ନୂଆଦିଲ୍ଲୀ: ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନ୍ସିପି (ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି)କୁ ଆଜି ବଡ଼ ଝଟ୍କା ଲାଗିଛି। ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ଏନ୍ସିପିର ୩ ଜଣ ଏବଂ କଂଗ୍ରେସର ଜଣେ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ୩ ଜଣ ଏନ୍ସିପି ବିଧାୟକ ସନ୍ଦୀପ ନାୟକ, ବୈଭବ ପିଚାଡ଼ ଏବଂ ଶିବେନ୍ଦ୍ର ସିଂହ ଭୋନ୍ସଲେ ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ କଂଗ୍ରେସ ବିଧାୟକ କାଳିଦାସ କୋଲମ୍ବକର ମଧ୍ୟ ଇସ୍ତଫା ଦେଇଛନ୍ତି। କୋଲମ୍ବକର ଆସନ୍ତାକାଲି ବିଜେପିରେ ଯୋଗଦେବେ । ଏନେଇ ସେ ପୂର୍ବରୁ ଘୋଷଣା କରି ସାରିଛନ୍ତି। ୭ ଥର ବିଧାୟକ ହୋଇଥିବା କୋଲମ୍ବକର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ଘନିଷ୍ଠ ସହଯୋଗୀ। ଆଜି ଇସ୍ତଫା ଦେଇଥିବା ସମସ୍ତ ଏନ୍ସିପି ବିଧାୟକ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିଭାଇ ବଗଡ଼େଙ୍କୁ ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି। ଆଜିର ଇସ୍ତଫାକୁ ମିଶାଇଲେ ଏନ୍ସିପିରୁ ସମୁଦାୟ ୫ ଜଣ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଜୟଦତ୍ତ କ୍ଷୀରସାଗର ଏବଂ ପଣ୍ଡୁରଙ୍ଗା ବରୋରା ଶିବସେନାରେ ଯୋଗ ଦେଇ ସାରିଛନ୍ତି ଏବଂ ମୁମ୍ବାଇ ଏନ୍ସିପି ଅଧ୍ୟକ୍ଷ ସଚିନ ଆହିର ମଧ୍ୟ ଏନ୍ସିପି ଛାଡ଼ି ଶିବ ସେନାରେ ଯୋଗ ଦେଇଛନ୍ତି।