ମହିଳା ଆତ୍ମହତ୍ୟା : ବିଶ୍ବର ୩୭% ଭାରତରେ

ବିଷାଦ ଓ ଆର୍ଥିକ ସଙ୍କଟ ପ୍ରମୁଖ କାରଣ

ନୂଆଦିଲ୍ଲୀ: ଆଜି ଯୋଧପୁର ଏମ୍ସରେ ବିଜୁ ପୁନୋଜ ନାମକ ଜଣେ ମହିଳା ନର୍ସ ଆତ୍ମହତ୍ୟା କରିଦେଇଛନ୍ତି। ବିଷାଦ ସହି ଲଢ଼ିନପାରି ସେ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି। ତେବେ ଖାଲି ବିଜୁ ପୁନୋଜ ନୁହନ୍ତି ତାଙ୍କ ପରି ଆହୁରି ହଜାର ହଜାର ମହିଳା ପ୍ରତିବର୍ଷ ଭାରତରେ ଆତ୍ମହତ୍ୟା କରୁଛନ୍ତି। ବିଷାଦ ଏବଂ ଆର୍ଥିକ ସଙ୍କଟ ଆତ୍ମହତ୍ୟାର ଏବେ ଦୁଇଟି ପ୍ରମୁଖ କାରଣ ପାଲଟିଛି। ବିଶ୍ବ ମହିଳା ଆତ୍ମହତ୍ୟାର ୩୭ ପ୍ରତିଶତ ଭାରତରେ ହେଉଛି ବୋଲି ଜଣାପଡ଼ିଛି। ୧୯୯୦ ମସିହାରୁ ଭାରତୀୟ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ମାତ୍ରା କମିଛି। କିନ୍ତୁ ବିଶ୍ବର ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତୀୟ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ମାତ୍ରା ସେହି ପରିମାଣରେ କମିନାହିଁ। ୨୦୧୬ ମସିହାରେ ଭାରତରେ ସମୁଦାୟ ମୃତ୍ୟୁର ନବମ ପ୍ରମୁଖ କାରଣ ଥିଲା ଆତ୍ମହତ୍ୟା। ୨୦୧୮ ଅକ୍ଟୋବରରେ ଲାନସେଟ୍‌ ପବ୍ଲିକ୍‌ ହେଲ୍ଥରେ ପ୍ରକାଶ ପାଇଥିବା ଏକ ଗବେ‌ଷଣାରୁ ଏହା ଜଣାପଡ଼ିଛି।

ଅନେକ କ୍ଷେତ୍ରରେ ଆତ୍ମହତ୍ୟା କରୁଥିବା ପୀଡ଼ିତାମାନେ ଉଚ୍ଚ ଶିକ୍ଷିତ ଏବଂ ସେମାନେ କ୍ୟାରିୟରରେ ମଧ୍ୟ ବେଶ୍‌ ସଫଳ। ବିଶେଷ କରି ସେମାନେ ମଧ୍ୟବିତ୍ତ ପରିବାରର । କିନ୍ତୁ ଅଧିକାଂଶ କ୍ଷୁଦ୍ର ପରିବାର ଗୁଡ଼ିକରେ ମହିଳାଙ୍କ ଉପରେ ଚାପ ଅଧିକ ରହୁଛି। ରୋଜଗାର କରିବା ସତ୍ତ୍ବେ ସେମାନେ ପରିବାରକୁ ସଠିକ୍‌ ଭାବେ ଚଳାଇବାରେ ବିଫଳ ହେଉଛନ୍ତି। ଅନେକ କ୍ଷେତ୍ରରେ ମହିଳାଙ୍କୁ ସେମାନଙ୍କ ଚାହିବା ଅନୁଯାୟୀ ପରିବାରରୁ ସହ‌‌ଯୋଗ ମିଳୁନି। କ୍ୟାରିୟରର ଅନିଶ୍ଚିତତା ସହ ପରିବାରର ଦାୟିତ୍ବ ସେମାନଙ୍କ କ୍ଷେତ୍ରରେ ବେଳେବେଳେ ଭାରି ପଡ଼ିଯାଉଛି। ଏ କ୍ଷେତ୍ରରେ ଆର୍ଥିକ ସଙ୍କଟ ବି ବୋଝ ବଢ଼ାଇ ଦେଉଛି। ଫଳରେ କିଛି ବା‌ଟ ନପାଇ ମହିଳାମାନେ ଆତ୍ମହତ୍ୟାକୁ ହିଁ ଶେଷ ରାସ୍ତା ବୋଲି ଭାବି ନେଉଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୧୭ ପର୍ଯ୍ୟନ୍ତ ଭାରତରେ ଆତ୍ମହତ୍ୟା ଏକ ଅପରାଧ ଥିଲା। ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତିକୁ ଗୋଟିଏ ବର୍ଷ ଜେଲ୍‌ ଏବଂ ଜରିମାନା ହେଉଥିଲା। କିନ୍ତୁ ୨୦୧୭ରେ ଆତ୍ମହତ୍ୟା ଏବଂ ଆତ୍ମହତ୍ୟା‌ ଉଦ୍ୟମକୁ ଅପରାଧମୁକ୍ତ କରାଗଲା। ତେବେ ଜଣାଯାଇଛି ଯେ ଅଧିକାଂଶ କ୍ଷେତ୍ରରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଆତ୍ମହତ୍ୟାର ପ୍ରକୃତ କାରଣ ପ୍ରକାଶ କରୁନାହାନ୍ତି। ଅନେକ କ୍ଷେତ୍ରରେ ଆତ୍ମହତ୍ୟାକୁ ଦୁର୍ଘଟଣାର ରୂପ ଦିଆଯାଉଛି। ଋଣ ବି ଏବେ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ପାଲଟିଛି। ଅନ୍ୟପକ୍ଷେ ଏବେ ଶିକ୍ଷିତ ଯୁବପିଢ଼ିମାନେ ନିଜ ଦୁଃଖ ବିଷୟ‌ରେ ଅନ୍ୟ କାହା ସହ କିଛି ବିନିମୟ କରିବାକୁ ପସନ୍ଦ କରୁନାହାନ୍ତି। ‌ଯେତେ ଘନିଷ୍ଠ ହୋଇଥିଲେ ସୁଦ୍ଧା ଏବର ଯୁବପିଢ଼ି ନିଜ ‌ଦୋଷ ଦୁର୍ବଳତାକୁ ଅପର ଜଣଙ୍କୁ କହିବାରେ କୁଣ୍ଠାବୋଧ କରୁଛନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ତେଣୁ ଆତ୍ମହତ୍ୟା ରୋକିବା ଦିଗରେ ଭାରତରେ ଏକ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ମାନସିକ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଭାରତରେ ଏକ ବଡ଼ ଧରଣର ପରିବର୍ତ୍ତନର ଆବଶ୍ୟକତା ରହିଛି।

ଏମ୍ସ ନର୍ସଙ୍କ ଆତ୍ମାହୁତି
ଜୟପୁର: ରାଜସ୍ଥାନର ଯୋଧପୁର ଏମ୍ସ ମେଡିକାଲ୍‌ରେ ଜଣେ ମହିଳା‌ ନର୍ସ ନିଜ ଶରୀର‌ରେ ନିଆଁ ଲଗାଇ ନିଜକୁ ଆତ୍ମାହୁତି ଦେଇ ଦେଇଛନ୍ତି। ‌ଅନେକ ଦିନ ଧରି ବିଷାଦରେ ଥିବା ଏହି ନର୍ସ ଜଣଙ୍କ ଗତକାଲି ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି।। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାଁ ବିଜୁ ପୁନୋଜ। ତାଙ୍କ ଘର କେରଳରେ। ସେ ଗତ ଦୁଇ ବର୍ଷ ହେବ ଯୋଧପୁର ଏମ୍ସରେ କାର୍ଯ୍ୟ କରି ଆ‌ସୁଥିଲେ। ତେବେ ଉକ୍ତ ନର୍ସଙ୍କ ସହକର୍ମୀମାନେ କହିଛନ୍ତି ଯେ କିଛି ପାରିବାରିକ ସମସ୍ୟା ପାଇଁ ସେ ଅନେକ ଦିନ ଧରି ବିଷାଦରେ ଥିଲେ। ଅନେକ ସମୟରେ ଏକା ରହିବାକୁ ପସନ୍ଦ କରୁଥିଲେ। ଗତ କିଛି ଦିନ ହେବ ସେ କାହା ସହ କଥା ହେଉନଥିଲେ। ଶେଷରେ ଅନ୍ୟ କିଛି ବାଟ ନପାଇ ସେ ନିଜ ଶରୀରରେ ନିଆଁ ଲଗାଇ ଆତ୍ମାହୁତି ଦେଇ ଦେଇଛନ୍ତି। ଜଣାଯାଇଛି ଯେ ନର୍ସ ଜଣଙ୍କ ଏମ୍ସ ଡାକ୍ତରଖାନା ପରିସରରେ ହିଁ ଏହି କାଣ୍ଡ ଘଟାଇଛନ୍ତି। ନିଜକୁ ଏକ ଘରେ ଭିତର ପଟୁ ତାଲା ପକାଇ ସେ ଜାଳି ଦେଇଥିଲେ। ତେବେ ପରେ କିଛି ବ୍ୟକ୍ତି ଉକ୍ତ ଘର ମଧ୍ୟରୁ ଧୂଆଁ ବାହା‌ରୁଥିବାର ଦେଖି ହସ୍ପିଟାଲ୍‌ କର୍ମଚାରୀଙ୍କୁ ଜଣାଇଥିଲେ । ପୁଲିସ ଏବେ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଅନ୍ୟପ‌କ୍ଷେ ନାଗପୁରରେ ଜଣେ ୧୨ ବର୍ଷୀୟା ନାବାଳିକା ଅନଲାଇନ୍‌ରେ ଆତ୍ମହତ୍ୟା ଭିଡିଓ ଦେଖି ଆତ୍ମହତ୍ୟା କରିଦେଇଛନ୍ତି।

ସମ୍ବନ୍ଧିତ ଖବର