ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଅଭାବନୀୟ ଘଟଣା : ପ୍ରଚଣ୍ଡ ଖରା‌ରେ ଦୌଡ଼ି୧୦ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପ୍ରତିବାଦ କରିବାରୁ ଗାଳି, ପୁଲିସ ଅଧିକାରୀଙ୍କ ନାମରେ ଥାନାରେ ଏତଲା

ଭୁବନେଶ୍ୱର : ଚନ୍ଦକା ଅଞ୍ଚଳରେ ଥିବା ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଚଣ୍ଡ ଖରାରେ‌ ‌େଦୗଡ଼ି ଟ୍ରେନିଂ ନେଉଥିବା ୧୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ମଧ୍ୟ ଏଭଳି କେତେ ଜଣ ଅସୁସ୍ଥ ହୋଇଥିଲେ। ପ୍ରଚଣ୍ଡ ଖରା ହେଉଥିବାରୁ ଏହି ଏସ୍‌ଓଜିର କଠିନ ପ୍ରଶିକ୍ଷଣରେ ଅଧିକାରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ସମସ୍ତ ଅଧିକାରୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କୁ ମେଡିକାଲ ଆଣିବା ପାଇଁ ଆମ୍ବୁଲାନ୍ସ ଅଭାବ ଥିବାରୁ ସ୍କୁଟି ସହାୟତାରେ ନିଆଯାଇଥିବା ଜଣାପଡ଼ିଛି।

ତେବେ ଅସୁସ୍ଥ ଦର୍ଶାଇ ସ୍ବତନ୍ତ୍ର ଟ୍ରେନିଂ ‘ବେଣ୍ଡିଂ’ ନେବାକୁ ବାରଣ କରିବାରୁ ପ୍ରଶିକ୍ଷଣ ପାଇବାକୁ ଆସିଥିବା ଜଣେ ଅଧିକାରୀଙ୍କୁ ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ପୁଲିସ ଅଧିକାରୀ ଅନ୍‌ଲାଇନ୍‌ରେ ଚନ୍ଦକା ଥାନାକୁ ଏତଲା ପଠାଇଛନ୍ତି। ଅଧିକାରୀ ଜଣକ ହେଉଛନ୍ତି ଘଟଗାଁ ଥାନା ସବ୍‌ଇନ୍‌ସ୍‌ପେକ୍ଟର ବିଶ୍ବଜିତ୍‌ ବେହେରା। ଅନ୍‌ଲାଇନ୍‌ ଅଭିଯୋଗ ପତ୍ରରେ ସେ ଲେଖିଛନ୍ତି, ଏଠାକୁ ସେ ଏ.ଇ.ଟି ଟ୍ରେନିଂ ପାଇଁ ଆସିଥିଲେ। ଏହି ଟ୍ରେନିଂ ସମୟରେ ‘ଫନି’ ପରର ପୁନରୁଦ୍ଧାର ତଥା ଆଇନଶୃଙ୍ଖଳା ପାଇଁ ତାଙ୍କୁ ପୁରୀ, ନିମାପଡ଼ା ତଥା ବିଭିନ୍ନ ଜାଗାକୁ ପଠା ଯାଇଥିଲା। ନିମାପଡ଼ାରେ ପୁନରୁଦ୍ଧାର କାମ ଚାଲିଥିବା ବେଳେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଗତକାଲି ସେ ଦଉଡ଼ି ସାରି ଆସିବା ପରେ ଟ୍ରେନିଂ ସେଣ୍ଟର୍‌ ଉସ୍ତାଦ ତାଙ୍କୁ ‘ବେଣ୍ଡିଂ’ ବ୍ୟାୟାମ ପାଇଁ କହିଥିଲେ। କିନ୍ତୁ ତାଙ୍କୁ ପୂର୍ବରୁ ଡାକ୍ତର ମନା କରିଥିବା ସେ କହିଥିଲେ। କିନ୍ତୁ ଅଧିକାରୀ ତାଙ୍କୁ ପ୍ରବଳ ଗାଳି କରିଥିଲେ। ସେ ଅସୁସ୍ଥ ଥିବାରୁ ଏବେ ହସ୍‌ପିଟାଲରେ ଅଛନ୍ତି।

ଏନେଇ ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ କହିଛନ୍ତି, ଏସ୍‌ଓଜି ଏକ ଜରୁରୀ ପ୍ରଶିକ୍ଷଣ। ଏହାକୁ ନେବା ବାଧ୍ୟତାମୂଳକ। କିନ୍ତୁ ବିଭିନ୍ନ ବାହାନା ଦେଖାଇ ଏହାକୁ ଟାଳି ଦେବା ପାଇଁ ଚାହିଲେ ବେଳେବେଳେ ଗାଳି କରିବାକୁ ପଡ଼ିଥାଏ। ଏ କ୍ଷେତ୍ରରେ ସମ୍ପୃକ୍ତ ଅଭିଯୋଗକାରୀ ମଧ୍ୟ ପାଲଟା ଗାଳି କରିଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ଚନ୍ଦକା ଥାନାରେ ଏତଲା ପହଞ୍ଚିଛି। ଘଟଣାର ତଦନ୍ତ ହେବ ବୋଲି ଚନ୍ଦକା ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର