ନିର୍ବାଚନ କମିସନ୍‌ଙ୍କ ନିଷ୍ପତ୍ତି : ପ୍ରଥମେ ଭିଭିପିଏଟି ସ୍ଲିପ୍‌ ଗଣତି ହେବନାହିଁ, ବିରୋଧୀ ଦଳଙ୍କ ଦାବିକୁ ଇସିଙ୍କ ଖାରଜ, ଗଣତି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବନାହିଁ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆସନ୍ତକାଲି (ଗୁରୁବାର) ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ଏବଂ ଭୋଟ୍‌ ଗଣତି କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ନିର୍ବାଚନ କମିସନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ପ୍ରଥମେ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ୨୨ଟି ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଭୋଟ୍‌ ଗଣତି ବ୍ୟବସ୍ଥାରେ କୌଣସି ପରବର୍ତ୍ତନ ହେବନାହିଁ ଏବଂ ନିର୍ଦ୍ଧାରିତ ସମୟରେ ହିଁ ଭୋଟ୍‌ ଗଣତି ପ୍ରକ୍ରିୟା ହେବ ବୋଲି ସ୍ପଷ୍ଟ କରାଯାଇଛି । ଆଜି ୩ ଜଣ ନିର୍ବାଚନ କମିସନର୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିରୋଧୀ ଦଳମାନେ ପ୍ରଥମେ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ କରିଥିବା ଦାବି ଗ୍ରହଣୀୟ ନୁହେଁ ଏବଂ ଏଭଳି ହେଲେ ଭୋଟ୍‌ ଗଣତି ପ୍ରକ୍ରିୟା ଶେଷ ହେବାପାଇଁ ୨-୩ ଦିନ ସମୟ ଲାଗିଯିବ ବୋଲି ନିର୍ବାଚନ କମିସନ କହିଛନ୍ତି।

ଭୋଟ୍‌ ଗଣତି ପୂର୍ବରୁ ମଂଗଳବାର ଦିନ କଂଗ୍ରେସ, ଏସ୍‌ପି, ଟିଏମ୍‌ସି ସମେତ ୨୨ଟି ବିରୋଧୀ ଦଳ ନିର୍ବାଚନ କମିସନରଙ୍କୁ ସାକ୍ଷାତ କରି ପ୍ରଥମେ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ଦାବି କରିଥିଲେ। ଗୁରୁବାର ଗଣତି ଆରମ୍ଭ ହେବା ପୂର୍ବରୁ ବିନା କୌଣସି କ୍ରମରେ ଚୟନ କରାଯାଇଥିବା ଭୋଟ୍‌ ଗ୍ରହଣ କେନ୍ଦ୍ରର ଭିଭିପିଏଟି ସ୍ଲିପ୍‌ ଗଣତି କରାଯିବାକୁ ବିରୋଧୀ ଦଳମାନେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଏହା ସହିତ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଥିବା ଇଭିଏମ୍‌ର ସୁରକ୍ଷା ନେଇ ମଧ୍ୟ ବିରୋଧୀ ଦଳମାନେ ଚିନ୍ତା ପ୍ରକଟ କରିଥିଲେ। ପରବର୍ତ୍ତୀ ସମୟରେ ନିର୍ବାଚନ କମିସନ ବୟାନ ଜାରି କରି କହିଥିଲେ ଯେ ସମସ୍ତ ଇଭିଏମ୍‌ କଡ଼ା ସୁରକ୍ଷା ବଳୟରେ ରହିଛି ଏବଂ କୌଣସି ସ୍ଥାନରେ ସାମାନ୍ୟତମ ଅନିୟମିତତାର ବି ପ୍ରଶ୍ନ ଉଠୁନାହିଁ। ତେବେ ଭିଭିପିଏଟି ପ୍ରସଙ୍ଗରେ ନିଷ୍ପତ୍ତି ନେବାପାଇଁ ନିର୍ବାଚନ କମିସନ ଆଜି ବୈଠକ ରଖିଥିଲେ।

ସମ୍ବନ୍ଧିତ ଖବର