‘ସ୍ୱଚ୍ଛତା ହିଁ ସେବା-୨୦୧୯’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ମଥୁରା : ସ୍ୱଚ୍ଛତା ଉପରେ ଆଜି ମଥୁରାଠାରେ ଦେଶବ୍ୟାପୀ ଏକ ବିଶାଳ ସଚେତନତା ତଥା ଜନଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ।

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଖୋଲା ଶୌଚମୁକ୍ତ (ଓଡିଏଫ) ଭାରତ ଲକ୍ଷ୍ୟ ହାସଲ ପ୍ରତି ସ୍ୱଚ୍ଛ ଭାରତ ମିଶନ ସମର୍ପିତ ଥିବାବେଳେ ପ୍ଲାଷ୍ଟିକ ବର୍ଜ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଏହାର ପରିଚାଳନା ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯାଇ ଚଳିତ ମାସ ୧୧ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା (ଏସଏଚଏସ)- ୨୦୧୯ ଆୟୋଜନ କରାଯାଉଛି। କେନ୍ଦ୍ରସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତାବିଭାଗ ପକ୍ଷରୁ ମିଳିତ ଭାବେ ଏସଏଚଏସ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ପଶୁଧନ ଆରୋଗ୍ୟବିଜ୍ଞାନ ମେଳା ପରିଦର୍ଶନ କରିଥିଲେ। ଏହା ପରେ ସେ ଉତ୍ତରପ୍ରଦେଶର ଏକ ମହିଳା ଗୋଷ୍ଠୀ ସହ ବାର୍ତାଳାପ କରିଥିଲେ। ଏହି ସଭାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାୱତ, କେନ୍ଦ୍ରମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଗିରିରାଜସିଂ, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲକଟାରିଆ ପ୍ରମୁଖ ଯୋଗ‌ ଦେଇଥିଲେ।

ପ୍ରକାଶଥାଉକି, ଚଳିତବର୍ଷର ସ୍ୱଚ୍ଛତା ହିଁ ସେବା ଜନ ଜାଗରଣ କାର୍ଯ୍ୟକ୍ରମରେ ଚଳିତ ମାସ ୧୧ ତାରିଖରୁ ୧ ଅକ୍ଟୋବର ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ, ଅକ୍ଟୋବର ୨ ତାରିଖରେ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଓ ପୃଥକୀକରଣ ଲାଗି ଦେଶବ୍ୟାପୀ ଶ୍ରମଦାନ ଏବଂ ୩ ଅକ୍ଟୋବରରୁ ୨୭ ଅକ୍ଟୋବର, ୨୦୧୯ ଦୀପାବଳି ପର୍ଯ୍ୟନ୍ତ ପ୍ଲାଷ୍ଟିକ ଆବର୍ଜନାର ପୁନଃପ୍ରକ୍ରିୟାକରଣ ଓ ପ୍ରଭାବୀ ଢଙ୍ଗରେ ଏହାକୁ ନଷ୍ଟ କରିବା କାର୍ଯ୍ୟ କରାଯିବ। ସ୍ୱଚ୍ଛତା ହିଁ ସେବା ୨୦୧୯କୁ ସଫଳ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସରପଂଚ ଓ ସ୍ୱଚ୍ଛାଗ୍ରହୀମାନଙ୍କୁ ପତ୍ର ଲେଖିଛନ୍ତି। ସାରାଦେଶରେ ସ୍ୱତନ୍ତ୍ର ଗ୍ରାମସଭା ଜରିଆରେଏହି ପତ୍ର ପାଠକରାଯିବ ।

ସମ୍ବନ୍ଧିତ ଖବର