ଟେଷ୍ଟ ମାନ୍ୟତା:କୋହଲି ଶୀର୍ଷରେ ଅପରିବର୍ତ୍ତିତ

ଦୁବାଇ: ବିରାଟ କୋହଲି ଆଇସିସି ଟେ‌ଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଖେଳିଥିବା ଏହି ଭାରତୀୟ ଅଧିନାୟକ ସର୍ବାଧିକ ୯୨୨ ପଏଣ୍ଟ୍‌ ସହ ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାର ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୯୧୩) ଓ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଚେତେଶ୍ବର ପୂଜାରା (୮୮୧) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବ୍ୟାଟ୍‌ସ୍‌ମ୍ୟାନ୍‌ଙ୍କ ତାଲିକାର ଶୀର୍ଷ-୧୦‌ରେ ଦୁଇ ଜଣ ଭାରତୀୟ ରହିଥିଲା ବେଳେ ବୋଲରଙ୍କ ମାନ୍ୟତାର ଶୀର୍ଷ-୧୦ରେ ମଧ୍ୟ ଦୁଇ ଜଣ ଭାରତୀୟ ରହିଛନ୍ତି। ଏହି ଦୁଇ ଜଣ ହେଲେ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌। ଦୁଇ ଭାରତୀୟ ସ୍ପିନର ଯଥାକ୍ରମେ ଷଷ୍ଠ ଓ ଦଶମ ସ୍ଥାନରେ ରହିଛନ୍ତି। ସେହିପରି ଅଲ୍‌ରାଉଣ୍ଡରଙ୍କ ମାନ୍ୟତା ତାଲିକାର ଶୀର୍ଷ-୧୦ ମଧ୍ୟରେ ମଧ୍ୟ ଦୁଇ ସ୍ପିନର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ହିଁ ସ୍ଥାନ ପାଇଛନ୍ତି। ଜାଦେଜା ତୃତୀୟ ଓ ଅଶ୍ବିନ୍‌ ଷଷ୍ଠ ସ୍ଥାନ ପାଇଛନ୍ତି।
ଅନ୍ୟପକ୍ଷରେ ଦଳଗତ ମାନ୍ୟତାରେ ମଧ୍ୟ ଭାରତ ଶୀର୍ଷରେ ଅପରିବର୍ତିତ ରହିଛି। ଭାରତ ସର୍ବାଧିକ ୧୧୩ ପଏଣ୍ଟ୍‌ରେ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ (୧୧୧), ଦକ୍ଷିଣ ଆଫ୍ରିକା (୧୦୮), ଇଂଲଣ୍ଡ (୧୦୫) ଓ ଅଷ୍ଟ୍ରେଲିଆ (୯୮) ପଛକୁ ପଛ ଦ୍ବିତୀୟରୁ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର