ଚିଲିକା ନୂଆପଡା ପାଟଣାସାହି ଗାଁରେ ପାନୀୟ ଜଳ ସମସ୍ୟା : ପିଇବା ପାଣି ପାଇଁ ଏକ କିଲୋମିଟର ଚାଲୁଛନ୍ତି ଗାଁ ଲୋକେ

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ପିଇବା ପାଣି ସମସ୍ୟା ସବୁବେଳେ ଲାଗି ରହିଛି। ଚିଲିକା ଘେରା ରହିଥିବା ଏହି ବ୍ଲକ୍‌ରେ ସବୁବେଳେ ଲୁଣି ପାଣି ବାହାରୁଥିବା ବେଳେ ପିଇବା ପାଣି ପାଇଁ ଉପଯୁକ୍ତ ବ୍ୟବସ୍ଥା ଆଜି ସୁଦ୍ଧା ହୋଇ ପାରି ନାହିଁ। ଏହି ବ୍ଲକ୍‌ର ଚିଲିକା ନୂଆପଡା ପାଟଣାସାହି ଗାଁରେ ଶହେରୁ ଅଧିକ ପରିବାର ରହନ୍ତି। ଗାଁରେ ୫ ଶହରୁ ଅଧିକ ଲୋକେ ବସବାସ କରିଥାନ୍ତି। କିନ୍ତୁ ଗାଁରେ ନଳକୂପଟିଏ ନାହିଁ। ଲୁଣି ପାଣି ସହିତ ଫ୍ଲୋରାଇଡ୍‌ ମିଶ୍ରିତ ପାଣି ବାହାରୁଥିବାରୁ ଏଠାରେ ନଳକୂପ ବ୍ୟବସ୍ଥା ହୋଇ ନାହିଁ। ଗାଁକୁ ପାଇପ୍‌ ପାଣି ବ୍ୟବସ୍ଥା ହୋଇଛି। କିନ୍ତୁ ଫନି ପରେ ସବୁ ପାଇପ୍‌ ନଷ୍ଟ ହୋଇଯାଇଛି। ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ଲାଗି ନ ଥିବାରୁ ପାଣି ଗାଁକୁ ଯାଉ ନାହିଁ। ବାଧ୍ୟ ହୋଇ ଗାଁ ଲୋକେ ପୋଖରୀ ଉପରେ ନିର୍ଭର କରିଥାନ୍ତି। ଦୂଷିତ ପାଣି ପିଇ ଅନେକ ସମୟରେ ଲୋକେ ଝାଡାବାନ୍ତିରେ ପଡ଼ନ୍ତି।

ଖାଲି ସେତିକି ନୁହେଁ, ଗାଁ ଲୋକେ ପିଇବା ପାଣି ପାଇଁ ଏକ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ପାଣି ଆଣିବାକୁ ଯାଇଥାନ୍ତି। ବର୍ଷା ଦିନ ହେଉ କିମ୍ବା ଖରା ଦିନ ସବୁବେଳେ ଗାଁରେ ପିଇବା ପାଣି ସମସ୍ୟାରେ ଲୋକେ ପେଷି ହୋଇ ଯାଇଥାନ୍ତି। ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଗାଁରେ ପିଇବା ପାଣି ବ୍ୟବସ୍ଥା କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର