଼ ଚିକିତ୍ସାଳୟ ‘ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ, ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍‌ଭି ନିର୍‌ତାର) ‘ଫନି’ର ୧୦ ଦିନ ପରେ ବି ଅନ୍ଧାରରେ ରହିଛି। ଡିଜି ଭରସାରେ ଚାଲିଛି ମେଡିକାଲର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା। ଫଳରେ ଦିନକୁ ଦିନ କମୁଛି ରୋଗୀ ସଂଖ୍ୟା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ବାହାରେ ବର୍ଷ ବର୍ଷ ହେଲା ଭଡାରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଏଭଳି ସଙ୍ଗିନ ପରିସ୍ଥିତି ଯୋଗୁଁ ଚିକିତ୍ସା ଅଧାରୁ ରୋଗୀ ଘରକୁ ପଳାଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏସ୍‌ଭି ନିର୍‌ତାରକୁ ତୁରନ୍ତ ସ୍ବତନ୍ତ୍ର ଭାବେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସ ଚିଠି ଲେଖିଛନ୍ତି।

କଟକ ଜିଲ୍ଲାର କଣ୍ଟାପଡା ଓ ନିଆଳି ବ୍ଳକ୍‌ ବାତ୍ୟା ‘ଫନି’ ଦ୍ବାରା ପ୍ରଭାବିତ ହୋଇଛି। ଆଜି ବି ରାସ୍ତାରେ ପଡିଛି ଗଛ, ଉଠିପାରୁନି ବିଜୁଳି ଖୁଣ୍ଟ। ସ୍ବାଭାବିକ ସ୍ଥିତି କେବେ ଫେରିବ, ତା’ ମଧ୍ୟ ଆକଳନ କରିବା ମୁସ୍କିଲ ହୋଇପଡ଼ିଛି। କଣ୍ଟାପଡା ବ୍ଲକ୍‌ର ଓଲଟପୁର ସ୍ଥିତ ଏସ୍‌ଭି ନିରତାର୍‌ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଥିବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି କେନ୍ଦ୍ରରେ ଆଉଟ୍‌ଡୋର, ଇନ୍‌ଡୋର, ଓଟି ଆଦି ସବୁ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରର ୭୫୦ ଛାତ୍ରଛାତ୍ରୀ ଏଠାରେ ହ‌େଷ୍ଟଲରେ ରହି ପାଠ ପଢୁଛନ୍ତି। ୧୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲରେ ୨୮୦ ଜଣ କର୍ମଚାରୀ ଅଛନ୍ତି। ୨୫୦ରୁ ଅଧିକ ଆଉଟ୍‌ଡୋର ରୋଗୀ ପ୍ରତ୍ୟହ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ମେଡିକାଲ ବାହାରେ ଭଡ଼ାଘର ନେଇ ପାଖାପାଖି ୪୦୦ ରୋଗୀ ଏଠାରେ ରହି ଚିକିତ୍ସିତ ହେଉଥାନ୍ତି। କିନ୍ତୁ ‘ଫନି’ ପାଇଁ ଦିବ୍ୟାଙ୍ଗ ରୋଗୀମାନେ ଛଟପଟ ହେଉଛନ୍ତି। ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଏହି ଚିକିତ୍ସାଳୟର ଭିତ୍ତିଭୂମି, ବିଜୁଳି, ପାଣି ଓ ରୋଗୀଙ୍କ କଥା ସରକାର ଭୁଲିଯାଇଛନ୍ତି। ସେସୁର ସ୍ବତନ୍ତ୍ର ଫିଡର ଲାଇନ୍‌ ଥିବା ସତ୍ବେ ଏସ୍‌ଭି ନିରତାରକୁ ଆଜି ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦିଆଯାଇନାହଁ। ଫଳରେ ୨୦୦ରୁ ଅଧିକ ରୋଗୀ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିବା ଜଣାଯାଇଛି।

ଡିଜି ସେଟ୍‌ରେ ୧୦ ଦିନ ହେଲା ପର୍ଯ୍ୟାୟ କ୍ରମରେ ଚାଲିଛି ମେଡିକାଲର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା। ବିକଳ୍ପ ପାଇଁ ସୋମବାରଠାରୁ ପୁଣି ଲାଗିବ ନୂଆ ଡିଜି। କେନ୍ଦ୍ରର ନିର୍ଦ୍ଦେଶକଙ୍କ କହିବା‌ ଅନୁସାରେ, ‘ଆମେ ୨୦ ଘଣ୍ଟା ବିଦ୍ୟୁତ୍ ସେବା ଯୋଗାଇ ଦେଉଛୁ। ତେବେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ନହେଲେ ଡିଜିରେ କେତେ ଦିନ ବା ଦେଇପାରିବୁ’ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ନିର୍‌ତାର୍‌କୁ ତୁରନ୍ତ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ମୁଖ୍ୟଶାସନ ସଚିବଙ୍କଠାରୁ ଆରମ୍ଭ କରି କଟକ ଜିଲ୍ଲାପାଳଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଅନ୍ୟପଟେ ‘ଫନି’ ପାଇଁ ଗଛ ପଡ଼ି ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର